ଭୁବନେଶ୍ବର: ରାଜ୍ୟରେ ତ୍ରିସ୍ତରୀୟ ନିର୍ବାଚନ ସରି ଯାଇଥିବାବେଳେ ଦୁଇଦିନ ହେଲା ଭୋଟ ଗଣତି ଆରମ୍ଭ ହୋଇଛି। ତେବେ ରବିବାର ରାତି ସାଢ଼େ ୧୧ଟା ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି ଜାରି ରହିଛି। ଚୂଡ଼ାନ୍ତ ଫଳାଫଳରୁ ଜଣାପଡିଛି ଯେ, ରାଜ୍ୟରେ ନିର୍ବାଚନ ହୋଇଥିବା ୮୫୧ ଜିଲ୍ଲା ପରିଷଦ ଜୋନରୁ ୩୫୩ ଜୋନରେ ବିଜେଡିର ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି।
ଶନିବାରଠାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୩୧୫ ଆସନରେ ଗଣତି ହୋଇଥିଲା। ସେଥିରୁ ବିଜେଡି ୨୮୨ ଜୋନରେ ବିଜୟୀ ହୋଇଥିବା ବେଳେ ବିଜେପି ମାତ୍ର ୧୫ ଜୋନ ପାଇଥିଲା। ସେହିପରି କଂଗ୍ରେସକୁ ୧୪ ଜୋନରେ ବିଜୟୀ ହୋଇ ସନ୍ତୁଷ୍ଟ ହେବାକୁ ପଡିଥିଲା। ୨ଜଣ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଅନ୍ୟାନ୍ୟ ୨ ଜଣ ଜିତିଥିଲେ।
ରବିବାର ଦ୍ବିତୀୟ ପର୍ଯ୍ୟାୟରେ ୩୦୬ ଜୋନରେ ଭୋଟ ଗଣତି ଚାଲିଛି। ତେବେ ରାତି ସାଢ଼େ ୧୧ଟା ସୁଦ୍ଧା ୮୦ ଜୋନର ଫଳାଫଳ ହସ୍ତଗତ ହୋଇଛି। ସେଥିରୁ ବିଜେଡି ୭୧ ଜୋନରେ ବିଜୟୀ ହୋଇଛି। କିନ୍ତୁ ବିଜେପିକୁ ୨ ଜୋନ ମିଳିଛି। ସେଇଭଳି ୭ ଜୋନ ପାଇ କଂଗ୍ରେସକୁ ସନ୍ତୁଷ୍ଟ ହେବାକୁ ପଡିଛି। ତେବେ ସାରା ରାଜ୍ୟରେ ବିଜେଡି ଏକତରଫା ବିଜୟୀ ହୋଇ ପ୍ରଥମ ହୋଇଥିବା ଫଳାଫଳାରୁ ସ୍ପଷ୍ଟ ହୋଇଛି। ତେବେ କଂଗ୍ରେସ ଦୁଇଦିନରେ ୨୧ ଜୋନ ପାଇ ୨ୟ ସ୍ଥାନରେ ଥିବାବେଳେ ବିଜେପି ୧୭ ଜୋନ ପାଇ ତୃତୀୟ ସ୍ଥାନରେ ରହିଛି। ଗତ ନିର୍ବାଚନରେ ବିଜେପି ଯେତିକି ଆସନ ପାଇଥିଲା ଚଳିତ ନିର୍ବାଚନରେ ବହୁ ଆସନ ଦଳକୁ ହରାଇବାକୁ ପଡିଛି। ତେବେ କାହିଁକି ଏଭଳି ହୋଇଛି ଦଳ ପକ୍ଷରୁ ସମୀକ୍ଷା କରାଯାଉଥିବାବେଳେ କଂଗ୍ରେସରେ ଏନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ରାଜନୈତିକ ମହଲରୁ ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/4743da29-f6b4-485d-abc1-0084b2abeb37-1.jpg)