ପୁରୀ : ମହାପ୍ରଭୁ ନବଯୌବନ ପ୍ରାପ୍ତି ପୂର୍ବରୁ ଅଣସର ପିଣ୍ଡିରେ ଚାଲିଛି ଗୋପନ ସେବା। ଗତକାଲି ମହାପ୍ରଭୁ ଚକା ବିଜେ କରିବାପରେ ଶୁକ୍ରବାର ଦିନ ଚକା ଉପରେ ଅଣସର ନୀତି ସମ୍ପନ୍ନ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ଅନୁଷ୍ଠିତ ହୋଇଯାଇଛି। ଚକା ଉପରେ ବିଜେ ଅବସ୍ଥାରେ ମହାପ୍ରଭୁ ରକ୍ତବସ୍ତ୍ର(ଗାଢ଼ ନାଲି ରଙ୍ଗ) ପରିଧାନ କରିଛନ୍ତି। ଗତକାଲି ଶ୍ରୀମନ୍ଦିରକୁ ବିଜେ ହୋଇଥିବା ମହୌଷଧୀ ‘ଦଶମୂଳ’ ବି ଆଜି ମହାପ୍ରଭୁଙ୍କୁ ଲାଗି କରାଯାଇଛି। ଶୁକ୍ରବାର ବିଳମ୍ୱିତ ରାତିରେ ଏସବୁ ନୀତି ସମ୍ପନ୍ନ ପରେ ଅସୁସ୍ଥ ମହାପ୍ରଭୁ ସୁସ୍ଥ ଅନୁଭବ କରୁଛନ୍ତି।
ବରିଷ୍ଠ ଦଇତାପତି ବିଶ୍ୱାବସୁ ବିନାୟକ ଦାସମହାପାତ୍ରଙ୍କ ସୂଚନା ମୁତାବକ, ଶୁକ୍ରବାର ଦିନ ପ୍ରଥମେ ପଟିଦିଅଁଙ୍କ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ପଟିଦଅଁଙ୍କ ନିକଟରେ ସଂଧ୍ୟା ଆଳତି, ସଂଧ୍ୟା ଧୂପ ପରେ ଅଣସର ଦ୍ୱାର ଫିଟା ଯାଇଥିଲା। ପ୍ରତିଦିନ ଭଳି ଚକଟା ଓ ପଣା ଭୋଗ ହୋଇଥିଲା। ପରେ ସିଂଘାରୀ ସେବକମାନେ ପଟିଦିଅଁଙ୍କୁ ଚନ୍ଦନଲାଗି କରିଥିଲେ। ଏହିସମୟରେ ଦଇତାପତି ସେବକମାନେ ଅଣସର ଘରେ ଥିବା ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ସମ୍ପନ୍ନ କରିଥିଲେ। ଶ୍ରୀବିଗ୍ରହଙ୍କ ପୂରା ଶରୀରରେ ଚନ୍ଦନର ପ୍ରଲେପ ଦିଆଯାଇଥିଲା। ସର୍ବାଙ୍ଗ ଚନ୍ଦନ ନୀତି ପାଇଁ ପ୍ରାୟ ୧୫ କେଜି ଚନ୍ଦନର ପ୍ରଲେପ ପ୍ରସ୍ତୁତ ହୋଇଥିଲା। ଯେଉଁଥିରେ କସ୍ତୁରୀ, ଅଁଳା ଆଦି ମିଶ୍ରଣ କରାଯାଇଥିଲା। ଏହା ମହାପ୍ରଭୁଙ୍କ ସବୁଠୁ ବଡ଼ ସର୍ବାଙ୍ଗ ଚନ୍ଦନ ନୀତି। ଏହି ଚନ୍ଦନ ଶ୍ରୀଜିଉଙ୍କ ଦେହରେ ବର୍ଷେ ପର୍ଯ୍ୟନ୍ତ ରହିବ। ପୁନର୍ବାର ଆସନ୍ତା ବର୍ଷକୁ ଅଣସର ସମୟରେ ମହାପ୍ରଭୁଙ୍କ ଏହି ସର୍ବାଙ୍ଗ ଚନ୍ଦନ ନୀତି ଅନୁଷ୍ଠିତ ହେବ ବୋଲି କହିଛନ୍ତି ଶ୍ରୀ ଦାସମହାପାତ୍ର।
ବରିଷ୍ଠ ଶୁଦ୍ଧ ସୁଆର ସେବକ ଲୋକନାଥ ସୁଆର କହିଛନ୍ତି, ସର୍ବାଙ୍ଗ ଚନ୍ଦନ ନୀତି ପରେ ଶ୍ରୀବିଗ୍ରହଙ୍କୁ ଗୀତ ଗୋବିନ୍ଦ ଖଣ୍ଡୁଆ ଲାଗି କରାଯାଇଥିଲା। ଅଣସର ପିଣ୍ଡିକୁ ଯିବା ଦିନଠାରୁ ଶ୍ରୀଜିଉମାନେ ଧଳାଫୁଲରେ ପୂଜା ପାଉଥିବାବେଳେ ଆଜି ପ୍ରଥମ କରି ମହାପ୍ରଭୁଙ୍କ ପସନ୍ଦର ତୁଳସୀ ଲାଗି କରାଯାଇଥିଲା। ଶ୍ରୀଜିଉ ଆଜି ଗାଢ଼ ନାଲି ରଙ୍ଗ ପରିଧାନ କରିଛନ୍ତି। ମାନବ ଦେହର ରକ୍ତ, ମାଂସର ଶରୀର ଭଳି ଆଜି ଶ୍ରୀଜିଉଙ୍କ ଦେହରେ ରକ୍ତବସ୍ତ୍ର ଲାଗି ପୂର୍ବକ ରକ୍ତ, ମାଂସର ଶରୀର ତିଆରି ହୋଇଛି। ପରେ ଶ୍ରୀଜୀଉଙ୍କ ନିକଟରେ ଖଇ, ରାଜପ୍ରସାଦ ଭୋଗ ଲାଗି ହୋଇଥିଲା। ବିଳମ୍ୱିତ ରାତିରେ ଶ୍ରୀମନ୍ଦିର ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ‘ଦଶମୂଳ’ ଶ୍ରୀଜିଉଙ୍କଠାରେ ଲାଗି କରାଯାଇଥିଲା। ଶ୍ରୀଜିଉ ସପ୍ତାବରଣ ଭିତରେ ଆବଦ୍ଧ। ଏହି ସପ୍ତାବରଣ ଭିତରେ ଆଜିର ଖଣ୍ଡୁଆ, ସର୍ବାଙ୍ଗ ଚନ୍ଦନ ଓ ଦଶମୂଳ ଲାଗି ଏକ ଆବରଣ। ପରେ ଖଳି ଓ ଖଡ଼ିର ଆବରଣ ଲାଗିବ। ପରେ ମହାପ୍ରଭୁଙ୍କ ଦେହ ବଜ୍ର ହେବ। ସେ ମହାବଳୀ ହୋଇଯିବେ। ଅନ୍ୟପଟେ ଶୁଦ୍ଧ ସୁଆରଙ୍କ ପକ୍ଷରୁ ଦୈନିକ ଦୁଇଥର ଅଣସର ପଣା ଲାଗି କରାଯାଉଛି ବୋଲି ଶ୍ରୀ ସୁଆର କହିଛନ୍ତି।