ହଳଦିଆବତି ଲାଗିଥିଲା ବୋଲି ମାଫ୍‌! ଶ୍ରୀମନ୍ଦିର ସୁରକ୍ଷା ଢିଲାପଣ ସାମ୍ନାକୁ ଆସିଲା

ଅକଳରେ ପକାଇଲେ ଦୀପକ, ତଥାପି ଅନୁକମ୍ପା, ସେବାୟତଙ୍କୁ ନୋଟିସ୍‌

ଭୁବନେଶ୍ବର: କଟକଣା ସତ୍ତ୍ବେ ସପରିବାର ଶ୍ରୀମନ୍ଦିର ଯାଇ ନିଲମ୍ବିତ ହୋଇଛନ୍ତି ବଡ଼ଚଣା ଆଇଆଇସି ଦୀପକ କୁମାର ଜେନା। ତାଙ୍କ ବିରୋଧରେ ପୁଲିସ ମକଦ୍ଦମା କରିଛି। ସଂପୃକ୍ତ ସେବାୟତଙ୍କୁ ବି ନୋଟିସ୍ ଜାରି କରାଯାଇଛି। ଏହି ଘଟଣାକୁ ନେଇ କିନ୍ତୁ ଚର୍ଚ୍ଚା ଥମୁନାହିଁ। ଜବତ ଗାଡ଼ିକୁ ଥାନାଧିକାରୀ କିଭଳି ବ୍ୟବହାର କରୁଛନ୍ତି, ଇଏ ତାର ଗୋଟିଏ ଉଦାହରଣ। ହେଲେ ଏହାଠାରୁ ଆହୁରି ସଙ୍ଗିନ୍ ପ୍ରସଙ୍ଗଟି ହେଲା ପୁରୀ ଶ୍ରୀମନ୍ଦିର ସୁରକ୍ଷିତ ତ? ଗୋଟିଏ ଗାଡ଼ି ଶ୍ରୀମନ୍ଦିର ଯାଏ ପହଞ୍ଚିଗଲା, ଅର୍ଥାତ୍ କେହି ଜାଣିପାରିଲେନି କେମିତି? ଯଦି କୌଣସି ଅସାମାଜିକ ବ୍ୟକ୍ତି ଏଭଳି ଆସି କିଛି ଅଘଟଣ ଘଟାଇଥାନ୍ତେ? ଗୁଇନ୍ଦା କାହା କାମରେ ଲାଗିଛି? ପୁରୀ ପୁଲିସ କିଭଳି ଜଗିଥିଲା?

ଏମିତି ପୁଳା ପୁଳା ପ୍ରଶ୍ନ ଏବେ ସବୁ ମହଲକୁ ଆନ୍ଦୋଳିତ କଲାଣି। ପୁଲିସ ମହାନିର୍ଦେଶକ ଏହା ଉପରେ କି ପଦକ୍ଷେପ ନେଇଛନ୍ତି, ତାହା ଜଣାପଡ଼ିନାହିଁ। କିନ୍ତୁ ଶ୍ରୀମନ୍ଦିର ଭଳି ଅତି ସମ୍ବେଦନଶୀଳ ସ୍ଥାନ ପ୍ରତି ଯେ ଅତ୍ୟନ୍ତ ଅବହେଳା ପ୍ରଦର୍ଶନ କରାଯାଇଛି, ଏହାର ସଙ୍କେତ ମିଳିଛି। ଶ୍ରୀମନ୍ଦିର ସୁରକ୍ଷା ପାଇଁ ରାଜ୍ୟ ସରକାର ଗୋଟିଏ ସ୍ବତନ୍ତ୍ର ଥାନା କରିଛନ୍ତି। ରାଜ୍ୟର ସବୁଠାରୁ ବଡ଼ ଥାନାର ମାନ୍ୟତା ଦିଆଯାଇଛି। ହେଲେ ଶ୍ରୀମନ୍ଦିର ପର୍ଯ୍ୟନ୍ତ କୌଣସି ଗାଡ଼ିକୁ ଅନୁମତି ଦିଆଯାଉନାହିଁ। ଏବେ ନୁହେଁ, ଲକ୍‌ଡାଉନ୍ ଜାରି ହୋଇନଥିବା ବେଳେ ଅତିବେଶିରେ ମାର୍କେଟ୍ ଛକ ଯାଏ ଯାନବାହନ ଛଡ଼ାଯାଇଥାଏ। ବିଭିନ୍ନ ଛକରେ ପୁଲିସ ଅଟକାଇଥାଏ। ହେଲେ ଏବେ କଟକଣା ଜାରି କରାଯାଇଥିବାରୁ ସମସ୍ତେ ଏତେ ବେଫିକର ହୋଇଯାଇଛନ୍ତି ଯେ ଗୋଟିଏ ଗାଡ଼ି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଚାଲିଗଲା, ଅଥଚ କେହି ଜାଣିପାରିଲେ ନାହିଁ। ବାଟରେ ଥିବା କୁମ୍ଭାରପଡ଼ା ଥାନା ପୁଲିସ ଓ ପୁରୀ ଟାଉନଥାନା ପୁଲିସ କଣ କରୁଥିଲେ? ବୋଲି ପ୍ରଶ୍ନ ଉଠିଲାଣି।

ଲକ୍ ଡାଉନ୍ ପାଇଁ ରାସ୍ତାରେ ଏବେ ଅନେକ ସ୍ଥାନରେ ପୁଲିସ ପହରା ଦେଉଛି। ଜାତୀୟ ରାଜପଥ ଉପରେ ଦୟାନଦୀ ପୂର୍ବରୁ ପୁଲିସ କ୍ୟାମ୍ପ ରହିଛି। ପିପିଲି ଟୋଲ ଗେଟ୍ ନିକଟରେ ପୁଲିସ ବ୍ୟାରିକେଡ୍ ପକାଇ ରାସ୍ତା ଅବରୋଧ କରୁଛି ଓ ପ୍ରତି ଲୋକଙ୍କୁ ପଚାରି ଛାଡ଼ୁଛି। ଶ୍ରୀ ଜେନାଙ୍କୁ କିଭଳି ଅନୁମତି ମିଳିଲା? ଯିଏ ଗାଡ଼ିରେ ହଳଦିଆ ବତୀ ଲଗାଇବ, ତାଙ୍କୁ ଛାଡ଼ିଦିଆଯିବ? ପୁରୀ ପୁଲିସର ଗୁଇନ୍ଦା ସୂଚନା ଏମିତି କାମ କରୁଛି?

କୌତୂହଳ କଥା ହେଉଛି, ଆତଙ୍କବାଦ ଆକ୍ରମଣର ଭୟକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ମକ୍ ଟେଷ୍ଟିଂ ହୁଏ। ସବୁ ସମ୍ବେଦନଶୀଳ ସ୍ଥାନରେ ଏଭଳି କରାଯାଇଥାଏ। ପୁରୀରେ ବିଶ୍ବନିୟନ୍ତା ମହାପ୍ରଭୁଙ୍କ ଶ୍ରୀମନ୍ଦିର ରହିଛି। ସମୁଦ୍ରକୂଳ ପଟୁ ଭୟ ରହିଛି, ସଡ଼କପଥରେ ବି। ଅତୀତରେ ଏ ପ୍ରସଙ୍ଗ ବାରମ୍ବାର ଉଠିଛି। ନିକଟରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଢିଲାପଣ ନେଇ ‘ସମ୍ବାଦ’ରେ ଫଟୋ ସହ ଖବର ପ୍ରକାଶ ପାଇଥିଲା। ତଥାପି କେହି ଚେତିଲେନି। ଏଣୁ ଏହି ଗୋଟିଏ ଘଟଣାରେ ଶ୍ରୀମନ୍ଦିର ସୁରକ୍ଷାର ଢିଲାପଣ ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଗୋଟିଏ ଗାଡ଼ିରେ ହଳିଦିଆ ବତି ଲଗାଇ ଦୁଇଟି ଜିଲ୍ଲା ସୀମା ପାର କରିଗଲେ, ଅଥଚ କେହି ଜାଣିପାରିଲେନି କେମିତି? ପୁଲିସ କିଭଳି ଜବତ ଗାଡ଼ିର ଅପବ୍ୟବହାର କରୁଛି, ଗୁଇନ୍ଦା କିଭଳି ବିଫଳ ହେଲା ଏମିତି ଅନେକ ପ୍ରଶ୍ନ ଶ୍ରୀ ଜେନାଙ୍କ ସହିତ ଯୋଡ଼ି ହୋଇରହିଛି।

ପୁରୀ: ବଡ଼ଚଣା ଥାନା ଅଧିକାରୀଙ୍କୁ ଶ୍ରୀମନ୍ଦିରକୁ ନେଇଯାଇଥିବା ପୂଜାପଣ୍ଡା ସେବାୟତଙ୍କୁ ଏହି କାର୍ଯ୍ୟ ମହଙ୍ଗା ପଡ଼ିଛି। ମଣିକର୍ଣ୍ଣିକା ସାହିର ଶ୍ୟାମା ଓରଫ ଲକ୍ଷ୍ମୀନାରାୟଣ ପୂଜାପଣ୍ଡା ଗତ ୧୯ ତାରିଖ ସନ୍ଧ୍ୟାରେ ବଡ଼ଚଣା ଥାନାଧିକାରୀ ଦୀପକ କୁମାର ଜେନାଙ୍କୁ ଶ୍ରୀମନ୍ଦିର ଦର୍ଶନ କରାଇଥିଲେ। ତେଣୁ ଶ୍ୟାମାଙ୍କୁ ସିଂହଦ୍ବାର ଥାନାରେ ହାଜର ହେବା ପାଇଁ ପୁଲିସ ଗତକାଲି ତାଙ୍କ ଘରେ କହି ଆସିଥିଲା। ଆଜି ପୂର୍ବାହ୍ଣରେ ଶ୍ୟାମା ସିଂହଦ୍ବାର ଥାନାରେ ହାଜର ହୋଇଥିଲେ। ଏହାପ‌ରେ ତାଙ୍କୁ ୪୧ (କ) ସିଆର୍‌ପିସିରେ ନୋଟିସ୍‌ ଦେଇ ପୁଲିସ ଛାଡ଼ି ଦେଇଥିଲା। ପୁଲିସ ତାଙ୍କ ବିରୋଧରେ ସିଂହଦ୍ବାର ଥାନାରେ ୪୦/୨୦ ନମ୍ବରରେ ଏକ ମାମଲା ରୁଜୁ କରିଥିଲା। ପୁଲିସକୁ ତଦନ୍ତରେ ସହଯୋଗ କରିବା ପାଇଁ ତାଙ୍କୁ ନୋଟିସ୍‌ କରାଯାଇଛି। ଯେ କୌଣସି ମୁହୂର୍ତ୍ତରେ ପୁଲିସ ଡାକିଲେ ଥାନାରେ ହାଜର ହେବା ପାଇଁ ତାଙ୍କୁ କୁହାଯାଇଛି। ଯଦି ପୁଲିସର ନିର୍ଦ୍ଦେଶକୁ ବେଖାତିର କରିବେ ତେବେ ପୁଲିସ ତାଙ୍କୁ ଗିରଫ କରିବା ପାଇଁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି।

ସେହିପରି ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ନୋଟିସ୍‌ ହୋଇଛି। କରୋନା ପାଇଁ ଶ୍ରୀମନ୍ଦିର ପ୍ରବେଶରେ କଟକଣା ରହିଥିବା ବେଳେ କେଉଁ ଅଧିକାରରେ ବଡ଼ଚଣା ଥାନାଧିକାରୀଙ୍କୁ ସେ ପ୍ରବେଶ କରାଇଥିଲେ ବୋଲି ସମ୍ପୃକ୍ତ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ହୋଇଛି। ଆସନ୍ତା ସାତ ଦିନ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି। ସାତ ଦିନ ମଧ୍ୟରେ ଯଦି ଲକ୍ଷ୍ମୀନାରାୟଣ କୌଣସି ସନ୍ତୋଷଜନକ ଉତ୍ତର ନ ଦିଅନ୍ତି, ତେବେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖବର ମିଳିଛି। କରୋନା ପାଇଁ ଲକ୍‌ଡାଉନ୍‌ କଟକଣା ରହିଥିବା ବେଳେ ଶ୍ରୀମନ୍ଦିରକୁ ସର୍ବସାଧାରଣଙ୍କର ପ୍ରବେଶ ନିଷେଧ ରହିଥିଲା। କେବଳ ପାଳିଆ ସେବାୟତଙ୍କ ବ୍ୟତୀତ ଅନ୍ୟ କୌଣସି ସେବାୟତ/ସେବକ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଥିଲା। ମାତ୍ର ପୁଲିସ ଆପୋଷ ବୁଝାମଣାରେ ସମସ୍ତ ସେବାୟତଙ୍କୁ ଶ୍ରୀମନ୍ଦିରକୁ ଛାଡ଼ିବା ସହିତ ସେବାୟତଙ୍କ ପରିବାରର ମହିଳାମାନଙ୍କୁ ମଧ୍ୟ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଛଡ଼ାଯାଉଥିଲା। କିନ୍ତୁ ସର୍ବସାଧାରଣଙ୍କୁ ଶ୍ରୀମନ୍ଦିରକୁ ଛଡ଼ାଯାଉନଥିଲା। ଏବେ ବଡ଼ଚଣା ଥାନାଧିକାରୀ ଶ୍ରୀ ଜେନା ଧରାପଡ଼ିବା ପରେ ପୁଲିସ ଶ୍ରୀମନ୍ଦିରରେ କଟକଣା କଡ଼ାକଡ଼ି କରିଦେଇଛି। ଗତକାଲିଠାରୁ ପାଳିଆ ସେବାୟତଙ୍କ ବ୍ୟତୀତ ଅନ୍ୟ କାହାରିକୁ ଶ୍ରୀମନ୍ଦିରକୁ ଦର୍ଶନ ନି‌ମନ୍ତେ ଛଡ଼ା ଯାଉନାହିଁ। ଏପରିକି ସେବାୟତଙ୍କ ପରିବାର ମହିଳାମାନଙ୍କୁ ମଧ୍ୟ ଦର୍ଶନ ପାଇଁ ଛଡ଼ାଯାଉନାହିଁ। ଏ ନେଇ ସେବାୟତ ପରିବାରର ମହିଳାମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତ ୧୯ ତାରିଖ ସନ୍ଧ୍ୟା ସାଢ଼େ ସାତଟା ସମୟ‌ରେ ବଡ଼ଚଣା ଥାନା‌ରେ ଜବତ ହୋଇଥିବା ଏକ ସ୍କର୍ପିଓ ଗାଡ଼ିରେ ହଳଦିଆ ବତି ଲଗାଇ ଥାନାଧିକାରୀ ଦୀପକ କୁମାର ଜେନା ସପରିବାରେ ପୁରୀକୁ ଆସିଥିଲେ। ଏଠାରେ ସେ ଟ୍ରାଫିକ୍‌ କଟକଣାକୁ ଭେଦ କରି ଗାଡ଼ିଟିକୁ ଦକ୍ଷିଣ ଦ୍ବାରକୁ ନେଇଯାଇଥିଲେ। ଏଠାରେ ତାଙ୍କୁ ଶ୍ୟାମା ପୂଜାପଣ୍ଡା ଜୋର ଜବରଦସ୍ତ ଦକ୍ଷିଣ ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ନେଇଯାଇଥିଲେ। ଏଠାରେ ସୁରକ୍ଷା କର୍ମୀମାନେ ବିରୋଧ କରିବା ସତ୍ତ୍ବେ ସେମାନେ ଠେଲାପେଲା କରି ଶ୍ରୀମନ୍ଦିରକୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ। ଏହି ଖବର ପାଇ ସିଂହଦ୍ବାର ଥାନା ପୁଲିସ ବଡ଼ଚଣା ଥାନାଧିକାରୀ ଓ ତାଙ୍କ ପରିବାରକୁ ଧରିଆଣି ରାତାରାତି ନୋଟିସ୍‌ ଦେଇ ଛାଡ଼ି ଦେଇଥିଲା। ପରେ ଶ୍ରୀମନ୍ଦିରରେ ବେଆଇନ ଭାବେ ପ୍ରବେଶ କରିଥିବା ବଡ଼ଚଣା ଥାନାଧିକାରୀଙ୍କ ବିରୋଧରେ ସିଂହ ଦ୍ବାର ଥାନାରେ ୪୦/୨୦ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି। ତେବେ ଏହି ତଦନ୍ତ ଦାୟିତ୍ବ ଏସ୍ଆଇ ବାସନ୍ତୀ ମିଶ୍ରଙ୍କୁ ଦିଆଯିବା ସାଧାରଣରେ ବିସ୍ମୟ ସୃଷ୍ଟି ହୋଇଛି। ଏହି ମାମଲାଟି ଜଣେ ଇନ୍‌ସ୍ପେକ୍ଟରଙ୍କ ବିରୋଧରେ ହୋଇଥିବାରୁ ଏହାର ତଦନ୍ତ ଦାୟିତ୍ବ ଜଣେ ଡିଏସ୍‌ପି ରୢାଙ୍କ୍‌ର ଅଫିସରଙ୍କୁ ଦେବାକୁ ଦାବି ହୋଇଛି।

ଯାଜପୁର ପୁଲିସ ରୁଜୁ କଲା ମାମଲା
ଯାଜପୁର: କରୋନା ପାଇଁ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଜବତ ଗାଡ଼ିରେ ହଳଦିଆବତି ଲଗାଇ ଶ୍ରୀମନ୍ଦିରରେ ପ୍ରବେଶ କରି ନିଲମ୍ବିତ ହୋଇଥିବା ବଡ଼ଚଣା ଥାନାଧିକାରୀ ଦୀପକ ଜେନାଙ୍କ ନାମରେ ବଡ଼ଚଣା ଥାନାରେ ଏକ ମାମଲା ରୁଜୁ ହୋଇଛି। ଏସ୍‌ପି ଚରଣସିଂ ମିନାଙ୍କ ନିର୍ଦ୍ଦେଶରେ ନିଲମ୍ବିତ ଇନ୍‌ସପେକ୍ଟର ଶ୍ରୀ ଜେନାଙ୍କ ନାମରେ କେସ ନମ୍ବର ୮୭/୨୦ରେ ଦଫା ୧୬୬,୧୬୬(କ) ଓ ୧୭୧ରେ ମାମଲା ରୁଜୁ ହୋଇଛି। ଜଣେ ସରକାରୀ କର୍ମଚାରୀ ହୋଇ ଜାଣିଶୁଣି ଆଇନ ଉଲ୍ଲଂଘନ କରିବା ଓ ଘରୋଇ ଗାଡ଼ିରେ ବେଆଇନ୍ ଭାବେ ହଳଦିଆବତି ଲଗାଇବା ହୀନ ମାନସିକତାର ପରିଚୟ ଦେଉଛି ବୋଲି ଦର୍ଶାଇଯାଇଛି। ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଜବତ ଗାଡ଼ିକୁ ନେଇ ରୋଚକ ତଥ୍ୟ ଲୋକଲୋଚନକୁ ଆସିବାର ଲାଗିଛି।

ସମ୍ବନ୍ଧିତ ଖବର