୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବରିଷ୍ଠ କିରାଣି

କେନ୍ଦୁଝର/ଚମ୍ପୁଆ : ପ୍ରାଣୀ ଚିକିତ୍ସକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣି ମହେନ୍ଦ୍ର କୁମାର ସେଠୀ।

ପ୍ରାପ୍ତ ସୂଚନା ଅନୁସାରେ, ଯୋଡ଼ା ବ୍ଲକ୍‌ ପ୍ରାଣୀ ଚିକିତ୍ସକ ଡାକ୍ତର ସୁବାଶିଷ ମହାପାତ୍ର ୨୦୨୨ ଜାନୁଆରି ୧୭ରୁ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଇଏଲ ବା ଅର୍ଜିତ ଛୁଟିରେ ଥିଲେ। ଏହି ୭୩ ଦିନର ଛୁଟି ମଞ୍ଜୁର ନିମନ୍ତେ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ଫାଇଲ ପଠାଇବା ପାଇଁ ୨୦୨୨ ଏପ୍ରିଲରୁ ସେ ବାରମ୍ବାର ଅନୁରୋଧ କରିଆସୁଥିଲେ। ୧୦ ହଜାର ଟଙ୍କା ଲାଞ୍ଚ ଦେଲେ ଫାଇଲ୍‌ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ପାଖକୁ ପଠାଇବେ ବୋଲି ବରିଷ୍ଠ କିରାଣି ମହେନ୍ଦ୍ର କୁମାର ସେଠୀ କହିଥିଲେ। ଏନେଇ ଡାକ୍ତର ମହାପାତ୍ର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ପ୍ରସ୍ତୁତି ଅନୁସାରେ ଆଜି ଦିନ ୧୧ଟା ସମୟରେ ଚମ୍ପୁଆ ଏସ୍‌ଡିଭିଓଙ୍କ କାର୍ଯ୍ୟାଳୟରେ କିରାଣି ଶ୍ରୀ ସେଠୀ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ମାଡ଼ି ବସିଥିଲେ।

ଭିଜିଲାନ୍ସ ଟିମ୍‌ ସେ ରହୁଥିବା ଚମ୍ପୁଆସ୍ଥିତ କାର୍ଯ୍ୟାଳୟ ପରିସରରେ ଥିବା ରେଷ୍ଟସେଡ୍‌ ଏବଂ ଯାଜପୁରଟାଉନ ନିକଟ ମୋଟରାଙ୍ଗପାଳରେ ଥିବା ତାଙ୍କ ବାସଭବନରେ ଚଢ଼ଉ କରିଛନ୍ତି। ଭିଜିଲାନ୍ସ ପକ୍ଷରୁ କେସ୍‌ ନମ୍ବର ୨/୨୦୨୩ରେ ଏକ ମାମଲା ରୁଜୁ ହୋଇଛି। ଏହି ଚଢ଼ଉରେ ବାଲେଶ୍ୱର ଭିଜିଲାନ୍ସ ଡିଏସ୍‌ପି ହରେକୃଷ୍ଣ ମାଝୀ, ଇନ୍‌ସପେକ୍ଟର ଦୈତାରୀ ଘଡ଼େଇ, ଇନ୍‌ସପେକ୍ଟର ହେମାମାଳିନୀ ନାଏକ, କର୍ମଚାରୀ ଧ୍ରୁବେନ୍ଦ୍ର ପାତ୍ର, ସର୍ବେଶ୍ୱର ସାହୁ, ମଳୟ କୁମାର ବାରିକ, ଉପେନ୍ଦ୍ର ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ। ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର