ବରିଷ୍ଠ ପୁଲିସ୍‌ ଅଧିକାରୀ ସମ୍ମିଳନୀ ଉଦ୍‌ଘାଟିତ: ଆଇନ୍‌ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣକୁ ଗୁରୁତ୍ବ ଦିଅ: ଡିଜି

କଟକ ଡିସିପି, କେନ୍ଦୁଝର ଓ ଅନୁଗୁଳ ଏସ୍‌ପିଙ୍କୁ ପ୍ରଶଂସା, ୩୪ କିଲୋ ବ୍ରାଉନ୍‌ସୁଗାର ଜବତ କରି ନୂଆ କୀର୍ତ୍ତିମାନ

କଟକ: ୬୨ତମ ବରିଷ୍ଠ ପୁଲିସ୍‌ ଅଧିକାରୀ ସମ୍ମିଳନୀ ଭର୍ଚୁଆଲ୍‌ ପ୍ଲାଟଫର୍ମରେ ଉଦ୍‌ଘାଟିତ ହୋଇଛି। ପୁଲିସ୍‌ ଡିଜି ଅଭୟ ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି। ରାଜ୍ୟର ଆଇନ୍‌ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣକୁ ସେ ଗୁରୁତ୍ବାରୋପ କରିଛନ୍ତି। ଏହି ସମ୍ମିଳନୀରେ ଶହେରୁ ଅଧିକ ବରିଷ୍ଠ ପୁଲିସ୍‌ ଅଧିକାରୀ ଯୋଗ ଦେଇଛନ୍ତି। ଡିଜି ଶ୍ରୀ ଅଭୟ ନିଜର ଉଦ୍‌ଘାଟନୀ ଅଭିଭାଷଣରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି, ପୁଲିସ୍‌ ଲିଡରସିପ୍‌, ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ବାରୋପ କରିଛନ୍ତି। ପୁଲିସ୍‌ ଲିଡରସିପ୍‌ର ନିୟମିତ ସମୀକ୍ଷା କରାଯିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି। ଏଥିସହିତ ମହିଳା ଓ ଶିଶୁ ପୀଡ଼ିତାମାନଙ୍କ ପ୍ରତି ଅଗ୍ରାଧିକାର ଦେବାକୁ ସେ ପରାମର୍ଶ ଦେଇଛନ୍ତି। ପେସାଦାର ଭାବେ ଅପରାଧର ତଦନ୍ତ, ଉତ୍ତରଦାୟିତ୍ବ, ସାମାଜିକ ଗଣମାଧ୍ୟମରେ ସୂଚନା ମିଳୁଥିବା ଘଟଣା ଉପରେ ତ୍ବରିତ ପଦକ୍ଷେପ, ଗଠନମୂଳକ ସାଇବର ଅପରାଧ ତଦନ୍ତ, ନୂତନ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ, ଅଧସ୍ତନ କର୍ମଚାରୀ ଓ ଜନସାଧାରଣଙ୍କ ପ୍ରତି ସୌଜନ୍ୟତା ପ୍ରଦର୍ଶନ କରିବା ଏବ˚ ପୁଲିସ୍‌ ମଙ୍ଗଳ କାର୍ଯ୍ୟ କରାଯିବାକୁ ସେ ପରାମର୍ଶ ଦେଇଛନ୍ତି।

ଉଦ୍‌ଘାଟନ ଦିବସରେ ମାଓ ଗତିବିଧି ଓ କାର୍ଯ୍ୟକଳାପ ଉପରେ ଆଲୋଚନା କରାଯାଇଥିଲା। ଏଥିରେ ଗୁଇନ୍ଦା ନିର୍ଦ୍ଦେଶକଙ୍କ ସହ ଆଇଜି (ଅପରେସନ୍‌), ଡିଆଇଜି ଏସ୍‌ଆଇଡବ୍ଲୁ, ମାଲକାନଗରି, କନ୍ଧମାଳ, କଳାହାଣ୍ତି ଜିଲ୍ଲାର ଏସ୍‌ପିମାନେ ଆଲୋଚନାରେ ସାମିଲ ହୋଇ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ରଣନୀତି ପ୍ରସ୍ତୁତ କରାଯାଇଥିଲା। ୨୦୨୦ ମସିହାରେ ୧୭ଜଣ ମାଓ ନେତାଙ୍କର ମୃତ୍ୟୁ ହୋଇଥିଲାବେଳେ ୩୪ ଜଣ ଗିରଫ ଓ ୨୧ଜଣ ଆତ୍ମସମର୍ପଣ କରିଥିବା ସୂଚନା ଦିଆଯାଇଥିଲା। ଅନ୍ୟପକ୍ଷରେ ହନ୍ତାଳଗୁଡ଼, ଯୋଡ଼ମ୍ବୋ, ଗୁରୁସେତୁରେ ତିନୋଟି କମ୍ପାନି ଅପରେଟି˚ ବେସ୍‌ (ସିଓବି) ନିର୍ମାଣ କରାଯିବା ଏବ˚ ଯୋଡ଼ମ୍ବୋଠାରେ ନୂଆ ଥାନା ଖୋଲାଯିବାରୁ ସ୍ବାଭିମାନ ଅଞ୍ଚଳର ୮୦ ପ୍ରତିଶତ ସ୍ଥାନ ଏବେ ପୁଲିସ୍‌ କବ୍‌ଜାକୁ ଆସିଥିବା ସୂଚନା ଦିଆଯାଇଛି। ମୋଟାମୋଟି ଆଇନ୍‌ଶୃଙ୍ଖଳା ସ୍ଥିତି ସ˚ପର୍କରେ ଅତିରିକ୍ତ ଡିଜି ଓ ଗୁଇନ୍ଦା ନିର୍ଦ୍ଦେଶକ ବିବରଣୀ ଦେଇଥିଲେ। ରାଜ୍ୟର ଅପରାଧର ସ୍ଥିତି ସ˚କ୍ରାନ୍ତରେ କ୍ରାଇମ୍‌ବ୍ରାଞ୍ଚର ଏଡିଜି ବିସ୍ତୃତ ସୂଚନା ପ୍ରଦାନ କରିବା ସହ କଟକ ଡିସିପିଙ୍କ ଦ୍ବାରା ନକଲି ଖାଦ୍ୟ ସାମଗ୍ରୀ ଜବତ ହେବା ଏବ˚ କୋଇଲା ଓ ଖଣି ଅଞ୍ଚଳରେ ବେଆଇନ୍‌ କାରବାର ସ˚କ୍ରାନ୍ତରେ କେନ୍ଦୁଝର ଓ ଅନୁଗୁଳ ଏସ୍‌ପିଙ୍କ ପଦକ୍ଷେପକୁ ସମ୍ମିଳନୀରେ ପ୍ରଶ˚ସା କରାଯାଇଥିଲା। ଏହାପରେ ଗୁଣାତ୍ମକ ତଦନ୍ତରେ ଆସୁଥିବା ଆହ୍ବାନ ଓ ୫-ଟି ପ୍ରୟୋଗ ଉପରେ ସ୍ବତନ୍ତ୍ର ଅଧିବେଶନ କରାଯାଇଥିଲାବେଳେ ଏଥିରେ ଆଇଆଇଏଫ୍‌ଏଲ୍‌ ଡକାୟତି ଘଟଣା ବିଷୟରେ କଟକ ଡିସିପି, ଗହଣା ଚୋରି ଘଟଣା ଉପରେ ଗଞ୍ଜାମ ଏସ୍‌ପି, ଆଇପିଏଲ୍‌ ବେଟି˚ ମାମଲା ଉପରେ ବ୍ରହ୍ମପୁର ଏସ୍‌ପି, ବ୍ୟାଙ୍କ ଡକାୟତି ସ˚କ୍ରାନ୍ତରେ ଭୁବନେଶ୍ବର ଡିସିପି ବିବରଣୀ ପ୍ରଦାନ କରିଥିଲେ।

ସଡ଼କ ସୁରକ୍ଷା ଉପରେ ହୋଇଥିବା ଅଧିବେଶନରେ ପରିବହନ ଆୟୁକ୍ତ ଓ କ୍ରାଇମ୍‌ବ୍ରାଞ୍ଚ ଆଇଜି ସେମାନଙ୍କ ବକ୍ତବ୍ୟ ରଖିଥିଲେ। ଏଥିସହିତ ସଡ଼କ ସୁରକ୍ଷା ଦିଗରେ ଆସୁଥିବା ଆହ୍ବାନ ସ˚କ୍ରାନ୍ତରେ ସୁନ୍ଦରଗଡ଼ ଏସ୍‌ପି ବିଭିନ୍ନ ମତ ଉପସ୍ଥାପନ କରିଥିଲେ। ଡ୍ରଗ୍ସ କାରବାର ସ˚କ୍ରାନ୍ତରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଡିଆଇଜି ବିସ୍ତୃତ ସୂଚନା ଦେବା ସହ ୨୦୨୦ରେ ଯେତିକି ମାତ୍ରାରେ ବ୍ରାଉନ୍‌ସୁଗାର ଜବତ ହୋଇଛି ସେ ସମ୍ପର୍କରେ ଅବଗତ କରାଇଥିଲେ। ସେହିପରି ଗଞ୍ଜେଇ ଓ ନାର୍କୋଟିକ୍‌ ମାମଲାଗୁଡ଼ିକରେ ଅର୍ଥନୈତିକ ଦିଗ ଉପରେ ହେଉଥିବା ତଦନ୍ତ ସ˚କ୍ରାନ୍ତରେ କେରାପୁଟ ଓ ନବରଙ୍ଗପୁର ଏସ୍‌ପି ବକ୍ତବ୍ୟ ରଖିଥିଲେ। ଚଳିତବର୍ଷ ୧୨୦୦ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲାବେଳେ ୧୮ହଜାର ଏକରରୁ ଅଧିକ ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ଅନ୍ୟପକ୍ଷରେ ୩୪ କିଲୋଗ୍ରାମ ବ୍ରାଉନ୍‌ସୁଗାର ଜବତ କରି ଓଡ଼ିଶା ପୁଲିସ୍‌ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିବା ସୂଚନା ଦିଆଯାଇଛି। ଆସନ୍ତା ୩୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବରିଷ୍ଠ ପୁଲିସ୍‌ ଅଧିକାରୀ ସମ୍ମିଳନୀ ଉଦ୍‌ଯାପିତ ହେବ।

ସମ୍ବନ୍ଧିତ ଖବର