ପୁରୀ : ରଥଯାତ୍ରାରେ ବିଭିନ୍ନ ନୀତିକାନ୍ତିରେ ମଠମାନଙ୍କର ଭୂମିକା ରହିଛି। ରାଘବ ଦାସ ମଠ ପକ୍ଷରୁ ଅଧିକାଂଶ ନୀତିକାନ୍ତି ସମ୍ପାଦିତ ହେବାର ପରମ୍ପରା ରହିଛି। ଭାସ୍କର ମିଶ୍ରଙ୍କ ରଚିତ ଶ୍ରୀଗୁଣ୍ଡିଚା ଯାତ୍ରା ପୁସ୍ତକ ମୁତାବକ, ରାଘବଦାସ ମଠ ପକ୍ଷରୁ ଅଣସର ପିଣ୍ଡି ନିମନ୍ତେ ଏକ କାଠର କନକମୁଣ୍ଡି ଓ ପ୍ରଭା ମଠ ତରଫରୁ ଯୋଗାଇ ଦିଆଯାଏ। ଅଣସର ବିଧି ସମୟରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ପଣା ଓ ଚକଟା ଭୋଗ ସମେତ ଖଞ୍ଜା ମୁତାବକ ସାତ ସେର ରାଶି ତେଲ ଯୋଗାଇ ଦିଆଯାଏ। ଖଳିଲାଗି ଏକାଦଶୀ ଦିନ ଶ୍ରୀବିଗ୍ରହଙ୍କ ସର୍ବାଙ୍ଗ ଲାଗି ୭ କେଜି ଚନ୍ଦନକାଠ, କର୍ପୂର, କେଶର ଓ ଭିତର ପନ୍ତି ଭୋଗ ମଠ ତରଫରୁ ଯୋଗାଇ ଦିଆଯାଏ।
ଏହାବ୍ୟତୀତ ଠାକୁରମାନଙ୍କ ପାଇଁ ତନ୍ତ ବୁଣା ଲୁଗା ଶ୍ରୀମନ୍ଦିର ଗାରଦରେ ମଠ ତରଫରୁ ଦିଆଯାଏ। ନବଯୌବନ ଦର୍ଶନ ଦିନ ଅଣସର ତାଟି ଖୋଳିବା ପରେ ମଠର କର୍ମଚାରୀମାନେ ଏହି ତାଟିକୁ ପ୍ରାପ୍ୟ ସ୍ବରୂପ ମଠକୁ ଆଣିଥାଆନ୍ତି। ଶ୍ରୀଗୁଣ୍ଡିଚା ପୂର୍ବଦିନ ମଠ ତରଫରୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ପହଣ୍ଡିରେ ଆବଶ୍ୟକ ଦୁଇଟି ବିଜେ ତୁଳୀ ଦିଆଯାଏ। ସେନାପଟା ଲାଗି ନୀତି ପାଇଁ ମଠ ଶୁକ୍ଳ ସଜ ଯୋଗାଇଥାଏ। ରଥଯାତ୍ରା ଦିନ ମହାପ୍ରଭୁ ରଥକୁ ବିଜେ କରିବା ବେଳେ ଶ୍ରୀମନ୍ଦିରର ସାତ ପାହାଚଠାରେ ଶ୍ରୀବିଗ୍ରହଙ୍କ ଶ୍ରୀମସ୍ତକରେ ଶୋଭା ପାଉଥିବା ‘ଟାହିଆ’ ରାଘବ ଦାସ ମଠ ଯୋଗାଇ ଦିଅନ୍ତି।
ଅତୀତରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବା କୂଅ ସଫେଇ କାର୍ଯ୍ୟ ରାଘବଦାସ ମଠ ତରଫରୁ କରାଯାଉଥିଲା। ଶ୍ରୀବିଗ୍ରହମାନେ ରଥ ଉପରୁ ଗୁଣ୍ଡିଚା ମନ୍ଦିରର ସିଂହାସନକୁ ବିଜେ କରିବା ସମୟରେ ମଠ ତରଫରୁ ଟାହିଆ ଓ ପନ୍ତି ଭୋଗ କରାଯାଏ। ଗୁଣ୍ଡିଚା ଘର ପକ୍ଷରୁ ହେଉଥିବା ପନ୍ତି ଭୋଗରେ ପିଠା ଏହି ମଠର ଖଞ୍ଜା। ଗୁଣ୍ଡିଚା ମନ୍ଦିର ମଧ୍ୟରେ ଥିବା କୋଠଭୋଗ ରୋଷ ଚୁଲିରେ ପିଠା ତିଆରି ହେବା ପରମ୍ପରା କେବଳ ରାଘବ ଦାସ ମଠର ରହିଛି। ବାହୁଡ଼ା ଯାତ୍ରା ଦିନ ସକାଳୁ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଏହି ମଠ ପକ୍ଷରୁ ଖେଚେଡ଼ି ଭୋଗ ଯୋଗାଇ ଦିଆଯାଏ। ଏହାବ୍ୟତୀତ ୪ଟି ବାହୁଡ଼ା ପନ୍ତି ଭୋଗ ମଧ୍ୟ ମଠ ତରଫରୁ ହୋଇଥାଏ। ରଥ ଉପରେ ଏକାଦଶୀ ଦିନ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଅବକାଶରେ ମଠ ପକ୍ଷରୁ ପୁରୀ, ସୋଲା, ମହନଭୋଗ ଆଦି ଭୋଗ କରାଯାଇଥାଏ। ଦ୍ବାଦଶୀ ଦିନ ଠାକୁରମାନଙ୍କ ଉଦ୍ଦେଶ୍ୟରେ ମଠ ତରଫରୁ ତିନି ରଥରେ ତିନି ହାଣ୍ଡି ଅଧରପଣା ଭୋଗ କରାଯାଇଥାଏ। ତ୍ରୟୋଦଶୀ ଦିନ ଶ୍ରୀବିଗ୍ରହମାନଙ୍କ ନୀଳାଦ୍ରି ବିଜେ ପହଣ୍ଡି ସମୟରେ ମଠରୁ ଟାହିଆ ଯୋଗାଇ ଦିଆଯାଏ। ଜଗମୋହନରେ ଲକ୍ଷ୍ମୀ ନାରାୟଣ ଗଇଁଠାଳ ଫିଟିବା ସମୟରେ ଭିତରେ ମଠ ପକ୍ଷରୁ ରସଗୋଲା ଭୋଗ କରାଯାଇଥାଏ।
ପହଣ୍ଡି ବେଳେ ଗୋବର୍ଦ୍ଧନ ମଠ କରେ ପନ୍ତିଭୋଗ
ରଥଯାତ୍ରା ଦିନ ଶ୍ରୀମନ୍ଦିର ବାଇଶି ପାହାଚ ସଂଲଗ୍ନ କାଶୀ ବିଶ୍ବନାଥ ମନ୍ଦିର ନିକଟସ୍ଥ ମଠର ସରଘରଠାରେ ଗୋବର୍ଦ୍ଧନ ମଠ ପକ୍ଷରୁ ଶ୍ରୀବିଗ୍ରହମାନେ ପହଣ୍ଡି ହୋଇ ଆସିବା ସମୟରେ ପନ୍ତି ଭୋଗ କରାଯାଏ। ଗୁଣ୍ଡିଚା ମନ୍ଦିର ଓ ବାହୁଡ଼ା ପହଣ୍ଡି ବିଜେ ସମୟରେ ମଧ୍ୟ ପନ୍ତି ଭୋଗ କରାଯାଇଥାଏ। ରଥଯାତ୍ରା ଦିନ ଶ୍ରୀବିଗ୍ରହମାନେ ରଥାରୂଢ଼ ହେବା ପରେ ମଠାଧୀଶ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ପରମ୍ପରା ମୁତାବକ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିଥାଆନ୍ତି।
ଜଟିଆ ବାବାଜୀ ମଠ ଦିଏ ବିଜେ ଡୋରି
ରଥଯାତ୍ରା ସମୟରେ ଜଟିଆ ବାବାଜି ମଠର ମଧ୍ୟ ସେବା ରହିଛି। ବାରାଣାସୀସ୍ଥିତ ଶ୍ରୀବିଜୟକୃଷ୍ଣ ମଠର ସଭାପତିଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ତରଫରୁ ପହଣ୍ଡି ନୀତି ପାଇଁ ୪ଟି ବିଜେ ଡୋରି ଯୋଗାଇବାକୁ ପତ୍ର ଲେଖା ଯାଇଥାଏ। ଶ୍ରୀବିଜୟକୃଷ୍ଣ ମଠ ପକ୍ଷରୁ ପୁରୀର ନରେନ୍ଦ୍ର କୋଣ ନିକଟସ୍ଥ ଜଟିଆ ବାବାଜୀ ମଠ ଜରିଆରେ ୨ଟି ବିଜେ ଡୋରି ରଥଯାତ୍ରା ପୂର୍ବରୁ ଯୋଗାଇବାର ବିଧି ରହିଛି।