କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରବାସୀଙ୍କ ଜୀବନରେଖା କୁହାଯାଉଥିବା ଗୋବରୀ ନଦୀ ଏବେ ବିପଦରେ। ଅଧା ସହରର ନର୍ଦ୍ଦମା ପାଣି ନଦୀରେ ମିଶୁଛି। ଅଳିଆ ଆବର୍ଜନାରେ ନଦୀଶଯ୍ୟା ପୋତି ହେଉଛି। ବର୍ଷ ବର୍ଷ ଧରି ଗୋବରୀ ଉପରେ ଏଭଳି ଅତ୍ୟାଚାର ଚାଲିଛି। ନା’ ପ୍ରଦୂଷଣ ବିଭାଗ ଆପତ୍ତି ଉଠାଉଛି ନା’ ପୌରପାଳିକା ନଦୀରେ ନର୍ଦ୍ଦମା ଜଳ ମିଶାଇବା ବନ୍ଦ କରୁଛି। ଏଭଳି କରି ଗୋବରୀକୁ ମାରିଦେବା ପାଇଁ ଷଡ଼ଯନ୍ତ୍ର ହୋଇଛି।

Advertisment

ଅତୀତରେ କେନ୍ଦ୍ରାପଡ଼ା ପୌରପାଳିକାକୁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ଖୁବ୍‌ ବର୍ଷିଥିଲେ। ଗୋବରୀକୁ ଡ୍ରେନ୍‌ ପାଣି ଛାଡ଼ିବା ଆଉ ବର୍ଜ୍ୟବସ୍ତୁ ପକାଇବା ମାମଲାରେ ପ୍ରତି ମାସରେ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା ଦେବାକୁ ପୌରପାଳିକାକୁ ନିର୍ଦେଶ ହୋଇଥିଲା। ଏନ୍‌ଜିଟିଙ୍କ ଏହି ରାୟ ସେହି ସମୟରେ ହଟଚମଟ ସୃଷ୍ଟି କରିଥିଲା। ଖୋଦ୍‌ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପୃଥକ୍‌ ଦୁଇଟି ସତ୍ୟପାଠରେ ମାନିଥିଲେ ଯେ ସହରର ପାଞ୍ଚଟି ସ୍ଥାନରେ ନର୍ଦ୍ଦମା ପାଣି ଗୋବରୀରେ ମିଶୁଛି। ଏହାପରେ ବି ସୁଧୁରିଲାନି ପୌରପାଳିକା। ଅଙ୍କୁଶ ଲାଗିବା ପରିବର୍ତ୍ତେ ଦିନକୁ ଦିନ ଗୋବରୀ ପ୍ରତି ଅବହେଳା ଓ ଅତ୍ୟାଚାର ବଢ଼ିବାରେ ଲାଗିଛି। ମହିପାଳ, ନୂଆ ବସଷ୍ଟାଣ୍ତ୍‌, ବାଲାବାବା ମଠ, ପୁରୁଣା ଈଦ୍‌ଘା, ରଣପଡ଼ା ଆଦି ଏକାଧିକ ସ୍ଥାନରେ ଡ୍ରେନ୍‌ ପାଣି ସିଧା ଗୋବରୀରେ ମିଶୁଥିବା ଦେଖିବାକୁ ମିଳୁଛି। ଏପରିକି ପୌରପାଳିକାର ଡମ୍ପି˚ୟାର୍ଡ ଥିବା ହଜାରୀ ବଗିଚାଠୁ ନେଇ ଗୋବରୀ ବାଇପାସ୍‌ ରାସ୍ତା ନଦୀକୂଳରେ କୁଢ଼କୁଢ଼ ଅଳିଆ ଆବର୍ଜନା ଖୁଲମଖୁଲା ଫିଙ୍ଗା ଚାଲିଛି। ନଦୀଶଯ୍ୟାକୁ ଏକପ୍ରକାର ଅସ୍ଥାୟୀ ଡମ୍ପି˚ୟାର୍ଡରେ ପରିଣତ କରିଦେଇଛନ୍ତି।

କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଲକ୍ଷାଧିକ ଚାଷୀ ଗୋବରୀ ଉପରେ ନିର୍ଭରଶୀଳ। ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ୨୦୧୯-୨୦ରେ ଏହାର ପୁରରୁଦ୍ଧାର ପାଇଁ ଯୋଜନା ହେଲା। ଡ୍ରେନେଜ୍‌ ବିଭାଗ ପକ୍ଷରୁ ଏଥିପାଇଁ ୬କୋଟି ୮୬ ଲକ୍ଷରୁ ଅଧିକ ଟଙ୍କା ବ୍ୟୟବରାଦ ହେଲା ଏବ˚ ଆଳିଜଙ୍ଗାରୁ ତିନିମୁହାଣୀ ଯାଏ ୧୧ କିଲୋମିଟର ନଦୀଶଯ୍ୟା ଖୋଳାଯିବା ସହିତ ବନ୍ଧ ବୁଲାଣି ସ୍ଥାନ ଓ ଗାଧୁଆ ତୁଠ ପଥର ପ୍ୟାକି˚ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଲା। ୪ କୋଟି ଟଙ୍କା ମାଟି ଖୋଳାରେ ଏବ˚ ଅବଶିଷ୍ଟ ଅର୍ଥ ପଥର ପ୍ୟାକି˚ ଓ ଗାଧୁଆ ତୁଠ ନିର୍ମାଣରେ ଖର୍ଚ୍ଚ ହେବ ବୋଲି ଆକଳନ କରାଗଲା। ମାତ୍ର କାମ ଯୋଜନା ମୁତାବକ ହେଲା ନାହିଁ। ଠିକାଦାର ନଦୀ ମଝି ଛାଡ଼ି ଦୁଇପାର୍ଶ୍ବ ମାଟି ଖୋଳି ର'ଠ'ରେ କାମ ସାରିବାକୁ ଉଦ୍ୟମ କଲେ। ଗୁଲନଗର ସମେତ ଅନେକ ସ୍ଥାନରେ ସ୍ଥାନୀୟ ଲୋକମାନେ କାମ ବନ୍ଦ କରିଦେଲେ। ଗୋବରୀକୁ ମାରିଦେବା ପାଇଁ ହେଉଥିବା ଷଡ଼ଯନ୍ତ୍ରର ଇଏ ଆଉ ଏକ ପ୍ରମାଣ।