ଉପକୂଳରୁ ଲମ୍ବିଛି ଶାମୁକା ଚୋରାଚାଲାଣ ରୢାକେଟ, ବାଲେଶ୍ବରରୁ ନେଇ ପଶ୍ଚିମବଙ୍ଗରେ ମାଲେମାଲ୍‌

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ସମୁଦ୍ର ଉପକୂଳରୁ ଶାମୁକା ଚାଲାଣ ରୢାକେଟ୍‌ ଏବେ ‌ସକ୍ରିୟ ହୋଇ ଉଠିଛନ୍ତି। ବାହାବଳପୁର, ପରିଖି, ବଳରାମଗଡ଼ିରୁ ଆରମ୍ଭ କରି ଚାନ୍ଦିପୁରରୁ ବାହାନଗା ଓ ଗୋପାଳପୁର ପର୍ଯ୍ୟନ୍ତ ଲମ୍ବିଥିବା ସମୁଦ୍ର ଉପକୂଳକୁ ପ୍ରତିଦିନ ଜୁଆରରେ ଭାସି ଆସୁଥିବା ବିଭିନ୍ନ ପ୍ରକାର ସାମୁକାକୁ ଜାଲ ସାହାଯ୍ୟରେ ସଂଗ୍ରହ କରାଯାଉଥିବା ଦେଖାଯାଇଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସମୁଦ୍ର କୂଳକୁ ଜୁଆରରେ ଭାସି ଆସୁଥିବା ଶାମୁକାକୁ ସଂଗ୍ରହ କରିବା ଓ ଚାଲାଣ କରିବା ନିମନ୍ତେ ପଶ୍ଚିମବଙ୍ଗର ଦଲାଲଙ୍କ ଜରିଆରେ ସ୍ଥାନୀୟ ଅଞ୍ଚଳରେ ଏକ ରୢାକେଟ୍‌ କାମ କରୁଥିବା ଜଣାପଡ଼ିଛି। ଏହି ରୢାକେଟ୍‌ ଏଠାକାର କିଛି ମହିଳା ଓ ଶିଶୁମାନଙ୍କୁ ରୋଜଗାରର ଲୋଭ ଦେଖାଇ ଶାମୁକା ସଂଗ୍ରହ କାମରେ ଲଗାଇଛି। ସମୁଦ୍ରରେ ଜୁଆର ଆସିଲେ କୂଳରୁ କିଛି ଦୂରରେ ଜାଲ ସାହାଯ୍ୟରେ ଶାମୁକା ଧରାଯାଉଛି। ଏହାପରେ କୂଳରେ ଗଦା କରି ବସ୍ତାରେ ପ୍ୟାକିଂ କରାଯାଉଛି। ପ୍ରତି ବସ୍ତା ଶାମୁକାକୁ ୪୦ରୁ ୫୦ ଟଙ୍କା ଦରରେ କିଣି ଦଲାଲମାନେ ପଶ୍ଚିମବଙ୍ଗର ଦୀଘା ସମେତ ଖଡ଼ଗପୁରରେ ଥିବା କୁକୁଡ଼ା ଓ ମାଛ ଦାନା ପ୍ରସ୍ତୁତି କାରଖାନା ଏବଂ ଚୂନ ତିଆରି କାରଖାନାକୁ ଅଧିକ ଦରରେ ବିକ୍ରି କରି ମାଲେମାଲ ହେଉଛନ୍ତି। ସମୁଦ୍ର ଉପକୂଳରେ ଅହରହ ଶାମୁକା ସଂଗ୍ରହ ଯୋଗୁଁ ଗେଣ୍ତା, ଫାଳି, କଷି, ଶିପ, ଶଙ୍ଖ ଓ ଶାମୁକା ଭଳି ଅନେକ ପ୍ରଜାତିର ଶାମୁକା ଧୀରେଧୀରେ ହ୍ରାସ ପାଇବାକୁ ଲାଗିଲେଣି। ପ୍ରତି ସପ୍ତାହରେ ପାଖାପାଖି ୬୦ ଟନ୍ ଶାମୁକା ବାହାରକୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି।

ଉଲ୍ଲେଖଯୋଗ୍ୟ, ବାଲେଶ୍ବର ଜିଲ୍ଲାରେ ହଜାର ହଜାର ଲୋକ ମାଛ ଓ କୁକୁଡ଼ା ଚାଷ କରୁଥିବା ବେଳେ ସେମାନଙ୍କୁ ଆବଶ୍ୟକ ଖାଦ୍ୟ ବା ଦାନା ଯୋଗାଇବା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏଠାରେ ଯଦି ସରକାର ତଥା ପ୍ରଶାସନ ପକ୍ଷରୁ ମାଛ ଓ କୁକୁଡ଼ା‌ ଖାଦ୍ୟ ପ୍ରସ୍ତୁତି କାରଖାନା କରାଯିବାର ସୁଯୋଗ ସୃଷ୍ଟି କରାଯାଆନ୍ତି ତାହେଲେ ବାହାର ରାଜ୍ୟକୁ ଏଠାରୁ ଯାଉଥିବା ଶାମୁକା, ଗେଣ୍ଡା ଓ ଫାଳି ଆଦି ଏହିଠାରେ ପ୍ରକ୍ରିୟାକରଣ କରାଯାଆନ୍ତା ଏବଂ ଏଠିକାର ଚାଷୀ ସହଜ ଓ ସୁବିଧାରେ ମତ୍ସ୍ୟ ଓ କୁକୁଡ଼ା ଖାଦ୍ୟ ପାଇବା ସହିତ ଅନେକ ଲୋକ ଏଥିରେ ରୋଜଗାର ପ‌ା‌ଇପାରନ୍ତେ। ଏନେଇ ବାରମ୍ବାର ଅଭିଯୋଗ ହେବା ପରେ କିଛିବର୍ଷ ପୂର୍ବରୁ ବନ ବିଭାଗ ଓ ପୁଲିସ ପକ୍ଷରୁ ସମୁଦ୍ର ଉପକୂଳରେ ଚଢ଼ାଉ କରାଯାଇ ଶାମୁକା ଚୋରା ଚାଲାଣ ଆପାତତଃ କମିଥିଲା। ମାତ୍ର ଏବେ ପୁଣିଥରେ ସେମାନେ ସକ୍ରିୟ ହୋଇଉଠିଛନ୍ତି। ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର