କୋରାପୁଟ: କୋରାପୁଟ କଫିର ଚାହିଦା ବଢ଼ିବାରେ ଲାଗିଛି। ଫଳରେ ଏହି କଫି ବଜାରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। କୋରାପୁଟର ମୃତ୍ତିକା ଓ ଜଳବାୟୁ କଫି ଉତ୍ପାଦନ କରିବାରେ ସହାୟକ ହେଉଥିବାରୁ ପ୍ରଶାସନ ତତ୍ପର ହୋଇ ଉଠିଛି। ଚାରା ଉତ୍ପାଦନଠାରୁ ଆରମ୍ଭ କରି ବଜାରିକରଣ ପର୍ଯ୍ୟନ୍ତ ସବୁ ସ୍ତରରେ ପ୍ରଶାସନ ସହଯୋଗ କରିବାକୁ ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ସ୍ବୟଂ ସହାୟିକା ଗୋଷ୍ଠୀକୁ କଫି ଚାରା ଉତ୍ପାଦନ କରିବାର ସୁଯୋଗ ଦିଆଯିବାକୁ ନିଷ୍ପତ୍ତି ହୋଇଛି।
୫ଟି ପର୍ଯ୍ୟାୟରେ ମୋଟ ୨୦ଟି ଏସଏଚଜି ଗ୍ରୁପଙ୍କୁ ତାଲିମ ପ୍ରଦାନ କରାଯିବ । ଆସନ୍ତା ମାର୍ଚ୍ଚ ମାସରୁ ଜିଲ୍ଲାରେ ଏସଏଚଜି ମହିଳାମାନଙ୍କ ଦ୍ୱାରା କଫିଚାରା ଉତ୍ପାଦନ କାର୍ଯ୍ୟ ୧୩ଟି ସ୍ଥାନରେ ଆରମ୍ଭ କରାଯିବ । ଗୋଟିଏ ନର୍ସରୀ ପାଇଁ ୨ଟି ଏସଏଚଜି ଗ୍ରୁପ କାର୍ଯ୍ୟ କରିବେ । ଗୁରୁବାର ଅନୁଷ୍ଠିତ ତାଲିମ ଶିବିରରେ ଚିକେନପୁଟ ପଞ୍ଚାୟତର ମାଛକୁଣ୍ଡ ଓ କୁଜାମ୍ବର ୨ଟି ଲେଖାଏଁ ଏସଏଚଜି ଗ୍ରୁପଙ୍କୁ ତାଲିମ ଦେବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ସ୍ଥାନୀୟ କଫି ବୋର୍ଡ ଠାରେ ଗୁରୁବାର ଓଡିଶା ଜୀବିକା ମିଶନ,କଫି ଡେଭଲପମେଣ୍ଟ ଟ୍ରଷ୍ଟ, ମିଶନ ଶକ୍ତି ଓ କଫି ବୋର୍ଡର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଦୁଇ ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି।
ଆଗାମୀ ଦିନରେ କୋରାପୁଟ ଜିଲ୍ଲାରେ ୧ହଜାର ହେକ୍ଟର ଜମିରେ କଫିଚାଷ କରାଯିବା ସକାଶେ ଚାରା ଓ ନର୍ସରୀ ପ୍ରସ୍ତୁତି କରିବା ପାଇଁ ସ୍ଥିର କରାଯାଇଛି। ଦୁଇଦିନ ପାଇଁ ୪ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ନେଇ କଫି ଚାଷର ମହତ୍ୱ, କୋରାପୁଟରେ କଫି ଚାଷ, କିପରି ପ୍ରସ୍ତୁତ କରିବେ ନର୍ସରୀ, ଚାରାର ରକ୍ଷଣା ବେକ୍ଷଣ ସହ ପ୍ରସ୍ତୁତି, ଜାଗା ଚିହ୍ନଟ ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜ୍ଞାନ କୌଶଳରେ ସମର୍ଥନ ଓ ଉନ୍ନତ ମାନର ଚାରା କିପରି ପ୍ରସ୍ତୁତ କରାଯିବ ସେ ଉପରେ ତାଲିମ ଦିଆଯାଇଛି।
ତାଲିମ ନେବା ପରେ ଏହି ଏସଏଚଜି ମହିଳାମାନେ ମାଷ୍ଟର ଟ୍ରେନର ଭାବରେ ଅନ୍ୟାନ୍ୟ ଏସଏଚଜି ଗ୍ରୁପ ମହିଳାଙ୍କୁ ତାଲିମ ଦେବେ । ଚାରା ପିଛା ୨ଟଙ୍କା ୩୦ ପଇସା ଦିଆଯିବ ଏବଂ ମହିଳାମାନେ ଚାରା ରୋପଣ କରିବା ପରେ ୧ଟଙ୍କା ୩୦ପଇସା ଲାଭ ପାଇପାରିବେ । କଫି ବୋର୍ଡର ଡେପୁଟି ଡାଇରେକ୍ଟର ଅରୁଣ କୁମାର ସାହୁ ଏବଂ ଏସଏଲଓ ଉପେନ୍ଦ୍ର କୁମାର ଶାହାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ହେମକାନ୍ତ ସୟ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଥାଉକି କୋରାପୁଟ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡର ଶୁଭାରମ୍ଭ ଦିନ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାରେ ଆଗାମୀ ୫ବର୍ଷ ଭିତରେ ୫ହଜାର ହେକ୍ଟର ଜାଗାରେ କଫି ଚାଷ କରାଯିବା ନେଇ ଘୋଷଣା କରିଥିଲେ । ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆଗେଇ ଚାଲିଛି ।