ଜଳେଶ୍ବର: ଗତ ୩ ବର୍ଷ ତଳେ ଶିମିଳିପାଳରୁ ବାହାରି ଆସିଥିବା ୧୪ଟି ହାତୀ ଆଉ ଫେରିବାର ନାଁ ଧରୁ ନଥିବାରୁ ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ଥିବା ୬ଟି ରେଞ୍ଜର ଜଙ୍ଗଲ ମହଲ ଅଧିବାସୀଙ୍କ ଜୀବନ ଦୁର୍ବିଷହ ହୋଇ ପଡ଼ିଛି। ହାତୀପଲକୁ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଘଉଡ଼ାଇବା ପାଇଁ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ଲୋକଙ୍କ ଆକ୍ରୋଶ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

Advertisment

୨୦୧୮ ମସିହାରେ ଶିମିଳିପାଳ ଅଭୟାରଣ୍ୟରୁ ୧୪ଟି ହାତୀ ବାହାରି ଆସିଥିଲେ। ତା’ ପରଠାରୁ ଏହି ହାତୀପଲ ମୟୂରଭଞ୍ଜ ଜିଲ୍ଲାର ବେତନଟୀ, ଦେଉଳୀ, ରାସଗୋବିନ୍ଦପୁର ରେଞ୍ଜ ଓ ବାଲେଶ୍ବର ଜିଲ୍ଲାର ଜଳେଶ୍ବର ରେଞ୍ଜ ଏବଂ ପଶ୍ଚିମବଙ୍ଗର କେଶରେଖା-ନୟାଗ୍ରାମ ରେଞ୍ଜ ମଧ୍ୟରେ ଏକ ନୂଆ ଚଲାପଥ କରି ଅବାଧରେ ବିଚରଣ କରୁଛନ୍ତି। ହାତୀପଲ ଦ୍ବାରା ଉପରୋକ୍ତ ୬ଟି ରେଞ୍ଜ ଅଞ୍ଚଳରେ ବ୍ୟାପକ ଧନଜୀବନ କ୍ଷତି ହୋଇଆସୁଛି। ସେପଟେ ଗତ ୩ ବର୍ଷ ମଧ୍ୟରେ ୭ଟି ନୂଆ ହାତୀ ଛୁଆ ଜନ୍ମ ହୋଇଥିବା ବେଳେ ହାତୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।

ଏବେ ହାତୀ ସଂଖ୍ୟା ୨୧ରେ ପହଞ୍ଚିଥିବା ବାଲେଶ୍ବର ଜିଲ୍ଲା ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଅଶ୍ବିନୀ କୁମାର ଦାସ କହିଛନ୍ତି। ଶିମିଳିପାଳର ଏହି ହାତୀପଲ ଯୋଗୁ ଯେ କେବଳ ୬ଟି ରେଞ୍ଜର ବନାଞ୍ଚଳ ଅଧିବାସୀ ହଇରାଣ ହେଉଛନ୍ତି ତାହା ନୁହେଁ। ଏ ସବୁ ରେଞ୍ଜକୁ ଲାଗିଥିବା ଅନ୍ୟ କିଛି ଅଞ୍ଚଳକୁ ମଧ୍ୟ ହାତୀପଲ ଅନେକ ସମୟରେ ପ୍ରବେଶ କରୁଛି। ହାତୀପଲ ଯୋଗୁ ବନ ବିଭାଗ ବର୍ଷତମାମ ନାକେଦମ ହେବା ସହ ହାତୀ ଘଉଡ଼ାଇବା କାର୍ଯ୍ୟରେ ପାଣି ପରି ଅର୍ଥ ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛି। ପୁଣି ହାତୀ ଉପଦ୍ରବରେ ଲୋକଙ୍କ ଯେଉଁ କ୍ଷତି ହେଉଛି ତାର ଭରଣା ପାଇଁ ମଧ୍ୟ କୋଟି କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ କରିବାକୁ ପଡୁଛି।

କୁହାଯାଉଛି ପୂର୍ବରୁ ସରକାରଙ୍କ ଦ୍ବାରା ଯେଉଁ ଅଞ୍ଚଳକୁ ହାତୀ ଚଲାପଥ ଭାବେ ଘୋଷଣା କରାଯାଇଥିଲା ଏବେ ଶିମିଳିପାଳ ହାତୀପଲ ସେହି ଚଲାପଥରୁ ମାତ୍ର ୩୦ ପ୍ରତିଶତ ବ୍ୟବହାର କରୁଥିବା ବେଳେ ବାକି ୭୦ ପ୍ରତିଶତ ନୂଆ ସ୍ଥାନକୁ ବ୍ୟବହାର କରୁଛନ୍ତି। ଯାହା ଜନବସତିର ଅତି ନିକଟରେ ରହିଛି। ଏହି କାରଣରୁ ହାତୀ ମଣିଷର ଲଢ଼େଇ ହେଉଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ବିଜେପି ଯୁବନେତା ଦିବ୍ୟକାମ ମହାନ୍ତି ଦାବି କରିଛନ୍ତି।