ଭୁବନେଶ୍ବର: ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ଗାଁର ପରୀ ହତ୍ୟା ମାମଲା ଆଜି ଚାଞ୍ଚଲ୍ୟକର ରୂପ ନେଇ ସାମ୍ନାକୁ ଆସିଛି। ହାଇକୋର୍ଟଙ୍କ ନିକଟରେ ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଦଳ) ତଦନ୍ତର ଅଗ୍ରଗତି ସଂକ୍ରାନ୍ତରେ ଯେଉଁ ପ୍ରାରମ୍ଭିକ ରିପୋର୍ଟ ଦାଖଲ କରିଛନ୍ତି ସେଥିରେ ୫ବର୍ଷର କୁନି ଝିଅ ପରୀକୁ ଯୌନ ନିର୍ଯାତନା ପରେ ହତ୍ୟା କରାଯାଇଥିବା ସୂଚନା ଦିଆଯାଇଥିବା କୁହାଯାଉଛି। ତେେବ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଏ ନେଇ କୋର୍ଟଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଅନ୍ୟପକ୍ଷରେ ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପରୀ ସହିତ ପୈଶାଚିକ କର୍ମ କରିଥିବା ସୈତାନ ସେହି ଗ୍ରାମର ବୋଲି ତଦନ୍ତକାରୀ ଅଧିକାରୀମାନଙ୍କର ସନ୍ଦେହ ଘନୀଭୂତ ହୋଇଛି। ହେଲେ ଏଥିରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଅଛି କି ନାହିଁ, ସର୍ବୋପରି ଅଭିଯୁକ୍ତମାନେ କିଏ ଏହା ଜଣାପଡିନାହିଁ। ପୋଷାକରେ ଅଭିଯୁକ୍ତର ସିମେନ୍ ଲାଗିଥିବା ପରିପ୍ରେକ୍ଷୀରେ ଏହାର ଡିଏନ୍ଏ ପରୀକ୍ଷା କରାଯିବ। ଏହି ରିପୋର୍ଟକୁ ଏସ୍ଆଇଟି ଅପେକ୍ଷା କରୁଛନ୍ତି ଓ ସ୍ଥାନୀୟ ଅଞ୍ଚଳରେ ଡେରା ପକାଇ ତଦନ୍ତ ଚଳାଇଛନ୍ତି। ଏଥିସହିତ ଏସଆଇଟି ସମଗ୍ର ମାମଲାକୁ ଏକ ଭିନ୍ନ ମୋଡ ଦେଇଛି। ଖୁବ୍ ଶୀଘ୍ର ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ତଦନ୍ତକାରୀ ଦଳ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ହତ୍ୟା ରହସ୍ୟର ଉନ୍ମୋଚନ କରିବ ବୋଲି ବିଭିନ୍ନ ମହଲରେ ଆଶା ପ୍ରକାଶ ପାଇଛି। ମିଳିଥିବା ତଥ୍ୟ ଅନୁସାରେ, ଜୁଲାଇ ୨୩ ତାରିଖରେ ପରୀର ଗଳିତ ଶବ ମିଳିଥିଲା। ଏସ୍‌ଆଇଟି ଗଠନ ପୂର୍ବରୁ ଅର୍ଥାତ୍ ସେ ସମୟରେ ନୟାଗଡ ପୁଲିସ ପରୀର ଗଳିତ ଶବ ଭର୍ତି ପ୍ୟାକେଟ୍‌ର ଫୋରେନ୍‌ସିକ୍ ଯାଞ୍ଚ ପାଇଁ ଦେଇଥିଲେ। ଏହି ରିପୋର୍ଟ ହିଁ ଏବେ ତଦନ୍ତର ମୋଡ଼ ବଦଳାଇ ଦେଇଛି।

Advertisment

ଯଦୁପୁର ଗାଁରେ ପିଶାଚ ଲୁଚି ରହିଥିବା ସନ୍ଦେହ
ଡିଏନ୍‌ଏ ରିପୋର୍ଟ ଧରାପକାଇବ ଅଭିଯୁକ୍ତ କିଏ?

ସୂତ୍ର ଅନୁସାରେ, ଫୋରେନ୍‌ସିକ୍ ଟିମ୍ ତିନିଟି ଉପାୟରେ ପରୀକ୍ଷା କରିଥିଲେ ଏବଂ ସବୁଥିରେ ଦେଖାଯାଇଥିଲା ଯେ ପରୀର ଫ୍ରକ୍‌ର ଡାହାଣ କାନ୍ଧ ନିକଟରେ ଲାଗି ରହିଥିବା ଦାଗ ସିମେନ୍ ହିଁ ଥିଲା। ଏସ୍‌ଆଇଟି ଏହି ରିପୋର୍ଟ ଆଣି ଅନୁଧ୍ୟାନ କରିବା ପରେ ତଦନ୍ତର ମୋଡ଼ ବଦଳାଇଥିଲା। କେବଳ ସେତିକ ନୁହେଁ, ଅନୁସନ୍ଧାନରୁ ଆହୁରି ଦେଖାଯାଇଥିଲା ଯେ ପରୀର ଫ୍ରକ୍ ଜବତ ହୋଇଥିଲା ସତ, କିନ୍ତୁ ଏହା ତାର ଶରୀର ସହିତ ନଥିଲା। ଅର୍ଥାତ୍ ମୃତ୍ୟୁ ବେଳକୁ ତାର ଶରୀର ନଗ୍ନ ଅବସ୍ଥାରେ ଥିଲା। ପୋଷାକ ପୃଥକ୍ ଭାବେ ରହିଥିଲା। ସେ ପିନ୍ଧିଥିବା ଲେଗିନ୍ସ ଏଯାବତ୍‌ ମିଳିନାହିଁ। ଯାହାକୁ ପ୍ରମାଣ ନଷ୍ଟ କରିବା ଲାଗି ଅଭିଯୁକ୍ତ ଅନ୍ୟତ୍ର କେଉଁଠାରେ ଫିଙ୍ଗିଦେଇଥାଇପାରେ େବାଲି ସନ୍ଦେହ କରାଯାଉଛି। ଇତିମଧ୍ୟରେ ତଦନ୍ତକାରୀ ଦଳ ସ୍ଥାନୀୟ ଅଞ୍ଚଳର ଅନେକ ବ୍ୟକ୍ତିଙ୍କ ରକ୍ତ ପରୀକ୍ଷା କରିଛନ୍ତି ଓ ସେମାନଙ୍କୁ ଜେରା କରାଯାଇଛି। େସଥିରୁ ମଧ୍ୟ କିଛି ପ୍ରମାଣ ତଦନ୍ତକାରୀ ଦଳ ହାତରେ ଲାଗିଛି। ତେବେ ଥରେ ସିମେନ୍ ମେଳକ ପରୀକ୍ଷା ରିପୋର୍ଟ ଆସିଲେ, ଏସ୍‌ଆଇଟି ଏ ନେଇ ଠୋସ୍ ପଦକ୍ଷେପ ନେବା ଆରମ୍ଭ କରିବ ବୋଲି ସୂଚନା ମିଳିଛି। ସମୁଦାୟ ଗାଁ ଉପରେ ତଦନ୍ତକାରୀ ଦଳ ତୀକ୍ଷ୍ଣ ନଜର ରଖିଛନ୍ତି।

ଏଠାରେ ଉଲ୍ଲେଖଥାଉକି, ପରୀର ପୋଷ୍ଟମର୍ଟମ ରିପୋର୍ଟ ସଂପର୍କରେ ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିବୃତି ଦେଇଥିଲେ। ସେଥିରେ କୁହାଯାଇଥିଲା ଯେ ପରୀର ମୃତଦେହ ଏଭଳି ଅବସ୍ଥାରେ ଉଦ୍ଧାର ହୋଇଛି ଯେ ତାକୁ ଯୌନ ନିର୍ଯାତନା ଦିଆଯାଇଥିବା କଥା ସ୍ପଷ୍ଟ କରିହେବ ନାହିଁ। ହେଲେ ପାରିପାର୍ଶ୍ବିକ ପରିସ୍ଥିତି ଓ ଫୋରେନ୍‌ସିକ୍ ରିପୋର୍ଟ ମାମଲା ପଛର ରହସ୍ୟକୁ ଉନ୍ମୋଚନ ଆଡ଼କୁ ଟାଣି ନେଇଛି ବୋଲି ଏସ୍ଆଇଟିର ଜଣେ ଅଧିକାରୀ କହିଛନ୍ତି। ସବୁଠାରୁ ବଡ଼ କଥା ହେଲା, ଯେଉଁ ରିପୋର୍ଟକୁ ଆଧାର କରି ଏସ୍‌ଆଇଟି ତଦନ୍ତ ଆଗକୁ ନେଲା, ସେହି ରିପୋର୍ଟ ଆଧାରରେ କାହିଁକି ସ୍ଥାନୀୟ ପୁଲିସ ମାମଲାକୁ ନିର୍ଣ୍ଣାୟକ ମୋଡ଼କୁ ଟାଣିପାରିଲା ନାହିଁ? ଏହି ମାମଲାରେ ପୁଲିସ ଉପରେ କୌଣସି ଅଦୃଶ୍ୟ ଚାପ ଥିଲା କି? କିଏ ଅଭିଯୁକ୍ତକୁ ଘଣ୍ଟ ଘୋଡାଉଥିଲେ? ଏହା ପଛରେ ରାଜନୈତିକ ଚାପ କାମ କରିଥିଲା କି? ଏମିତି ଅନେକ ପ୍ରଶ୍ନର ଉତ୍ତର ଏବେ ଏସଆଇଟି ତଦନ୍ତରୁ ମିଳିବା ଉଚିତ୍ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସ୍ମରଣଯୋଗ୍ୟ, ୫ମାସ ତଳର ନୟାଗଡ଼ ପରୀ ହତ୍ୟା ମାମଲାକୁ ନେଇ ରାଜ୍ୟ ଉଠୁଛି ପଡ଼ୁଛି। ବିଭିନ୍ନ ରାଜନୈତିକ ଦଳ ଭିନ୍ନ ଭିନ୍ନ ଢଙ୍ଗରେ ଏହି ମାମଲାକୁ ଚିତ୍ରଣ କରୁଥିବା ବେଳେ ରାଜ୍ୟ ସରକାର ଏକ ବିବାଦୀୟ ପରିସ୍ଥିତିରେ ମାମଲାର ତଦନ୍ତ ଏସ୍‌ଆଇଟିକୁ ଦେଇଥିଲେ। ଶ୍ରୀ ବୋଥ୍ରାଙ୍କ ନେତୃତ୍ବରେ ତଦନ୍ତକାରୀ ଦଳ ଏହି ଘଟଣାର ତନାଘନା କରିବାର କିଛି ଦିନ ପରେ ପୁଲିସ ଡିଜି ସ୍ଥାନୀୟ ସଦର ଥାନା ଆଇଆଇସିଙ୍କୁ ନିଲମ୍ବିତ କରିଥିଲେ ଓ ଏସ୍‌ଡିପିଓଙ୍କୁ ବଦଳି କରାଯାଇଥିଲା। ସେବେଠାରୁ ଜଣାପଡ଼ିଯାଇଥିଲା ଯେ ସ୍ଥାନୀୟ ପୁଲିସ ତଦନ୍ତ ପ୍ରକ୍ରିୟା ଆଦୌ ଠିକ୍ ନଥିଲା। ଯାହାଫଳରେ ସରକାର ଏଭଳି ଏକ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଥିଲେ। ନୟାଗଡ ପୁଲିସ କୌଣସି ପଦକ୍ଷେପ ନନେବାରୁ ବିଧାନସଭା ଆଗରେ ଆତ୍ମହୁତି ଉଦ୍ୟମ କରିଥିଲେ ପରୀର ବାପା, ମାଆ। ଏହାକୁ ନେଇ ବିଧାନସଭା ଭିତରେ ଓ ବାହାରେ ବିରୋଧୀଙ୍କ ହଙ୍ଗାମା ପରେ ହାଇକୋର୍ଟଙ୍କ ନିରୀକ୍ଷଣରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ଏହି ଘଟଣାରେ ପରୀର ବାପା ମାଆ ସ୍ଥାନୀୟ ବାବୁଲି ନାୟକ ବିରୋଧରେ ଅଭିଯୋଗ ଆଣିବା ସହିତ ମନ୍ତ୍ରୀ ଅରୁଣ ସାହୁ ତାଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରିଥିଲେ। ଏହା ପରେ ସମଗ୍ର ରାଜ୍ୟରେ ଏହାକୁ ନେଇ କମ୍ପନ ସୃଷ୍ଟି ହୋଇଥିଲା।