ଚାଞ୍ଚଲ୍ୟକର କାଳିଆ ହତ୍ୟାକାଣ୍ଡ: ହତ୍ୟା ପରେ ଆଲମାରିରେ ଲୁଚାଇଥିଲା ଶବ

ଷଡ଼୍‌ଯନ୍ତ୍ର ରଚିଥିଲା ସଂପର୍କୀୟା ଖୁଡ଼ୀ, ୯ଘଣ୍ଟା ପରେ ନେଇ କୂଅରେ ଫିଙ୍ଗିଥିଲା

ଯୋରନ୍ଦା/ଗନ୍ଦିଆ: ସନ୍ଧ୍ୟା ପ୍ରାୟ ୫ଟା। ଗାଁ ଦାଣ୍ଡରେ ବଡ଼ ଭାଇ ସହ ଖେଳୁଥିଲା କାଳିଆ। ବଡ଼ଭାଇ ଶୌଚ ପାଇଁ ଚାଲିଯିବାରୁ ଏହି ସୁଯୋଗରେ ପ୍ରାୟ ସାଢେ ୫ଟା ବେଳକୁ କାଳିଆ ହେଲା ଅପହୃତ। ଠିକ୍‌ କେଇ ମିନିଟ୍‌ ପରେ ମୁହଁରେ ତକିଆ ଦେଇ ପିଶାଚିନୀ ନେଲା କଅଁଳ ଶିଶୁର ଜୀବନ। ଆଉ ନିଜ ପାପ କର୍ମକୁ ଲୁଚାଇବାକୁ ଯାଇ ମୃତ କାଳିଆକୁ ନିଜ ଗଡ୍‌ରେଜ୍‌ ଆଲମାରି ଭିତରେ ଲୁଚାଇ ରଖିଲା ପ୍ରାୟ ୯ ଘଣ୍ଟା। ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁ ଦାଣ୍ଡରୁ ଦୁଇ ଦିନ ତଳେ ନିଖୋଜ ତିନିବର୍ଷର ଶିଶୁ କାଳିଆ ସାହୁ ହତ୍ୟାକାଣ୍ଡର ଏମିତି ପର୍ଦାଫାସ କରିଛି ପୁଲିସ। ଏ ନିଷ୍ପାପ ଶିଶୁର ହତ୍ୟାକାରୀ ଆଉ କେହି ନୁହେଁ, ସନ୍ଦେହ ଘେରରେ ଥିବା ପଡ଼ୋଶୀ ଅଭୟ ସାହୁଙ୍କ ସ୍ତ୍ରୀ ଭାରତୀ ସାହୁ (୨୪) ବୋଲି ପୁଲିସ କହିଛି। ଭାରତୀର ବାପ ଘର ଚଣ୍ଡିଖୋଲ ଅଂଚଳରେ।

ଉଲ୍ଲେଖଯୋଗ୍ୟ, ଖଙ୍କିରା ଗାଁର ଜୟନ୍ତ ସାହୁଙ୍କ ଦୁଇ ପୁଅ ଶୁଭ ଓ କାଳିଆ ବୁଧବାର ସନ୍ଧ୍ୟାରେ ଗାଁ ଦାଣ୍ଡରେ ଖେଳୁଥିଲେ। ଏହି ସମୟରେ ବଡ଼ ପୁଅ ଶୌଚ ପାଇଁ ପଳାଇଥିବା ବେଳେ ସାନ ପୁଅ ‘କାଳିଆ’ ଏକୁଟିଆ ଖେଳୁଥିଲା। କିଛି ସମୟ ପରେ ହଠାତ୍‌ କାଳିଆ କେଉଁଆଡ଼େ ଉଭାନ ହୋଇଯାଇଥିଲା। ପରିବାର ଏବଂ ଗାଁ ଲୋକେ ରାତିସାରା ଖୋଜାଖୋଜି କରିଥିଲେ। ପରେ ଘର ପାଖରେ ଏକ ପରିତ୍ୟକ୍ତ କୂଅରେ କାଳିଆର ମୃତ ଶରୀର ପଡ଼ିଥିବା ଦେଖିବାକୁ ମିଳିଥିଲା। ଗୁରୁବାର ଭୋର୍‌ରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି।  କାଳିଆର ମୃତ୍ୟୁ ନେଇ ପରିବାର ଲୋକେ ପଡ଼ୋଶୀ ଭାରତୀ ସାହୁ ଉପରେ ପ୍ରଥମରୁ ହିଁ ସନ୍ଦେହ କରିଥିଲେ। ଥାନାରେ ଏତଲା ଦେଇଥିଲେ। ପୁଲିସ ଜେରା କରିବାରେ ଭାରତୀ ସବୁ ସତ ଓଗାଳିଥିଲା। ଅପହରଣ ଠାରୁ ହତ୍ୟା ଓ ମୃତଦେହକୁ କୂଅରେ ଫୋପାଡ଼ିବା ପର୍ଯ୍ୟନ୍ତ ପ୍ରତ୍ୟେକଟି ଘଟଣାକୁ କ୍ରମାନ୍ବୟରେ ବଖାଣିଥିଲା।

ପୁଲିସର କହିବା ମୁତାବକ, ଭାରତୀ ଏବଂ ଜୟନ୍ତଙ୍କ ପରିବାର ମଧ୍ୟରେ ପୂର୍ବରୁ ବାରମ୍ବାର ଝଗଡ଼ା ହୁଏ। ମାସକ ତଳେ ବି ଝଗଡ଼ା ହୋଇଥିଲା। ସେ ସମୟରେ ଭାରତୀ କୁଆଡ଼େ ଦେଖି ନେବାକୁ ଧମକ ଦେଇଥିଲା। ପ୍ରତିଶୋଧ ନିଆଁରେ ଜଳୁଥିବା ଭାରତୀ କେବଳ ସୁଯୋଗ ଉଣ୍ଡି ବୁଲୁଥିଲା। ଭାରତୀ ଏବଂ ଜୟନ୍ତଙ୍କ ଘର ପାଖାପାଖି। କାଳିଆ ସେଦିନ ସନ୍ଧ୍ୟା ପ୍ରାୟ ୫ଟାରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଭାରତୀ ନିଜ ପୂର୍ବ ଯୋଜନାକୁ ସାକାର କରିବା ପାଇଁ ଆଗେଇ ଆସିଥିଲା। ଏକୁଟିଆର ସୁଯୋଗ ନେଇ କାଳିଆକୁ ନିଜ ଘରକୁ ଟେକି ନେଇଥିଲା। ରାଗରେ ଜର୍ଜରିତ ଭାରତୀ ସଂଗେ ସଂଗେ କାଳିଆ ମୁହଁରେ ତକିଆ ଚାପି ଶ୍ୱାସରୁଦ୍ଧ କରାଇ ତାକୁ ନିର୍ମମ ହତ୍ୟା କରିଥିଲା। ଭାରତୀର କ୍ରୋଧ ନିଆଁରେ ଟଳି ପଡ଼ିଲା ନିଷ୍ପାପ ଶିଶୁ କାଳିଆ। ମାତ୍ର କେଇ ମିନିଟ୍‌ରେ ଘଟାଇଥିବା ଏହି ପାପ କର୍ମକୁ ଲୁଚାଇବାକୁ ଗଡରେଜ ଆଲମିରାରେ ମୃତଦେହ ଲୁଚାଇଥିଲା। ବିଳମ୍ବିତ ରାତିରେ ଖୋଜାଖୋଜି ଟିକେ ଥମିବାରେ କାଳିଆ ଶବକୁ ବାହାର କରି ଭୋର ପ୍ରାୟ ୩ଟାରେ ସେହି ପରିତ୍ୟକ୍ତ କୂଅରେ ନେଇ ଫିଙ୍ଗିଥିଲା। ହତ୍ୟା ଅଭିଯୁକ୍ତ ଭାରତୀକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଭାରତୀର ସ୍ବାମୀ ଅଭୟଙ୍କର ଏହି ଅପହରଣ ଓ ହତ୍ୟା ଘଟଣା ସହ ସଂପୃକ୍ତି ଥିବା ନେଇ କୌଣସି ପ୍ରମାଣ ମିଳୁ ନଥିବାରୁ ପୁଲିସ୍‌ ତାଙ୍କୁ ଛାଡ଼ିଦେଇଛି।

ସମ୍ବନ୍ଧିତ ଖବର