ନାବାଳକଙ୍କୁ ଯବାନଙ୍କ ଗୁଳିମାଡ଼

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ରେ ଜଣେ ନାବାଳକଙ୍କୁ ଗୁଳିମାଡ଼ କରିଛନ୍ତି ସିଆର୍‌ପିଏଫ୍‌ ଯବାନ। ଏହାପରେ ପରିବାରକୁ ନଜଣାଇ ନାବାଳକଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଛନ୍ତି। ସେହିପରି ଉକ୍ତ ନାବାଳକଙ୍କ ସାଙ୍ଗସାଥୀଙ୍କୁ ମଧ୍ୟ ଯବନା ଅଟକ ରଖିଥିବା ଖବର ମିଳିଛି। ଅନ୍ୟପଟେ ନକ୍ସଲଙ୍କ ସହଯୋଗୀ ସନ୍ଦେହରେ ଆଜି ସକାଳୁ ଯବାନମାନେ କିଛି ଗ୍ରାମବାସୀଙ୍କୁ ମଧ୍ୟ ମାରପିଟ୍‌ କରିବା ସହ ମୋବାଇଲ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ହାତୀଗାଁ ପଞ୍ଚାୟତର ଲାପିବେଡ଼ା ଗାଁରେ ଆତଙ୍କ ଖେଳିଯାଇଛି। ଭୟଭୀତ ପରିବାର ଲୋକ ମୁହଁ ଖୋଲିବାକୁ ପ୍ରଥମେ ସାହସ ଜୁଟାଇ ପାରିନଥିଲେ। ଗଣମାଧ୍ୟମ ପହଞ୍ଚିବା ପରେ ଘଟଣାର ଖୁଲାସା କରିଛନ୍ତି। ଗତକାଲି ରାତିରେ ଲାପିବେଡ଼ା ଗାଁର ଦେବେନାଥ ଗଣ୍ଡ ସିଜନଗଡ଼ ଜଙ୍ଗଲ ନିକଟସ୍ଥ ନିଜ ଜମିକୁ ପାଣି ମଡ଼ାଇବାକୁ ଯାଇଥିଲେ। ହଠାତ୍‌ ଗୁଳି ଫୁଟିବା ଶବ୍ଦ ହେବାରୁ ଦେବେନାଥ ଟର୍ଚ ଲାଇଟ୍‌ ପକାଇଥିଲେ ସୁଦ୍ଧା କୌଣସି ପ୍ରକାର ହଲଚଲ ଦେଖିନଥିଲେ। ତେବେ ଆଜି ସକାଳୁ ଦେବେନାଥ ଜାଣିବାକୁ ପାଇଲେ ଯେ, ଗାଁର ଶ୍ରବଣ ଗଣ୍ଡ, ବିଦୁ ଗଣ୍ଡ, ରାମସାୟ ଗଣ୍ଡ, ପିଲରାମ ଗଣ୍ଡ ଏବଂ ବୁଲୁ ଗଣ୍ଡ ଗତକାଲି ରାତ୍ରି ଭୋଜନ ପରେ ସିଜନଗଡ଼ ଜଙ୍ଗଲ ନିକଟକୁ ଯାଇଥିଲେ। ଏହାପରେ ସେମାନେ ଆଉ ଘରକୁ ଫେରିନାହାନ୍ତି କିମ୍ବା କୌଣସି ଖୋଜଖବର ନାହିଁ। ତେଣୁ ଗୁଳି ଫୁଟିବା ଶବ୍ଦ ସହ ନିଖୋଜଙ୍କୁ ଯୋଡ଼ି କିଛି ଅଘଟଣ ଘଟିଥିବା ଆଶଙ୍କାରେ ଗ୍ରାମବାସୀଙ୍କୁ ଜଣାଇଥିଲେ।

ଗୁଳି ଫୁଟିଥିବା ଶୁଣି ଗ୍ରାମବାସୀ ଏବଂ ପରିବାର ଲୋକ ବି ଭୟଭୀତ ହୋଇ ଜଙ୍ଗଲ ଯିବାକୁ ସାହସ ଜୁଟାଇ ପାରିନଥିଲେ। କୁହାଯାଉଛି, ଗୁଳି ବାଜିବା ପରେ ସାରା ରାତି ଶ୍ରବଣ ଜଙ୍ଗଲରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିଲା। ଆଜି ସକାଳୁ ଶ୍ରବଣକୁ ଚିକିତ୍ସା ପାଇଁ ଯବାନମାନେ ନବରଙ୍ଗପୁର ନେଇ ଯାଇଛନ୍ତି। ଶ୍ରବଣ ସହ ସାଙ୍ଗ ପିଲରାମ ଗଣ୍ଡକୁ ମଧ୍ୟ ନବରଙ୍ଗପୁର ନେଇ ଯାଇଛନ୍ତି। ଅନ୍ୟ ୩ଜଣ ବିଦୁ, ରାମସାୟ ଓ ବୁଲୁ ସିଆରପିଏଫ୍‌ କ୍ୟାମ୍ପରେ ଅଟକ ରହିଥିବା ଶୁଣିବାକୁ ମିଳିଛି। ଆଜି ସକାଳେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପରେ ପରିବାର ଓ ଗ୍ରାମବାସୀ ସାହଜ ଜୁଟାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଶ୍ରବଣର ରକ୍ତ ଭିଜା ପ୍ୟାଣ୍ଟ ପଡ଼ିଥିବା ଦେଖିଥିଲେ। ଏଥିରୁ ଶ୍ରବଣକୁ ଗୁଳି ବାଜିଥିବା ସନ୍ଦେହ କରାଯାଉଛି।

ଅନ୍ୟପଟେ ଆଜି ସକାଳ ପ୍ରାୟ ୫ଟାରେ ସଜନଗଡ଼ ଜଙ୍ଗଲ ନିକଟରେ ଘର କରି ରହିଥିବା ରାଇସିଂ ଗଣ୍ଡ, ‌ମହେନ୍ଦ୍ର ଗଣ୍ଡ ଏବଂ ଦେବେନ୍ଦ୍ର ଗଣ୍ଡଙ୍କୁ ସିଆରପିଏଫ୍‌ ଯବାନ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ନକ୍ସଲଙ୍କୁ ରାତିରେ ଏମାନେ ଖାଇବାକୁ ଦେଉଥିବା ଅଭିଯୋଗରେ ଆକ୍ରମଣ କରିଥିବା କୁହାଯାଉଛି। ମହେନ୍ଦ୍ର ଗଣ୍ଡଙ୍କ ମୋବାଇଲ ଫୋନ୍‌ ବି ସିଆରପିଏଫ୍‌ କ୍ୟାମ୍ପ୍‌କୁ ନେଇଯାଇଥିବା ଅଭିଯୋଗ ହୋଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ନକ୍ସଲ ପ୍ରବଣ ଅଞ୍ଚଳରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଏହିକ୍ରମରେ ସିଆରପିଏଫ୍‌ ଯବାନ ଗତକାଲି ରାତିରେ ଜଙ୍ଗଲକୁ ଯାଇଥିବା ବେଳେ ଅନ୍ଧାରରେ ଶ୍ରବଣକୁ ଗୁଳି ମାରିଥିବା କୁହାଯାଉଛି। ତେବେ ଏତେବଡ଼ ଘଟଣା ଘଟିବା ସତ୍ତ୍ବେ ସିଆର୍‌ପିଏଫ୍‌ ଯବାନ ମୁହଁ ଖୋଲୁନାହାନ୍ତି। ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ତଦନ୍ତ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ରାତିରେ ଶ୍ରବଣ ସହ କ’ଣ ଘଟିଲା, ଏବେ ଶ୍ରବଣ କେଉଁଠି ଅଛି ସ୍ପଷ୍ଟ ହୋଇପାରୁନି। ଏତେ ବଡ଼ ଘଟଣା ଘଟିଥିଲେ ମଧ୍ୟ ପୁଲିସ ପାଖରେ କୌଣସି ସୂଚନା ନାହିଁ। ଏ ସମ୍ପକର୍ରେ ଉମରକୋଟ ଏସ୍‌ଡିପିଓ ମଧୁସିକ୍ତା ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଯୋଗୁଁ ଦିନ ସାରା ବ୍ୟସ୍ତ ରହିଥିଲେ। ନାବାଳକଙ୍କୁ ଗୁଳିମାଡ଼ ସଂପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନାହିଁ। ଉମରକୋଟ ଫେରିବା ପରେ ତଦନ୍ତ କରିବେ ବୋଲି କହିଛନ୍ତି। ସେହିପରି ରାଇଘର ଥାନା ଆଇଆଇସି ରଘୁନାଥ ମାଝୀଙ୍କୁ ଯୋଗାଯୋଗ କରିବାରୁ ଘଟଣା ସଂପର୍କରେ ଆଦୌ କିଛି ଜାଣିନଥିବା ମଧ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର