ବେତନଟୀ ରେଞ୍ଜ୍‌ରେ ପଶ୍ଚିମବଙ୍ଗର ଅସୁସ୍ଥ ଦନ୍ତା, ଶିମିଳିପାଳ ହାତୀପଲ ସହ ମୁହାଁମୁହିଁ ଆଶଙ୍କା

ବେତନଟୀ : ଗୋଡ଼ରେ ଗଭୀର ଆଘାତ ଲାଗିଥିବା ଏକ ଦନ୍ତାହାତୀ କିଛିଦିନ ହେବ ପଶ୍ଚିମବଙ୍ଗ ସୀମାରେ ବିଚରଣ କରୁଥିବା ବେଳେ ସ୍ଥାନୀୟ ବନ ବିଭାଗ ପକ୍ଷରୁ ତା’ର ଚକିତ୍ସା ଜାରି ରହିଥିଲା। ଏହାରି ଭିତରେ ଅସୁସ୍ଥ ଦନ୍ତାଟି ପଶ୍ଚିମବଙ୍ଗରୁ ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ୍‌କୁ ଆସିଯାଇଛି। ହାତୀର ପଛପଟ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ସେ ଯନ୍ତ୍ରଣା ପାଉଛି। ପଶ୍ଚିମବଙ୍ଗ ବନ ବିଭାଗ ସହ ଆଲୋଚନା କରି ତା’ର ଚିକିତ୍ସା ଆରମ୍ଭ କରିଛି ମୟୂରଭଞ୍ଜ ବନ ବିଭାଗ।

ଦନ୍ତାଟି ଏବେ ବେତନଟୀ ରେଞ୍ଜ୍‌ ଅଧୀନ ବଡ଼ାମପୁର ସଂରକ୍ଷିତ ଜଙ୍ଗଲରେ ଥିବାବେଳେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ବରିଷ୍ଠ ଡାକ୍ତର ପୀୟୂଷ ସୋରେନ ଓ ଏସିଏଫ୍‌ ‌ରବିନାରାୟଣ ମହାନ୍ତି ପହଞ୍ଚି ତାର ଗତିବିଧି ଅନୁଧ୍ୟାନ କରିବା ସହ କ୍ଷତ ଯାଞ୍ଚ କରିଥିଲେ। ଚିକିତ୍ସା ପୂର୍ବରୁ ପଶ୍ଚିମବଙ୍ଗର ଡାକ୍ତରୀ ଟିମ୍ ସହିତ ପ୍ରଥମେ ଯୋଗାଯୋଗ କରାଯାଇଥିଲା। ସେଠାରେ ଚାଲିଥିବା ଚିକିତ୍ସା ପଦ୍ଧତି ମୁତାବକ ଏଠାରେ ମଧ୍ୟ ଚିକିତ୍ସା ଆରମ୍ଭ ହୋଇଛି। ହାତୀକୁ ଟ୍ରାଙ୍କୁଲାଇଜ୍‌ କରାଯିବାର ଆବଶ୍ୟକତା ନାହିଁ। ଖାଦ୍ୟରେ ଔଷଧ ମିଶାଇ ଦିଆଯାଉଛି। ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ହାତୀ ଉପରେ ୨୪ ଘଣ୍ଟା ନଜର ରଖିଛି ଓ ତା’ର ସମସ୍ତ ଗତିବିଧି ରେକର୍ଡ କରାଯାଉଛି ବୋଲି ଏସିଏଫ୍‌ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ଏଭଳି ପରିସ୍ଥିତିରେ ବନ ବିଭା‌ଗର ଚିନ୍ତା ବଢ଼ାଇଛି ଏହି ସଂରକ୍ଷିତ ଜଙ୍ଗଲର ବିପରୀତ ଦିଗରେ ରହୁଥିବା ଶିମିଳିପାଳ ହାତୀପଲ। ଅସୁସ୍ଥ ଦନ୍ତା ସହ ଉକ୍ତ ହାତୀପଲର ସାମ୍ନାସାମ୍ନି ହେଲେ ପରିସ୍ଥିତି ଭୟାନକ ହୋଇପାରେ। ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରଖିଛି ବୋଲି ରେଞ୍ଜର ଘନଶ୍ୟାମ ସିଂ କହିଛନ୍ତି।

ସମ୍ବନ୍ଧିତ ଖବର