ଦୋରାଗୁଡା ନିର୍ମାଣାଧୀନ ହାଇସ୍କୁଲ କାମ ତୁରନ୍ତ ସାରିବା ଦାବିରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ଜୟପୁର: ବିଦ୍ୟାଳୟ ନିର୍ମାଣକୁ ନେଇ ଏବେ ଜୟପୁର ବ୍ଲକର କେବିଡି ପଂଚାୟତର କେବିଡି ଓ  ଦୋରାଗୁଡା ଦୁଇଗାଁ ମୁହାଁ ମୁହିଁ।  ଦୋରାଗୁଡା ଠାରେ ୩୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧୀନ ଥିବା ହାଇସ୍କୁଲ ଗୃହର କାମକୁ ଗତ ୪ଦିନ ତଳେ କେବିଡି ଗ୍ରାମବାସୀ ବନ୍ଦ କରାଇଥିଲେ। ଶୁଣ୍ଡି କେବିଡି ଗାଁ ନିକଟରେ ଥିବା ସରକାରୀ ଜମିରେ ସ୍କୁଲ ନିର୍ମାଣ କରିବାକୁ କେବିଡି ଗ୍ରାମବାସୀ ଦାବି କରି ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ।  ଅପରପକ୍ଷରେ ଆଜି  ଦୋରାଗୁଡା ଗାଁର ଶତାଧିକ ଗ୍ରାମବାସୀଙ୍କୁ ନେଇ ସମିତିସଭ୍ୟା ନୀଳା ନାୟକ, ଧବଳେଶ୍ବର ସାହୁ, କୃପା ନାୟକ, ତୁଳାରାମନାୟକ, ରବି ପାଇକ, ନବିନା ନାୟକ, ଯମୁନା ନାୟକ, ସନମତି ପାଇକ ଆଦି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ତୁରନ୍ତ ନିର୍ମାଣ କାମ ସାରିବାକୁ ଦାବି କରିଥିଲେ। ତାଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହାର ନକଲ ବିଡିଓଙ୍କୁ ପ୍ରଦାନ କରିଥିଲେ। ତହସିଲ ପକ୍ଷରୁ ସରକାରୀ ଜମି ଚିହ୍ନଟ ହେବା ପରେ ହିଁ ସ୍କୁଲ କୋଠା ନିର୍ମାଣର ଟେଣ୍ଡର ହୋଇଥିଲା।

୩୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କାମ ଆରମ୍ଭ କରି ସାରିଛନ୍ତି। ପୂର୍ବରୁ ଏଠାରେ ସ୍ମାର୍ଟ କ୍ଲାସ୍ ରୁମର ନିର୍ମାଣ କାମ ବି ସରିଲାଣି। ଏବେ କେବଳ ଶ୍ରେଣୀଗୃହ ଓଛାତ୍ରଛାତ୍ରୀ ନିବାସ ନିର୍ମାଣ କାମ ବାକି ରହିଛି। ଯଦି କେବିଡି ଗ୍ରାମବାସୀ ବିରୋଧ କରିବାର ଥିଲା ତେବେ ପୂର୍ବରୁ କାହିଁକି କରିଲେ ନାହିଁ ବୋଲି ଦୋରାଗୁଡା ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ସ୍ମାର୍ଟ କ୍ଲାସ୍ ରୁମର ନିର୍ମାଣ ସରିଲାଣି। ନୂଆ କୋଠାର ଲେଆଉଟ ପ୍ଲାନିଂ ସରିବା ସହ ନିଅ ପଡ଼ିବା କାମ ସରିଛି। ଏତେ ଦିନ କାହିଁକି ଚୁପ ରହିଥିଲେ ବୋଲି ସମିତିସଭ୍ୟା ଓଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଏଠାରେ ଏକ ହଜାର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ପିଲା ମାନେ ପାଠ ପଢ଼ି ଆସୁଛନ୍ତି। କିଛି ଅସାଧୁ ଓ ଖଳ ପ୍ରକୃତିର ଲୋକେ ଏଭଳି ବିଦ୍ୟାଳୟର ନିର୍ମାଣକୁ ବିରୋଧ କରି ଆସୁଛନ୍ତି। ତୁରନ୍ତ ନିର୍ମାଣ କାମ ଯେଭଳି ସରିବ ସେ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର