ଐତିହ୍ୟକୁ ଉପହାସ କରୁଛି ଦଦରା ସାଇନବୋର୍ଡ

ଐତିହ୍ୟକୁ ଉପହାସ କରୁଛି ଦଦରା ସାଇନବୋର୍ଡ

ପୁରୀ : ବିଶ୍ବ ଐତିହ୍ୟ ସହର ମାନଚିତ୍ରରେ ପୁରୀ ସ୍ଥାନ ପାଇବ। ବିଶ୍ବସ୍ତରୀୟ ଭିତ୍ତିଭୂମି ପ୍ରତିଷ୍ଠା ହେବ। ଶ୍ରୀକ୍ଷେତ୍ରକୁ ନେଇ ସରକାର ଏମିତି କେତେ ନକ୍ସା ଆଙ୍କିଛନ୍ତି। ମାତ୍ର ଐତିହ୍ୟ କୀର୍ତ୍ତିରାଜିର ଗାଥା ବଖାଣୁଥିବା ସାଇନବୋର୍ଡ ଏବେ ଋଗ୍‌ଣ। ମନ୍ଦିର ଓ ଐତିହ୍ୟ ନିକଟରେ ସୂଚନା ଫଳକ ଥିଲେ ହେଁ ସେଥିରୁ ଅକ୍ଷର ଅସ୍ପଷ୍ଟ ହୋଇଗଲାଣି। କେଉଁଠି ବୋର୍ଡ ସମ୍ପୂର୍ଣ୍ଣ ଭାଙ୍ଗି ଲଟକି ରହିଛି ତ କେଉଁଠି ଲୁହା ଖମ୍ବ ଅଛି କିନ୍ତୁ ସାଇନବୋର୍ଡ ଉଭାନ ହୋଇଯାଇଛି। ଅଧିକାରୀମାନେ ଏହାକୁ ଗୁରୁତ୍ବର ସହ ନେଉ ନାହାନ୍ତି। ଆଗକୁ ଚନ୍ଦନ ଯାତ୍ରା ଓ ରଥଯାତ୍ରା ଥିବାରୁ ପୁରୀକୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କର ସୁଅ ଛୁଟିବ। ଅଥଚ ପର୍ଯ୍ୟଟକମାନେ ଆସିଲେ ସାଇନବୋର୍ଡ ପାଇବେ ନାହିଁ। ନଚେତ୍‌ କେଉଁଠି ସାଇନବୋର୍ଡ ପାଇଲେ ବି ସେଥିରୁ ସ୍ପଷ୍ଟ ସୂଚନା ପାଇବେ ନାହିଁ।

ବିଶେଷକରି ମାର୍କଣ୍ଡ ପୁଷ୍କରିଣୀ, ଶ୍ରୀଲୋକନାଥଙ୍କ ମନ୍ଦିର, ଆଲାମଚଣ୍ଡୀଙ୍କ ପଥର ପୁଷ୍କରିଣୀଠୁ ନେଇ ଅନ୍ୟ ପ୍ରାଚୀନ ମନ୍ଦିରରେ ଥିବା ସୂଚନା ଫଳକ ବିକୃତ ହୋଇଗଲାଣି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସହରକୁ ଆସୁଥିବା ପର୍ଯ୍ୟଟକ ପୁରୀର ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ମନ୍ଦିରକୁ ଯାତ୍ରା କରନ୍ତି। ମାତ୍ର ସେଠାରେ ଥିବା ସାଇନବୋର୍ଡରେ ଲେଖାଗୁଡ଼ିକ ଲିଭି ଯାଉଥିଲେ ବି ଏହାକୁ ଗୁରୁତ୍ବ ଦିଆଯାଉନାହିଁ। ବହୁ ବର୍ଷ ଧରି ସାଇନବୋର୍ଡରୁ ରଙ୍ଗ ଛାଡ଼ିଯିବା ପରେ ଆଉ କିଛି ଦୃଶ୍ୟମାନ ହେଉନାହିଁ। ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ମୁଖ୍ୟ ରାସ୍ତା ଦେଇ ସହର ମଧ୍ୟକୁ ପ୍ରବେଶ କରୁଛନ୍ତି। ହେଲେ ମୁଖ୍ୟ ରାସ୍ତା, ସହର ମଧ୍ୟରେ ସାଇନ୍‌ବୋର୍ଡର ବିକୃତ ଚିତ୍ର ଦେଖି ବାଟବଣା ହେଉଛନ୍ତି। ତୀର୍ଥ ପୁଷ୍କରିଣୀ ଓ ମନ୍ଦିର ନିକଟରେ ସୂଚନା ଫଳକଗୁଡ଼ିକର ବେଶ ଭୂମିକା ରହିଛି।

ବାସ୍ତବରେ ଐତିହ୍ୟ ତଥା ମନ୍ଦିରର ଐତିହାସିକ ଗୁରୁତ୍ବ ଓ ପ୍ରାଚୀନତା ଜାଣିବାରେ ଏହି ସୂଚନା ଫଳକ ସହାୟକ ହେଉଛି। ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଐତିହ୍ୟ ସ୍ଥଳ ବୁଲିବାକୁ ଅଗ୍ରାଧିକାର ଦେଉଥିବା ବେଳେ ସେ ସ୍ଥାନର ଐତିହାସିକ ଗୁରୁତ୍ବକୁ ଏହି ଫଳକ ଚିହ୍ନାଇ ଦେଇଥାଏ। ପିପିପି ମୋଡରେ ପ୍ରଶାସନ ପକ୍ଷରୁ ଏହି ଫଳକଗୁଡ଼ିକ ସ୍ଥାପନ କରାଯାଇଛି। ଓଡ଼ିଆ ସମେତ ଇଂରାଜୀ ଓ ହିନ୍ଦୀରେ ଐତିହ୍ୟ ସମ୍ପର୍କରେ ସମ୍ୟକ ସୂଚନା ଦିଆଯାଇଛି। ହେଲେ ବର୍ଷବର୍ଷ ହେଲା ଏହାକୁ ପରିବର୍ତ୍ତନ କରାଯାଇନାହିଁ। ଏନେଇ ସଂସ୍କୃତି ସଂଗଠକ ଶ୍ୟାମପ୍ରକାଶ ସେନାପତି କହିଛନ୍ତି, ବିଭିନ୍ନ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ବହୁ ଐତିହ୍ୟ ଓ ପ୍ରାଚୀନ ମନ୍ଦିରର ସଂରକ୍ଷଣ ପାଇଁ ବଜେଟ୍‌ ଅନୁମୋଦନ ହୋଇଛି। ତେଣୁ ମନ୍ଦିର ଓ ଐତିହ୍ୟ ସଂରକ୍ଷଣ ବେ‌ଳେ ଏହି ସୂଚନା ଫଳକଗୁଡ଼ିକୁ ସଜାଡ଼ିବା ପାଇଁ ଧ୍ୟାନ ଦେବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe