ପୁରୀ : ସେବା ପାଇଁ ଟଙ୍କା ନୁହେଁ, ସମର୍ପିତ ମନ ହିଁ ଯଥେଷ୍ଟ। ଏହି ଉକ୍ତିର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ବନିତାରାଣୀ ସାହୁ। ଅସୁସ୍ଥ ସ୍ବାମୀ ସୁରକ୍ଷା କର୍ମୀ ଚାକିରି କରି ଆଣୁଥିବା ମଜୁରି ପରିବାର ଚଳିବାକୁ ନିଅଣ୍ଟ, ହେଲେ ଏ ଅଭାବବୋଧ କେବେ ବନିତାଙ୍କ ବାଟରେ କଣ୍ଟା ସାଜିନି। ଥିଲାବାଲାଙ୍କଠୁ ପୁରୁଣା ପୋଷାକ ଆଣି, ନିଃସହାୟଙ୍କ ଫୁଙ୍ଗୁଳା ଶରୀର ଢାଙ୍କିବାରେ ସେ ସାଜିଛନ୍ତି ନିରବ ସେବିକା। ସକାଳୁ ରୋଷେଇ ସାରି ସ୍ବାମୀଙ୍କୁ କର୍ମକ୍ଷେତ୍ର ଓ ପୁଅକୁ ସ୍କୁଲ୍ ପଠାଇ ଦେବା ପରେ ଆରମ୍ଭ ହୁଏ ତାଙ୍କର ଯାତ୍ରା। ୧୨ଶହ ଟଙ୍କା ଦେଇ କିଣିଥିବା ପୁରୁଣା ସାଇକେଲ ନେଇ ସେ ବାହାରି ପଡ଼ନ୍ତି ଲୋକଙ୍କ ଘରୁ ପୁରୁଣା କପଡ଼ା ସଂଗ୍ରହରେ। ସେସବୁକୁ ଏକାଠି କରି ସାଇକେଲ୍ କେରିଅର୍ରେ ବାନ୍ଧି ଘରକୁ ଫେରିବା ପରେ ତାଙ୍କର କାମ ଶେଷ ହୋଇଯାଏନାହିଁ। ବରଂ ଚିରା ଫଟା ଥିଲେ, ସେସବୁକୁ ନିଜ ସିଲେଇ ମେସିନରେ ଯତ୍ନରେ ସିଲେଇ କରିବା ପରେ ସଫା କରି ପିନ୍ଧିବା ଯୋଗ୍ୟ କରନ୍ତି। ଶୀତ କୋପରେ ଥରୁଥିବା ନିଃସହାୟ ଏବଂ ନିଜର ଦେହ ଲୁଚାଇବାକୁ ସଂଘର୍ଷ କରୁଥିବା ଅସହାୟ ଲୋକଙ୍କ ନିକଟରେ ଏସବକୁ ପହଞ୍ଚିବାର ବ୍ୟବସ୍ଥା କରନ୍ତି ବନିତା।
ପୁରୀର ଲୋକନାଥ ରୋଡ୍ ମଣି ମହାସୁଆର ବଗିଚାରେ ରହୁଥିବା ବନିତାରାଣୀଙ୍କ ଏହି ସେବା ପରାୟଣ ମନୋଭାବ ପଛରେ ରହିଛି ଏକ ଦରଦପୂର୍ଣ୍ଣ କାହାଣୀ। ଗତବର୍ଷ ମେ’ ମାସରେ ବନିତାଙ୍କ ସ୍ବାମୀ ସଞ୍ଜୟ କୁମାର ସାହୁଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ। ଡାକ୍ତର କହିଲେ, ତୁରନ୍ତ ଅପରେସନ କର। ନଚେତ୍ ପକ୍ଷାଘାତ ହୋଇଯିବ। ମାତ୍ର ସେତେବେଳେ ସେଲ୍ସମ୍ୟାନ ଭାବେ କାର୍ଯ୍ୟରତ ସଞ୍ଜୟଙ୍କ କାମ ବନ୍ଦ ହୋଇଯିବାରୁ ତାଙ୍କ ନିକଟରେ ଔଷଧ କିଣିବାକୁ ବି ଅର୍ଥ ନଥିଲା। ଏନେଇ ସେ ଗଣମାଧ୍ୟମର ସହଯୋଗ ନେଇ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ଲୋଡ଼ିଥିଲେ। କିଛି ଆର୍ଥିକ ସହଯୋଗ ମିଳିବା ପରେ ସେ ଔଷଧ କିଣି ଚିକିତ୍ସା ଆରମ୍ଭ କଲେ। ଧୀରେଧୀରେ ସଞ୍ଜୟଙ୍କ ଶରୀରର ଯନ୍ତ୍ରଣା ଥମିବାରେ ଲାଗିଲା। ସଞ୍ଜୟ ପୁଣି କାମ କରିବା ଆରମ୍ଭ କଲେ। ତେବେ ଯେଉଁ ସହୃଦୟ ବ୍ୟକ୍ତିମାନଙ୍କ ଯତ୍କିଞ୍ଚିତ ସହଯୋଗ ପାଇଁ ତାଙ୍କ ସ୍ବାମୀ ସୁସ୍ଥ ହେଲେ ତା’ର ପ୍ରତିଦାନ ସେ ସମାଜକୁ ଦେବାକୁ ମନସ୍ଥ କଲେ। ଅଭାବ ଅନଟନ ଭିତରେ ଦିନ କଟୁଥିଲେ ବି ବନିତା ଧୀରେଧୀରେ କିଛି ସ୍ବେଚ୍ଛାସେବୀ ସଂସ୍ଥା ସହ ଯୋଡ଼ିହେଲେ। ଅଭାବୀର ଦୁଃଖ ବୁଝିଥିବା ବନିତା ଲୋକଙ୍କଠାରୁ ପୁରୁଣା କପଡ଼ା ସଂଗ୍ରହ କରି ସେସବୁ ଗରିବ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ ଆରମ୍ଭ କଲେ। ଏଥିରେ ତାଙ୍କ ପୁଅ ଲୋକନାଥ ସାହୁ ମଧ୍ୟ ମା’ଙ୍କୁ ସହଯୋଗ କଲେ। ବନିତାଙ୍କ ସ୍ବାମୀ ସଞ୍ଜୟ ମଧ୍ୟ ବନିତାଙ୍କ ଏହି ମହତ୍ କାର୍ଯ୍ୟରେ ତାଙ୍କୁ ସହଯୋଗ କଲେ।
ପ୍ରଥମେ କିଛି ମାସ ଚାଲିଚାଲି ସେ ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ଘରେ ଥିବା ପୁରୁଣା କପଡ଼ା, କମ୍ବଳ, ଖାତା, ବହି, ଜୋତା ସଂଗ୍ରହ କଲେ। ଏସବୁକୁ ସେ କିଛି ସ୍ବେଚ୍ଛାସେବୀ ସଂସ୍ଥା ଜରିଆରେ ଅସହାୟ ଲୋକଙ୍କ ନିକଟରେ ପହଞ୍ଚାଇଲେ। ତାଙ୍କର ଏଭଳି ବଦାନ୍ୟତା ଦେଖି କିଛିକିଛି ଲୋକ ତାଙ୍କ ଫୋନ ନମ୍ବର ରଖି ତାଙ୍କ ସହ ଯୋଗାଯୋଗ କରି ପୁରୁଣା କପଡ଼ା ଦେବା ଆରମ୍ଭ କଲେ। ତେବେ ଏତେବାଟ ଚାଲିଚାଲି କପଡ଼ା ଗଣ୍ଠିଲି ବୋହିବା ତାଙ୍କ ପକ୍ଷେ ସମ୍ଭବ ହେଲା ନାହିଁ। ତେଣୁ ବନିତା ତାଙ୍କର ଜଣେ ବନ୍ଧୁଙ୍କଠାରୁ ୭ଶହ ଟଙ୍କା ଏବଂ ସ୍ବାମୀଙ୍କଠାରୁ ୫ଶହ ଟଙ୍କା ଆଣି ମୋଟ ୧୨୦୦ ଟଙ୍କାରେ ଏକ ପୁରୁଣା ସାଇକେଲ୍ କିଣି ସେଥିରେ ପୁରୁଣା କପଡ଼ା ବୋହିବା କାର୍ଯ୍ୟ ଆରମ୍ଭ କଲେ। ମା’ଙ୍କର ଏପରି କାର୍ଯ୍ୟ ଦେଖି ଗଦାଧର ସ୍କୁଲ୍ରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବନିତାଙ୍କ ପୁଅ ଲୋକନାଥ ମଧ୍ୟ ନିଜ ସାଙ୍ଗ ଓ ଗୁରମା’ଙ୍କୁ ଏହି ମହତ୍ କାର୍ଯ୍ୟ ସମ୍ପର୍କରେ ଅବଗତ କଲେ। ଧୀରେଧୀରେ ବନିତାଙ୍କ ଏହି କପଡ଼ା ସଂଗ୍ରହର ବ୍ୟାପକତା ବଢ଼ିଲା। ଯେପରି କାହାର ହାତଟେକା ଅର୍ଥ ପାଇଁ ଯଦି ମୋ ସ୍ବାମୀଙ୍କ ଜୀବନ ରକ୍ଷା ପାଇପାରିଲା , ଠିକ୍ ସେହିପରି ଯଦି ମୋ ସାମାନ୍ୟ ସହଯୋଗରେ ଯଦି କେଉଁ ଫୁଙ୍ଗୁଳା ଦେହରେ କପଡ଼ା ଶୋଭା ପାଇଲା, ତାଠୁ ବଳି ଖୁସି କ'ଣ ହୋଇପାରେ ବୋଲି ବନତା କହିଛନ୍ତି।