ବୀରମିତ୍ରପୁର : ପ୍ରଖ୍ୟାତ ଗୀତିକାର, ସଂଗୀତ ନିର୍ଦେଶକ ତଥା ଗାୟକ ଅନୀଲ ହରିପାଲଙ୍କ ଗୁରୁବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ୯୦ ଦଶକରେ ସମ୍ବଳପୁରୀ ଗୀତ ‘ଏ ପାନ୍‌ବାଲା ବାବୁ’ ପାଇଁ ହରିପାଲ ଯଥେଷ୍ଟ ପ୍ରସିଦ୍ଧି ଅର୍ଜନ କରିଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Advertisment

ବୀରମିତ୍ରପୁର ହଳଦିଆ ଦଫେଇଠାରେ ୧୯୬୪ ମସିହାରେ ଜନ୍ମଗ୍ରହଣ କରିଥିଲେ ଅନିଲ ହରିପାଲ। ବାପା ଅବଧୂତ ହରିପାଲଙ୍କ ଚାରିସନ୍ତାନ ମଧ୍ୟରୁ ସେ ଥିଲେ ଜ୍ୟେଷ୍ଠ। ବାପା ଅବଧୂତ ହରିପାଲ ବୀରମିତ୍ରପୁର ବିଏସ୍‌ଏଲ୍‌ କମ୍ପାନିରେ କାର୍ଯ୍ୟ କରୁଥିଲେ। ବୀରମିତ୍ରପୁରଠାରେ ପ୍ରାଥମିକ ଶିକ୍ଷା ହାସଲ କରିବା ପରେ ହରିପାଲ ଗୀତ ଲେଖିବା ଆରମ୍ଭ କରିଥିଲେ। ସେ ଗୀତ ଲେଖିବା ସହ ସଙ୍ଗୀତ ନିର୍ଦେଶନା ଓ ଗୀତ ଗାଇବା ଆରମ୍ଭ କରିଥିଲେ। ୧୯୯୦ ମସିହାରେ ସେ ଗାଇଥିବା ଗୀତ ‘ହେ ପାନ୍‌ବାଲା ବାବୁ’ ସମ୍ବଲପୁରୀ ଗୀତ ତାଙ୍କୁ ଖାଲି ଓଡ଼ିଶା ନୁହେଁ ରାଜ୍ୟ ବାହାରେ ମଧ୍ୟ୍ୟ ସ୍ୱତନ୍ତ୍ର ପରିଚୟ ଓ ଯଥେଷ୍ଟ ପ୍ରସିଦ୍ଧି ପ୍ରଦାନ କରିଥିଲା। ୧୯୯୫ ମସିହାରେ ସେ ବୀରମିତ୍ରପୁର ଛାଡ଼ି ତାଙ୍କ ପୈତୃକ ଗ୍ରାମ ବଲାଙ୍ଗୀର ଜିଲ୍ଲାର ରିନବଚନ ଆଲପୁରରେ ରହି ଆସୁଥିଲେ। ବୀରମିତ୍ରପୁର ହଳଦିଆଦଫେଇରେ ବର୍ତ୍ତମାନ ତାଙ୍କ ଭାଇ ଓ ଭଉଣୀ ରହୁଛନ୍ତି। ଗୁରୁବାର ଦିନ ବଲାଙ୍ଗୀର ଡାକ୍ତରଖାନରେ ସକାଳ ପ୍ରାୟ ଏଗାରଟା ସମୟରେ ହରିପାଲଙ୍କ ଅକାଳ ବିୟୋଗ ହୋଇଯାଇଛି।