ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ଗେର୍ଡା ପଞ୍ଚାୟତ ଦାବମାଲ ଗ୍ରାମରେ ରହୁଥିବା ପଦ୍ମପୁର ବିଧାୟକ ତଥା ପୂର୍ବମନ୍ତ୍ରୀ ବିଜୟ ରଂଜନ ସିଂ ବରିହାଙ୍କ ଭଉଣୀ ବିନ୍ଦୁ ବରିହା (୫୩ବର୍ଷ)ଙ୍କ ବୁଧବାର ରାତିରେ ପରଲୋକ ଘଟିଛି। ବିନ୍ଦୁ ନିଜ ପରିବାର ବର୍ଗଙ୍କ ସହିତ ବିଧାୟକ ଶ୍ରୀ ସିଂ ବରିହାଙ୍କ ଝିଅ ବାହାଘରରେ ଯୋଗ ଦେବାକୁ ପଦ୍ମପୁର ଯାଇଥିଲେ। ବାହାଘର ପରେ ସେ ସପରିବାର ନିଜ ପୈତୃକ ଗ୍ରାମ ଖପ୍ରାଖୋଲ ବ୍ଲକ୍ ଚାବିରିପାଲିକୁ ଯାଇଥିଲେ।
ସେଠାରେ ବୁଧବାର ରାତିରେ ଏକ ଖଟିଆରେ ବସିଥିବା ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରି ଅସୁସ୍ଥ ହୋଇ ପଡ଼ିଥିଲେ। ସେଠାରୁ ପଦ୍ମପୁର ନିକଟ ବୁଡ଼େନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମର ଶରୀର ନିଜ ଗ୍ରାମ ଦାବମାଲକୁ ଅଣା ଯାଇ ଗୁରୁବାର ଗାଁ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା। ଶେଷ ସମୟରେ ତାଙ୍କ ସ୍ବାମୀ ଟଙ୍କଧର ବରିହା, ୭ ଝିଅ ସମେତ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ। ତାଙ୍କ ଭାଇ ଘନଶ୍ୟାମ ବରିହାଙ୍କ ପୁଅ ନିତେଶ ଶେଷକୃତ୍ୟ ସମ୍ପନ୍ନ କରିଥିଲେ।