ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ଗାଁର ନାବାଳିକା ପରୀ ହତ୍ୟା ମାମଲାରେ ଗିରଫ ହୋଇଥିବା କଲେଜ ଛାତ୍ର ସରୋଜ ସେଠୀକୁ ଜେରା ବେଳେ ଏସଆଇଟିକୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରମାଣ ମିଳିଛି। ସରୋଜର ସ୍ବୀକାରୋକ୍ତିକୁ ଆଧାର କରି ତଦନ୍ତକାରୀ ଦଳ ଆଜି ତା ଘରୁ ଏକ ରକ୍ତଲଗା ଗାମୁଛା ଜବତ କରିଛି। ହତ୍ୟା ବେଳେ ସେ ଏହି ଗାମୁଛା ବ୍ୟବହାର କରିଥିଲା। ସରୋଜର ବୟାନ ଅନୁଯାୟୀ ତଣ୍ଟି ଚିପି ହତ୍ୟା କରିବା ସମୟରେ ପରୀ ନାକରୁ ରକ୍ତ ବାହାରିଥିଲା। ସରୋଜ ଏକ ଗାମୁଛାରେ ଏହି ରକ୍ତକୁ ପୋଛିଥିଲା। ଏହାପରେ ଗାମୁଛାକୁ ସେ ଧୋଇ ଘରେ ରଖିଥିବା କହିଥିଲା। ଏହି ସ୍ବୀକାରୋକ୍ତି ପରେ ତଦନ୍ତକାରୀ ଦଳ ଯଦୁପୁର ଯାଇ ଉକ୍ତ ୨ଟି ଗାମୁଛା ଜବତ କରିଥିଲେ। ଗାମୁଛାରେ ରକ୍ତ ନଥିଲେ ମଧ୍ୟ ଦାଗ ରହିଥିଲା। କେମିକାଲ ପରୀକ୍ଷାରେ ଜଣାପଡ଼ିଥିଲା ଯେ ଏହା ହେଉଛି ରକ୍ତ ଦାଗ। ତେବେ ଏହି ରକ୍ତ ପରୀର କି ନାହିଁ ତାହା ଜାଣିବା ଲାଗି ଅଧିକ କେମିକାଲ ପରୀକ୍ଷା ପାଇଁ ପଠାଯାଇଥିବା ଏସ୍ଆଇଟିର ଜଣେ ଅଧିକାରୀ କହିଛନ୍ତି।
କ୍ରାଇମ୍ବ୍ରାଞ୍ଚକୁ ଗତକାଲି ରାତିରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସରୋଜ ଘର ପଛପଟ ପୋଖରୀରୁ ଲେଗିନ୍ସ ମିଳିଥିଲା। ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ଏହି ପୋଖରରୁ ଜଳ ନିଷ୍କାସନ କରି ଖୋଜାଖୋଜି କରିବା ପରେ ଲେଗିନ୍ସଟି ମିଳିଥିଲା। ପରୀ ହତ୍ୟା ମାମଲାରେ ପୋଖରୀରୁ ଆଜି ପୁଣି ପ୍ରମାଣ ଖୋଜିଛି ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍ଆଇଟି)। ଓଡ୍ରାଫ୍ ଟିମ୍, ସ୍କୁବା ଡାଇଭର୍ ପ୍ରମୁଖ ଆଜି ଦିନତମାମ ଏହି ପୋଖରୀରେ ପଶି ଖୋଜାଖୋଜି କରିଥିଲେ। ପରୀ ପିନ୍ଧିଥିବା ଲକେଟ୍ କିମ୍ବା ଅନ୍ୟ କିଛି ପ୍ରମାଣ ସଂଗ୍ରହ ଲକ୍ଷ୍ୟରେ ଏସ୍ଆଇଟି ପୋଖରୀ ଅଣ୍ଡାଳିଥିବା ଅନୁମାନ କରାଯାଉଛି। ଓଡ୍ରାଫ୍ ଟିମ୍ ଗତକାଲି ରାତିରେ ଲେଗିନ୍ସ ମିଳିଥିବା ସ୍ଥାନ ସମେତ ପୋଖରୀର ଅନ୍ୟ ସ୍ଥାନ ଖୋଜାଖୋଜି କରିଥିଲେ। ଏହି ସମୟରେ ହାତରେ ଲାଗିଥିବା ଆବର୍ଜନା ପୋଖରୀ ହୁଡ଼ାକୁ ଫିଙ୍ଗିଥିଲେ। ଉକ୍ତ ଆବର୍ଜନାକୁ ଅନ୍ୟ କର୍ମଚାରୀମାନେ ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଏସ୍ଆଇଟିର ତଦନ୍ତକାରୀ ଅଧିକାରୀ ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଯଦୁପୁର ଗାଁକୁ ଆସିଥିଲେ। ତାଙ୍କ ସହିତ ଓଡ୍ରାଫ୍ର ଏକ ୧୫ ଜଣିଆ ଦଳ ସେଠାରେ ପହଞ୍ଚିଥିଲେ। ଦୁଇ ସ୍କୁବା ଡାଇଭର୍ ଏବଂ ଓଡ୍ରାଫ୍ ଟିମ୍ ପୋଖରୀରେ ଦୀର୍ଘ ସମୟ ଖୋଜାଖୋଜି କରିଥିଲେ। ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଘଟଣାସ୍ଥଳରେ ପହଞ୍ଚି ଓଡ୍ରାଫ ଟିମ୍, ଏସ୍ଆଇଟି ସଦସ୍ୟଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ଏପଟେ ଏସ୍ଆଇଟି ରିମାଣ୍ଡର ଦ୍ୱିତୀୟ ଦିନରେ ଅଭିଯୁକ୍ତକୁ ଜେରା ଚାଲିଥିବା ବେଳେ, ତା’ର ଗାଁ ଯଦୁପୁରରେ ଥିବା ଘରେ ପଶି ଖୋଳତାଡ଼ କରାଯାଇଛି। ଅଭିଯୁକ୍ତର ପରିବାରରେ କେହି ପୁରୁଷ ଲୋକ ରହୁ ନ ଥିବାରୁ, ଏସ୍ଆଇଟିର ମହିଳା କର୍ମଚାରୀ ଘର ଯାଞ୍ଚ କରିଥିଲେ। ଏସ୍ଆଇଟିର କର୍ମଚାରୀ ଅଭିଯୁକ୍ତର ମା’ଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।