କେନ୍ଦୁଝର: ଖରା ଆରମ୍ଭରୁ ଶୁଖିଲାଣି ନଈ। ବୈତରଣୀର ଶାଖାନଦୀଠୁ ଆରମ୍ଭ କରି ଏକାଧିକ ପାହାଡ଼ୀ ନାଳର ଅବସ୍ଥା ଏବେ ଏମିତି। ଜଙ୍ଗଲ ଧ୍ବଂସ ଓ ନଦୀ ଜଳ ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା କାରଣରୁ ଆଗାମୀ ଦିନରେ ଏହି ସ୍ଥିତି ସଂଗିନ୍ ହେବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। କେନ୍ଦୁଝର ଜିଲ୍ଲାର ଜୀବନରେଖା ବୈତରଣୀ। ବୈତରଣୀକୁ ଛାଡ଼ିଦେଲେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବହିଯାଇଛି ୨୦ରୁ ଊର୍ଦ୍ଧ୍ବ ନଦୀ ଓ ପାହାଡ଼ୀ ଝରଣା। ବ୍ୟାପକ ଖଣି ଖନନ ତଥା ଜଙ୍ଗଲ ଧ୍ବଂସ କାରଣରୁ କେବଳ ବର୍ଷାଦିନ ଛାଡ଼ିଦେଲେ ଅନ୍ୟ ସମୟରେ ଏହି ଜଳ ଉତ୍ସଗୁଡ଼ିକରେ ପାଣି ନଥାଏ। ମାତ୍ର ଯେତେବେଳେ ଜଳର ପ୍ରକୃତ ଆବଶ୍ୟକତା ଥାଏ, ଅର୍ଥାତ ଖରାଦିନେ ଏହି ନଦୀନାଳ ସବୁ ଶୁଖିଲା ପଡୁଛି। କେନ୍ଦୁଝର ସହରକୁ ପାଣି ଯୋଗାଉଥିବା ସାନମାଛକାନ୍ଦଣା ନଦୀକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏହା ଏକ ପାହାଡ଼ୀ ଝରଣା। ସୁମଠ ପର୍ବତରୁ ବାହାରି ଉପର କଅଁସ, ତଳ ରଢୁଆଁ, ଚମ୍ପେଇ ଦେଇ ପ୍ରବାହିତ ହୋଇଛି ସାନମାଛକାନ୍ଦଣା। ଏହି ନଦୀ ଉପରେ ବଡ଼ଘାଗରାରେ ଡ୍ୟାମ୍‌ ନିର୍ମାଣ କରାଯାଇଛି।

Advertisment

ଏହାର ନିମ୍ନଭାଗରେ ରହିଛି ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ସାନଘାଗରା। ବଡ଼ଘାଗରା ଡ୍ୟାମ୍‌ରୁ କେନ୍ଦୁଝର ସହରକୁ ପାନୀୟଜଳ ଯୋଗାଣ ହେଉଛି। ଚଳିତ ବର୍ଷ ମାର୍ଚ୍ଚ ମାସରୁ ସାନମାଛକାନ୍ଦଣା ଶୁଖିଲା ପଡ଼ିଛି। କେଉଁଠି କ୍ଷୀଣ ଜଳଧାରଟିଏ ଦେଖିବାକୁ ମିଳୁନାହିଁ। ଆଉ ଅଳ୍ପଦିନ ମଧ୍ୟରେ ଭଲ ବର୍ଷା ନ ହେଲେ ସାନମାଛକାନ୍ଦଣା ନଦୀବନ୍ଧରୁ କେନ୍ଦୁଝର ସହରକୁ ପାନୀୟଜଳ ଯୋଗାଣରେ ବାଧା ଉପୁଜିବ ବୋଲି କୁହାଯାଉଛି। ଗତବର୍ଷ ସାନମାଛକାନ୍ଦଣା ଶୁଖିଯିବା କାରଣରୁ ବଡ଼ଘାଗରା ଜଳଭଣ୍ଡାର ଖାଲି ପଡ଼ିଥିଲା। ଫଳରେ ପ୍ରାୟ ଦୁଇମାସ ଧରି କେନ୍ଦୁଝର ସହର ପାଣି ପାଇଁ ଡହଳବିକଳ ହେଲା। ପ୍ରତିଦିନ ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଇବାକୁ ପଡ଼ିଲା। ଏବର୍ଷ ମଧ୍ୟ ଅନୁରୂପ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। 

ସେହିପରି ଚମ୍ପୁଆ ବ୍ଲକ୍‌ର ମେମର୍ଦ୍ଦା ନଈ ମଧ୍ୟ ଶୁଖିଲା ପଡ଼ିଛି। ଏହି ନଈ ଉପରେ ଉଚ୍ଚବାଲି, ଭୂଇଁପୁର ଓ ଭଣ୍ଡା ପଞ୍ଚାୟତର ହଜାର ହଜାର ଚାଷୀ ପରିବାର ନିର୍ଭର କରିଥାନ୍ତି। ସେଥିପାଇଁ ଏହି ନାଳରେ ଚାଷୀଙ୍କ ପାଇଁ ଏକାଧିକ ଉଠା ଜଳସେଚନ ପଏଣ୍ଟର ବ୍ୟବସ୍ଥା କରାଯାଇଛି। ଏବେଠୁ ଏହା ଶୁଖିଲା ପଡ଼ିବାରୁ ଏଠାରେ ଥିବା ଉଠା ଜଳସେଚନ ପଏଣ୍ଟଗୁଡ଼ିକ କାମରେ ଲାଗୁ ନାହିଁ। ସାଧାରଣତଃ ଖରାଦିନେ ପନିପରିବା କିମ୍ବା ଧାନଚାଷ ପାଇଁ ଏହି ଉଠା ଜଳସେଚନ ପଏଣ୍ଟର ଆବଶ୍ୟକତା‌ ଥାଏ। ପାଣି ନ ଥିବାରୁ ଖରାଟିଆ ଫସଲକୁ ନେଇ ଚାଷୀ ବର୍ତ୍ତମାନ ଚିନ୍ତାରେ। ସେମିତି ବାଙ୍କନାଳ, ଭାଲୁକା ନାଳ ମଧ୍ୟ ଶୁଖିଲା ପଡ଼ିଲାଣି। ନାଳ ଶୁଖିଯିବାରୁ ଏହା ଉପରେ ନିର୍ଭର କରୁଥିବା ଲୋକେ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଦିଓ ଏହା କିଛି ନଦୀନାଳର ଉଦାହରଣ, ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥବା ଶାଖା ନଦୀ ଓ ନାଳର ଅବସ୍ଥା ପ୍ରାୟ ସମାନ। ସବୁଠାରେ କେବଳ ବଡ଼ବଡ଼ ପଥରଖଣ୍ଡ ଦେଖାଯାଉଛି, ପାଣି ନାହିଁ।