ଜଗତସିଂହପୁର(ସନ୍ଦୀପ ଲେଙ୍କା): ଜଗତସିଂହପୁର ଜିଲ୍ଲାକୁ କୁହାଯାଏ ନଦୀନାଳର ଜିଲ୍ଲା। ମହାନଦୀ, ଦେବୀ, ଚିତ୍ରୋତ୍ପଳା, ପାଇକା ଭଳି ପ୍ରମୁଖ ନଦୀ ସମେତ ୧୫ରୁ ଅଧିକ ନଦୀ, ତାଳଦଣ୍ଡା କେନାଲ ଓ ମାଛଗାଁ କେନାଲ ଭଳି ପ୍ରମୁଖ କେନାଲ ଏହି ଜିଲ୍ଲାରେ ପ୍ରବାହିତ। କିନ୍ତୁ, ଏବେ ୬ଟି ନଦୀ ମୃତବତ୍ ସ୍ଥିତିରେ ରହିଥିବା ବେଳେ ୪ ନଦୀ ମୃତ୍ୟୁ ଅପେକ୍ଷାରେ ରହିଛନ୍ତି। ଏହାର ସିଧାସଳଖ ପ୍ରଭାବ ପଡ଼ିଛି ପରିବେଶ ଓ ସାଧାରଣ ଜନଜୀବନରେ। ଜିଲ୍ଲାରେ ପ୍ରବାହିତ ହଂସୁଆ, ଅଳକା, ଧନୁଆ, ଗୋବରୀ ଓ ବୃଦ୍ଧା ନଦୀ ଏବେ ମୃତ ପ୍ରାୟ। ଏହି ନଦୀ ଗୁଡ଼ିକ ପଠା ଉପରେ ଜବରଦଖଲ କରି ଲୋକ ଗୃହନିର୍ମାଣ କଲେଣି। ଏହି ନଦୀର ସ୍ରୋତ ହଜିଗଲାଣି। ଶଯ୍ୟା ପୋତି ହୋଇଗଲାଣି। ଜଳଧାରଣ କ୍ଷମତା ମଧ୍ୟ ହ୍ରାସ ପାଇ ଚାଲିଛି। ପୁନରୁଦ୍ଧାର ହୋଇ ପାରୁ ନଥିବାରୁ କେତେକ ଦଳଭର୍ତ୍ତି ଶଯ୍ୟାରେ ପରିଣତ ହୋଇଛି। ଏ ନେଇ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି।
୨୦୧୮ରେ ସାମାଜିକ କର୍ମୀ ରତ୍ନାକର ନାୟକ ବିରିଡ଼ି ବ୍ଲକ୍ ବୀରବରପାଟଣାରୁ ଏରସମା ପର୍ଯ୍ୟନ୍ତ ଅଳକା ନଦୀରୁ ଜବରଦଖଲ ହଟାଇବା ପାଇଁ ଦାବି କରିଥିଲେ। ପରେ ସେଣ୍ଟ୍ରାଲ ଇନ୍ଲାଣ୍ତ ଫିସରିଜ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ର ଛଅ ଜଣ ବରିଷ୍ଠ ଗବେଷକ ଜଗତସିଂହପୁର ଜିଲ୍ଲାକୁ ଆସିଥିଲେ। ବରିଷ୍ଠ ଗବେଷକ ଏସ୍.କେ ଦାସଙ୍କ ନେତୃତ୍ବରେ ଆସିଥିବା ଏହି ଟିମ୍ ବିରିଡ଼ି ବ୍ଲକ୍ର ବିଭିନ୍ନ ଅଞ୍ଚଳ ବୁଲିବା ସହ ମୃତ ଅଳକା ନଦୀର ନବୀକରଣ ନିମନ୍ତେ ଯୋଜନା ପ୍ରସ୍ତୁତ କରିଥିଲେ। ସେମାନେ ଏହାର ରିପୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦେଇଥିଲେ। କେବଳ ସେତିକି ନୁହେଁ; ୨୦୧୯ରେ ମଧ୍ୟ ମତ୍ସ୍ୟ ବିଭାଗ ମୃତ ନଦୀଗୁଡ଼ିକ ନବୀକରଣ ପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରିବା ପାଇଁ ଯୋଜନା କରିଥିଲା। ମାତ୍ର ତାହା ଆଜି ପର୍ଯ୍ୟନ୍ତ ପ୍ରସ୍ତୁତ ହେଇପାରିଲା ନାହିଁ କି କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ଯାଇପାରିଲା ନାହିଁ। ଫଳରେ, ଏହି ମୃତ ନଦୀ ଗୁଡ଼ିକ ନିମନ୍ତେ କିଛି ବି ଯୋଜନା କରାଯାଇପାରି ନାହିଁ।
ଗତବର୍ଷ ଅଳକା ନଦୀର ନବୀକରଣ ପାଇଁ ୩୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟକଳ କରାଯାଇଥିବାବେଳେ ପ୍ରାଥମିକ ସ୍ତରରେ ୧୩ କୋଟି ଟଙ୍କା ଅନୁଦାନ ଆସିଥିବା କୁହାଯାଇଥିଲା। ଓଡ଼ିଶୋ–ଅଢ଼ଙ୍ଗ ନିକଟରେ ନଦୀ ଅବବାହିକାର ନବୀକରଣ ପାଇଁ ୬.୬୦ କୋଟି ଓ ଅଢ଼ଙ୍ଗ–ଅସିଲୋ ପର୍ଯ୍ୟନ୍ତ ୬.୪୨ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଯୋଜନା କରାଯାଇଛି। ମାତ୍ର ବିଭିନ୍ନ କାରଣରୁ ଏହି ନବୀକରଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇ ପାରି ନାହିଁ। ମହାନଦୀ, ଦେବୀ, ଚିତ୍ରୋତ୍ପଳା ଓ ପାଇକା ଜଗତସିଂହପୁର ଜିଲ୍ଲାବାସୀଙ୍କ ‘ଜୀବନରେଖା’ ବୋଲି କୁହାଯାଏ। କେବଳ ବର୍ଷା ଋତୁରେ ଦୁଇ–ତିନି ମାସ ଏଥିରେ ପାଣି ରୁହେ। ମାତ୍ର ଗ୍ରୀଷ୍ମ ଓ ଶୀତ ଋତୁରେ ଏହି ନଦୀ ଗୁଡ଼ିକର କ୍ରମାଗତ ଭାବେ ଜଳସ୍ତର ହ୍ରାସ ପାଇ ଚାଲିଛି। ଏଣୁ ସ୍ଥାନୀୟ ଲୋକ, କୃଷକ ଓ ମତ୍ସ୍ୟଜୀବୀଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ୁଛି। ଜଳସେଚନ ପାଇଁ କୃଷକ ଓ ମତ୍ସ୍ୟଜୀବୀମାନେ ଏବେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଗୃହପାଳିତ ପଶୁ ମଧ୍ୟ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି।
ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ମଧ୍ୟ ମୃତ ନଦୀ ଗୁଡ଼ିକୁ ଜିଲ୍ଲାରେ ପ୍ର୍ରବାହିତ ନଦୀ ଗୁଡ଼ିକୁ ଯୋଡ଼ିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହାଦ୍ବାରା ମୃତନଦୀରେ ଜଳ ସଂରକ୍ଷିତ ରଖାଯାଇ ଚାଷ, ମାଛ ଧରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଇ ପାରିବ ବୋଲି ଶ୍ରୀ ତରାଇ କହିଥିଲେ। ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି। ଜିଲ୍ଲା ମତ୍ସ୍ୟ ବିଭାଗ ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଏକ ଚିଠି ଲେଖି ଏମ୍ଜିଏନ୍ଆରଇଜିଏସ୍ ଯୋଜନାରେ ନଦୀ ଅବବାହିକାକୁ ଖୋଳିବା ପାଇଁ ଏକ ପ୍ରସ୍ତାବ ରଖିଥିଲେ। ଏତେ ଅଭିଯୋଗ ଓ ଦାବି ପରେ ବି ରାଜ୍ୟ ସରକାର ଚୁପ୍ ରହିବା ସମସ୍ୟାକୁ ଗୁରୁତର କରିଛି।