ଲାଭଜନକ ପଦବିରେ ଥିବା ବିଧାୟକଙ୍କ ପାଇଁ ଅଡୁଆ ପରିସ୍ଥିତି: ରାଜ୍ୟପାଳ ନିଷ୍ପତ୍ତି ନେବେ: ହାଇକୋର୍ଟ

କଟକ : ଲାଭଜନକ ପଦବିରେ ଥିବା ବିଧାୟକଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଲାଭଜନକ ପଦବିରେ ରହିଥିବା ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପ୍ରସଂଗରେ ରହିଥିବା ଅଭିଯୋଗ ଉପରେ ନିଷ୍ପତ୍ତି ନେବାକୁ ରାଜ୍ୟପାଳଙ୍କୁ ହାଇକୋର୍ଟ କହିଛନ୍ତି। ରାଜ୍ୟପାଳ ଏହି ପ୍ରସଂଗରେ ଭାରତୀୟ ନିର୍ବାଚନ କମିସନଙ୍କ ମତାମତ ନେଇ ଏ ସଂପର୍କିତ ଦୁଇ ପିଟିସନ୍ ଉପରେ ନିଷ୍ପତ୍ତି ଗ୍ରହଣ କରିବେ। ଏହି ପ୍ରସଂଗରେ ନଭେମ୍ବର ୮ ସୁଦ୍ଧା ନିଷ୍ପତ୍ତି ନିଆଯିବ ଓ ରାଜ୍ୟପାଳଙ୍କ ନିଷ୍ପତ୍ତି ସଂକ୍ରାନ୍ତରେ ଆବେଦନକାରୀଙ୍କୁ ନଭେମ୍ବର ୧୫ ସୁଦ୍ଧା ଅବଗତ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ୍ ସଂଜୀବ କୁମାର ପାଣଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁପ୍ରିମକୋର୍ଟର ଆଇନଜୀବୀ ସମରେନ୍ଦ୍ର ବେଉରାଙ୍କ ଆବେଦନର ଶୁଣାଣି କରି ଏପରି ନି‌ର୍ଦ୍ଦେଶ ଦେଇଛନ୍ତି।

ବିଧାୟକମାନେ ଲାଭଜନକ ପଦବିରେ ରହିଥିବାରୁ ‌ସମ୍ବିଧାନର ଧାରା ୧୯୧(୧)(କ) ଅନୁସାରେ ସେମାନଙ୍କ ସଭ୍ୟ ପଦ ରଦ୍ଦ ହେବା ଉଚିତ ଦର୍ଶାଇ ୨୦୧୯, ମେ ୨୧ରେ ରାଜ୍ୟପାଳଙ୍କ ନିକଟରେ ଲିଖିତ ଆବେଦନ ଦାଖଲ କରିଥିଲେ ଶ୍ରୀ ବେଉରା। ୨୦୧୯, ଅଗଷ୍ଟ ୯ରେ ୩୦ଟି ଜିଲ୍ଲାର ଯୋଜନା କମିଟିର ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର। ଏହି ପଦବିରେ କେତେଜଣ ବିଧାୟକଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଏଭଳି ପଦରେ ନିଯୁକ୍ତି ପାଇଥିବା ବିଧାୟକଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧା ମିଳିଥିଲା। ଏହାପରେ ସମ୍ବିଧାନର ଧାରା ୧୯୨ ଅନୁସାରେ ଏପରି ବିଧାୟକଙ୍କ ପଦ ରଦ୍ଦ ପାଇଁ ଆବେଦନକାରୀ ୨୦୧୯, ସେପ୍ଟେମ୍ବର ୨୭ରେ ରାଜ୍ୟପାଳଙ୍କ ନିକଟରେ ଆବେଦନ ଦାଖଲ କରିଥିଲେ। ଓଡ଼ିଶା ହାଇକୋର୍ଟରେ ଆଇନଜୀବୀଙ୍କ ଆନ୍ଦୋଳନ ଚାଲିଥିବାରୁ ଏହି ପ୍ରସଂଗରେ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟରେ ମାମଲା ଦାୟର କରିବାକୁ ସୁପ୍ରିମକୋର୍ଟ କହିଥିଲେ। ଏହାପରେ ଆବେଦନକାରୀ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଦିଲ୍ଲୀ ହାଇକୋର୍ଟ ମାମଲାର ଶୁଣାଣି କରିବାକୁ ମନା କରିଥିଲେ। ଫଳରେ ଆବେଦନକାରୀ ଓଡ଼ିଶା ହାଇକୋର୍ଟରେ ମାମଲା ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର