ଯାଜପୁର/ବରୀ: ବିଜେଡି ମଙ୍ଗୁଆଳଙ୍କ ଜିଲ୍ଲା ଯାଜପୁରରେ ବିଜେଡି ସ୍ଥିତି ଏବେ ଗଡ଼ବଡ଼। ଗତ ସାଧାରଣ ନିର୍ବାଚନରେ ବିଜେଡି ଏଠାରେ ୪ଟି ବିଧାନସଭା ଆସନରେ ପରାଜୟ ଲଭିବା ପରେ ବିଜେପି ଶକ୍ତିବୃଦ୍ଧି ଆରମ୍ଭ କରିଛି। ତୃଣମୂଳସ୍ତରରୁ ସଂଗଠନ ହାତମୁଠାକୁ ନେବାକୁ ରଣନୀତି ପ୍ରସ୍ତୁତ କରିଛି। ଧର୍ମଶାଳା ବ୍ଲକ୍‌ର ଏକାଧିକ ସମିତିସଭ୍ୟ, ସରପଞ୍ଚ ବିଜେଡି ଛାଡ଼ି ବିଜେପି ହାତ ଧରିବାର ଦିନ କେଇଟା ପରେ ବିଜେଡି ବିଧାୟକ ଜିତିଥିବା ବରୀ ବ୍ଲକ୍‌ରେ ସମାନ ସ୍ଥିତି ଉପୁଜିଛି। ବରୀ ବ୍ଲକ୍‌ ଅଧ୍ୟକ୍ଷ ଅଶୋକ କୁମାର ଗେଡ଼ିଙ୍କ ସମେତ ୭ ପଞ୍ଚାୟତର ସରପଞ୍ଚ ଓ ୧୧ ପଞ୍ଚାୟତର ସମିତିସଭ୍ୟ ଆଜି ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଏମାନେ ବିଜେପିରେ ମିଶିବା ଘଟଣା ଜିଲ୍ଲା ରାଜନୀତିରେ କମ୍ପନ ସୃଷ୍ଟି କରିଛି।

Advertisment

ଗତ ତିନୋଟି ନିର୍ବାଚନରେ ଯାଜପୁରରେ ଅନ୍ୟ ଦଳ ଖାତା ଖୋଲି ପାରୁନଥିଲେ। ଦଳ ୭ରୁ ୭ ଆସନ ପୋଛି ନେଉଥିଲା। ମାତ୍ର ଗତ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିଥିଲା ବ୍ୟତିକ୍ରମ। ୭ଟି ବିଧାନସଭା ଆସନରୁ ବି‌ଜେଡି ମାତ୍ର ୩ଟି ଆସନରେ ସୀମିତ ରହିଥିଲା। ଯାଜପୁର ଲୋକସଭା ଆସନ ମଧ୍ୟ ବିଜେଡି ହାତରୁ ଖସିଥିଲା। ବରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବିଶ୍ବରଂଜନ ମଲ୍ଲିକ ଏଠାରେ ରେକର୍ଡ ପରିମାଣ (ସର୍ବାଧିକ ୫୧ହଜାରରୁ) ଅଧିକ ଭୋଟ୍‌ ପାଇ ବିଜୟ‌ୀ ହୋଇଥିଲେ। ଦଳ ଏଠାରେ ମଜଭୁତ ସ୍ଥିତିରେ ଥିବା ଏଥିରୁ ସ୍ପଷ୍ଟ ଥିଲା। ନିର୍ବାଚନର ଦିନ କେଇଟା ପରେ ବରୀ ବିଜେଡି ଶିବିରରେ ଘଳିଆ ପଡ଼ିଛି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ, ସାଂସଦ ଡ.ରବୀନ୍ଦ୍ର ନାରାୟଣ ବେହେରା, ବିଜେପି କାର୍ଯ୍ୟକାରୀ ସଭାପତି ଆଶୁତୋଷ ପରିଡ଼ା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ନାଉରୀ ନାୟକଙ୍କ ଭଳି ରାଜ୍ୟ ନେତୃତ୍ବଙ୍କ ଉପସ୍ଥିତିରେ ବରୀ ବିଜେପି ନେତା ଉମେଶ ଜେନାଙ୍କ ନେତୃତ୍ବରେ ବ୍ଲକ୍ ଅଧ୍ୟକ୍ଷ ଅଶୋକ କୁମାର ଗେଡ଼ି, ୭ ପଞ୍ଚାୟତର ସରପଞ୍ଚ ଧୀରେନ୍ଦ୍ର ଜେନା, ରଶ୍ମିତା ପରିଡ଼ା (କଳାମାଟିଆ), ଶକୁନ୍ତଳା ମଲ୍ଲିକ (ଅଙ୍ଗାଳ), ସବିତା ବେହେରା (ଗୋଳକୁଣ୍ଡ), ମାମିନା ଦାସ(ଈଷାଣପୁର), ଚପଳା ମଲ୍ଲ (ଚନ୍ଦନପୁର), ମାନସ ଜେନା (ରମ୍ପା) ଓ ୧୧ ଜଣ ସମିତିସଭ୍ୟ ସଞ୍ଜୀବ ଜେନା (ବରୀ), ଧୀରେନ୍ଦ୍ର ଦାସ (ମନ୍ଦାରି), ରମେଶ ‌ସାହୁ (ଅନ୍ୟାସପୁର), ପ୍ରିୟଙ୍କା ଦାସ (କଳାମାଟିଆ), ସ୍ବପ୍ନାରାଣୀ ସେଠୀ (ଅଙ୍ଗାଳୋ), ପ୍ରୀତିରଞ୍ଜନ ଜେନା (ଅଟିରା), ନିର୍ଝରିଣୀ ସାମଲ (ଉଦୟନାଥପୁର), କାବେରୀ ମଲ୍ଲିକ (କିମ୍ଭିରିଆପାଳ), ମାନସୀ ଦାସ (ବାଲିଆ), ସୁଧାଂଶୁବାଳା ସାମଲ ( ବାଲିବିଲି), ଜ୍ୟୋତିର୍ମୟୀ ବେହେରା (ରମ୍ପା) ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି।