ନବରଙ୍ଗପୁର/ନନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦଣ୍ଡସେନାଗୁଡ଼ା ଗାଁରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାକୁ ଅତି ହାଲକା ଭାବେ ନେଇଥିଲା ସ୍ବାସ୍ଥ୍ୟ ବିଭାଗ। ୩ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟୁକୁ ମଧ୍ୟ ଖଣ୍ଡନ କରିଥିଲା। କିନ୍ତୁ ୨୪ ଘଣ୍ଟା ପୂରିବା ପୂର୍ବରୁ ଦଣ୍ଡସେନାଗୁଡ଼ାରେ ପରିସ୍ଥିତି ଅଣାୟତ୍ତ ହୋଇଛି। ଆଜି ଗୋଟିଏ ଦିନରେ ୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ ପରିସ୍ଥିତି ବିଗୁଡ଼ୁଥିବା ନେଇ ଅଭିଯୋଗ ହୋଇଛି। ୩ ଦିନ ମଧ୍ୟରେ ୩ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଖବର ପାଇ ଗତକାଲି ଡାକ୍ତରୀ ଟିମ୍ ଗାଁରେ ପହଞ୍ଚିଥିଲା। ଜାନକୀ ଅମାନାତ୍ୟଙ୍କ ଝାଡ଼ାବାନ୍ତି ନୁହଁ ଅନ୍ୟ କାରଣରୁ ମୃତ୍ୟୁବରଣ କରିଥିବା ସ୍ବାସ୍ଥ୍ୟ ବିଭାଗ କହିଥିଲା। ସେହିପରି ଅନ୍ୟ ଦୁଇ ଜଣ କଳାଝାଡ଼ା ଯୋଗୁଁ ମୃତ୍ୟୁବରଣ କରିଥିବା ସୂଚନା ଦେଇଥିଲା। ତେବେ ଆଜି ସ୍ବାସ୍ଥ୍ୟ ବିଭାଗ ଟିମ୍ ଗାଁରେ ବୁଲିବା ସମୟରେ ରଶ୍ମିତା ଅମାନାତ୍ୟ (୩୨), ପୁଅ ଶ୍ରୀଧର ଅମାନାତ୍ୟ (୭) ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଥିଲା। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଝାଡ଼ାବାନ୍ତି ବ୍ୟାପିବା ପରେ ଗାଁରେ ଆତଙ୍କ ସୃଷ୍ଟି ହୋଇଛି। ଲୋକ ଡାକ୍ତରୀ ଚିକିତ୍ସା ପରିବର୍ତ୍ତେ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସର ସାହାରା ନେଇଛନ୍ତି। ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ଯିବା ପରିବର୍ତ୍ତେ ଘରେ ପୂଜାବିଧି ଚାଲିଥିବା ଖବର ପାଇ ଆଜି ପ୍ରଶାସନ ଗାଁରେ ପହଞ୍ଚିଥିଲା। ନନ୍ଦାହାଣ୍ଡି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ ନିଜେ ରୋଗୀଙ୍କୁ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବା ଦୃଶ୍ୟ ଦେଖିବାକୁ ମିଳିଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp