ଭୁବନେଶ୍ବର: ମହିଳା ସଶକ୍ତୀକରଣ କେବଳ ଏକ ଆହ୍ବାନ ହୋଇ ରହିନାହିଁ। ଏହା ଏବେ ବାସ୍ତବିକ ରୂପ ନେବାରେ ଲାଗିଛି। ସମଗ୍ର ଦେଶରେ ମହିଳାମାନଙ୍କ ସଫଳତା ଉଲ୍ଲେଖନୀୟ ସ୍ତରରେ ପହଞ୍ଚିଛି। ହେଲେ ସୁରକ୍ଷା, ସମ୍ମାନ ଓ ସ୍ବାବଲମ୍ବନ; ଏହି ତିନି ଦିଗ ପ୍ରତି ଆମେ ସତର୍କ ରହିଲେ, ମହିଳା ସଶକ୍ତୀକରଣର ପୂର୍ଣ୍ଣ ଲକ୍ଷ୍ୟ ହାସଲ ହୋଇପାରିବ।  ‘ସମ୍ବାଦ’ ପକ୍ଷରୁ ହୋଟେଲ ମେଫେୟାରଠାରେ ଆୟୋଜିତ ‘ଓଡ଼ିଶା ୫୦’ର ଷଷ୍ଠ ସଂସ୍କରଣର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଜି ଏଭଳି ମନ୍ତ୍ର ଫୁଙ୍କିଛନ୍ତି। ଶ୍ରୀ ହରିଚନ୍ଦନ ଆହୁରି କହିଛନ୍ତି, ଯେଉଁ ଘରେ ବା ସମାଜ‌ରେ ମହିଳାଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଏ; ସେଠାରେ ଭଗବାନ ବାସ କରନ୍ତି। ସେହି ସମାଜ ବିକାଶ ଓ ଉନ୍ନତି ପଥରେ ଆଗେଇ ଚାଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ‌ଯୋଗ ଦେଇ ‘ଆମ୍‌ୱେ ଇଣ୍ଡିଆ’ର ପରିଚାଳନା ନିର୍ଦ୍ଦେଶକ ରଜନୀଶ ଚୋପ୍ରା ମହିଳାମାନଙ୍କୁ ରାଷ୍ଟ୍ର ବିକାଶ ଓ ପ୍ରଗତିର ନିର୍ମାତା ଭା‌ବେ ଅଭିହିତ କରିଥିଲେ। ସେ କହିଥିଲେ, ମହିଳାମାନେ ଅର୍ଥନୀତି ବିକାଶର ଅଂଶୀଦାର। ଦେଶର ୪୮% ମହିଳାଙ୍କ ଅଂଶୀଦାର ବିନା ରାଷ୍ଟ୍ର ବିକାଶ ସମ୍ଭବ ନୁହେଁ। କାର୍ଯ୍ୟକ୍ରମରେ ଅନ୍ୟତମ ବିଶେଷ ଅତିଥି ଖିମ୍‌ଜୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ 
ଯୋଗ ଦେଇ କହିଲେ, ଯେତେବେଳେ ଆମେ ମହିଳାଙ୍କୁ ସଶକ୍ତ କରୁ ଆମେ ଏକ ପରିବାର, ଏକ ଗୋଷ୍ଠୀ ଓ ଦେଶର ଅର୍ଥନୀତିକୁ ବି ସଶକ୍ତ କରିଥାଉ। ତେବେ ମହିଳାଙ୍କୁ ସମା‌ନ ସୁଯୋଗ, ସମ୍ମାନ ଓ ସମ୍ବଳ ଯୋଗାଇ ଦେଲେ ସେମାନେ ଅଧିକ ସଶକ୍ତ ଓ ସ୍ବାବଲମ୍ବୀ ହୋଇପାରିବେ। 

Advertisment

ମହିଳା ହେଉଛନ୍ତି ରାଷ୍ଟ୍ର ବିକାଶ ଓ ପ୍ରଗତିର ନିର୍ମାତା:  ରଜନୀଶ ଚୋପ୍ରା
ସୁଯୋଗ, ସମ୍ମାନ ଓ ସମ୍ବଳ ଦ୍ବାରା ହୋଇପାରିବ ସଶକ୍ତୀକରଣ: ମିତେଶ ଖିମ୍‌ଜୀ

ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସମାଜକୁ ମହିଳାମାନଙ୍କ ନିଃସ୍ବାର୍ଥ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ, ସହରରେ ଘର ଖଣ୍ଡେ ନେଇ ରହିବାକୁ ବି ଆମେ ପ୍ରତି ମାସରେ ମୋଟା ଅଙ୍କର ଭଡ଼ା ଗଣିଥାଉ। ହେଲେ ଯେଉଁ ମା’ ଆମକୁ ଗର୍ଭରେ ରଖିଥାଏ, ତାହାକୁ ଆମେ କେବେ ତା’ର ଭଡ଼ା ଦେଇନାହୁଁ। ଯଦି ଏହି ଭଡ଼ା ମହିଳାମାନେ ଦାବି କରନ୍ତି, ଆମେ ଏହା ଦେବାକୁ ସକ୍ଷମ ବି ହେବା ନାହିଁ। ଶ୍ରୀ ପଟ୍ଟନାୟକ କହିଥିଲେ, ଆମ ସାହିତ୍ୟରେ ମହିଳାଙ୍କୁ ଅବଳା, ଦୁର୍ବଳା ଓ ଆଶ୍ରିତ ବୋଲି ବର୍ଣ୍ଣନା କରାଯାଇଛି। ‘ବିନାଶ୍ରୟେ ନ ବର୍ତ୍ତନ୍ତି କବିତା ବନିତା ଲତା’ କହି ସେମାନଙ୍କୁ କମ୍‌ ବୋଲି ଉପସ୍ଥାପିତ କରାଯାଏ। କିନ୍ତୁ ପୁରୁଷ କରୁଥିବା ସମସ୍ତ କାମ ଆଜି ମହିଳାମାନେ କରିସାରିଥିବା ବେଳେ ପୁରୁଷଙ୍କ ପକ୍ଷେ ମହିଳାଙ୍କ ସବୁ କାମ କରିବା ଆଜି ବି ସମ୍ଭବ ନୁହେଁ। ଏଥିସହ ଶ୍ରୀ ପଟ୍ଟନାୟକ ‘ମନ’ ମନ୍ତ୍ରକୁ ଦୋହରାଇଥିଲେ।

‘ମା’, ମାଟି, ମାତୃଭାଷା, ମୋବାଇଲ ଶିକ୍ଷା ଓ ମଦମୁକ୍ତି’ ଆଦି ‘୫ ମ’ ଏବଂ ‘ନିରୋଗ, ନିରହଙ୍କାର, ନିରାଡ଼ମ୍ବର, ନିଡର ଓ ନିଶାମୁକ୍ତ’ ଆଦି ‘୫ ନ’ ପାଳନ ଲାଗି ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ ଯୋଗ ଦେଇ ମହିଳାମାନଙ୍କୁ ନିରୋଗ ରହିବା ସହ ମୋବାଇଲକୁ ସେଲ୍‌ଫି ପାଇଁ ନୁହେଁ, ଶିକ୍ଷା ପାଇଁ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଏଥିରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ ଯୋଗ ଦେଇ ମହିଳାମାନଙ୍କୁ ନିଜ ଦକ୍ଷତା ବିକାଶ ଓ ଶିକ୍ଷାକୁ ଶାଣିତ କରିବାକୁ କହିଥିଲେ। ଏହି ଅବସରରେ ‘ସମ୍ବାଦ’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ ସ୍ବାଗତ ଭାଷଣରେ ମହିଳାଙ୍କୁ ସହଭାଗୀ ଭାବରେ ନୁହେଁ ବରଂ ସମାଜ ସେମାନଙ୍କୁ ଘରେ, ବାହାରେ ସବୁଠି ନେତୃତ୍ବ ସ୍ତରରେ ରଖିବାର ସମୟ ଆସିଥିବା ସ୍ମରଣ କରାଇଥିଲେ।  କାର୍ଯ୍ୟକ୍ରମରେ ଏକ କଫି ଟେବୁଲ୍‌ ବୁକ୍‌ର ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ଆମ୍‌ୱେର ବିଜ୍‌ନେସ୍‌ ଓନର୍‌ ରଶ୍ମିତା ମହାନ୍ତି, ଶାନ୍ତା ରଥ, ମନୋରମା ରାୟ, ସୁସ୍ମିତା ପଣ୍ଡା ଓ ଜୟଶ୍ରୀ ରଥ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ‘କନକ ନ୍ୟୁଜ୍‌’ର ସ୍ବସ୍ତିକା ପଣ୍ଡା ସଂଯୋଜନା କରିଥିଲେ।