ମାଛ ଜାଲରେ ପଡ଼ିଲା ମହିଳାଙ୍କ କଙ୍କାଳ

ସୋହେଲା: ସୋହେଲା ନିକଟସ୍ଥ ଗର୍ଭଣା ଗ୍ରାମର ଭଙ୍ଗା କଁଟାରେ ମାଛ ମାରିବା ସମୟରେ ମାଛ ଧରାଳିଙ୍କ ଜାଲରେ ଜନୈକା ମହିଳାଙ୍କ ଗଳିତ ଶବ (କଙ୍କାଳ) ମିଳିବା ଘଟଣା ଅଂଚଳରେ ଚାଂଚଲ୍ୟ ଖେଳି ଯାଇଛି। ମିଳିଥିବା ସୂଚନାରୁ ପ୍ରକାଶ, ଗତ କିଛି ମାସ ପୂର୍ବରୁ ଗ୍ରାମର ଜଣେ ମହିଳା ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି କଙ୍କାଳ ଉକ୍ତ ମହିଳାଙ୍କ ହୋଇଥାଇ ପାରେ ବୋଲି କିଛି  ଗ୍ରାମବାସୀ ସନ୍ଦେହ କରୁଥିବା ବେଳେ ସଂପୃକ୍ତ ପରିବାର ଲୋକେ କଙ୍କାଳକୁ ଦେଖିବା ପରେ ତାହା ନିଖୋଜ ମହିଳାଙ୍କ ନୁହେଁ ବୋଲି କହିବା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି।

ଗତକାଲି ଅପରାହ୍ନରେ କିଛି ଲୋକ ଭଙ୍ଗାକଁଟାରେ ମାଛ ମାରିବା ସମୟରେ କଁଟାର ଅପର ପାର୍ଶ୍ବରେ ଅମରି ବୁଦା ଭିତରେ ଏକ ମଣିଷ କଙ୍କାଳ ଦେଖିବାକୁ ପାଇ ସୋହେଲା ପୁଲିସକୁ ସୂଚନା ଦେଇଥିଲେ। କଙ୍କାଳରେ ଲାଗି ରହିଥିବା ସାୟା ଏବଂ କଙ୍କାଳ ନିକଟରେ ପଡିଥିବା ଲମ୍ବାବାଳକୁ ଦେଖି ଏହା ଏକ ମହିଳାଙ୍କ କଙ୍କାଳ ହୋଇଥିବା ପୁଲିସ ସନ୍ଦେହ କରୁଛି। ସଂଧ୍ୟାରେ ପୁଲିସ ଓ ଦମକଳ ବିଭାଗ କର୍ମଚାରୀମାନେ ଉକ୍ତ କଙ୍କାଳକୁ ଉଦ୍ଧାର କରି କୁଳକୁ ଆଣିଥିଲେ।

ପୁଲିସ ଘଟଣାର ତଦନ୍ତ ସମୟରେ ଗତ କିଛିମାସ ପୂର୍ବରୁ ଗ୍ରାମର ଜଣେ ମହିଳା ନିଖୋଜ ହୋଇଥିବା ଜାଣିବା ପରେ ସଂପୃକ୍ତ ପରିବାର ସଦସ୍ୟମାନଙ୍କୁ ଚିହ୍ନଟ ପାଇଁ ଡାକିଥିଲେ। ଉଦ୍ଧାର ହୋଇଥିବା କଙ୍କାଳକୁ ଦେଖିବା ପରେ ପରିବାର ଲୋକେ ତାହା ନିଖୋଜ ମହିଳାଙ୍କ ହୋଇ ନଥିବା ପ୍ରକାଶ କରିଥିଲେ। ପୁଲିସ ଏ ସଂପର୍କରେ ଏକ ମାମଲା ରୁଜୁ କରି ଜବତ କଙ୍କାଳ ଓ ସାୟାକୁ ପରୀକ୍ଷା ପାଇଁ ବୁର୍ଲା ଭିମ୍‌ସାର ଏଫ୍‌ଏମ୍‌ଡିକୁ ପଠେଇ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର