ବରଗଡ଼ : ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କୁନି ବଳରାମ ଆଉ ନାହାନ୍ତି। ସାଙ୍ଗମାନଙ୍କ ସହିତ ଖେଳୁଥିବା ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଏହି କୁନି କଳାକାରଙ୍କ ମୃତ୍ୟୁପରେ ଗୋପପୁର ପାଲଟୁଥିବା ଅମ୍ବାପାଲି ଗାଁରେ ଅଚାନକ ଯେମିତି ଶୋକର କଳାବାଦଲ ଢାଙ୍କି ହୋଇଯାଇଛି।

Advertisment

ଏହି କୁନି ବଳରାମ ହେଉଛନ୍ତି ଶ୍ରେୟସ ପୂଜାରୀ। ବୟସ ମାତ୍ର ୧୨ବର୍ଷ। ଶ୍ରେୟସ ସରସ୍ବତୀ ଶିଶୁ ମନ୍ଦିର (ହିନ୍ଦୀ ବିଭାଗ)ରେ ସପ୍ତମ ଶ୍ରେଣୀର ଛାତ୍ର ଥିଲେ। ଅନ୍ୟଦିନ ଭଳି ଶୁକ୍ରବାର ଦିନ ବି ସେ ସ୍କୁଲ୍‌କୁ ଯାଇଥିଲେ। ପଢ଼ାସାରି ଘରକୁ ଫେରିଥିଲେ। ଅପରାହ୍ନ ପ୍ରାୟ ଅଢ଼େଟା ସମୟରେ ସାଙ୍ଗମାନଙ୍କ ସହିତ ଖେଳୁଥିଲା ବେଳେ ହଠାତ୍‌ ତଳେ ପଡ଼ିଯାଇଥିଲେ। ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ପୁରୁଣା ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏକମାତ୍ର ପୁଅର ଅକାଳ ବିୟୋଗରେ ମହେନ୍ଦ୍ର ପୂଜାରୀ ଓ ଜୟନ୍ତୀ ପୂଜାରୀ ଭାଙ୍ଗି ପଡ଼ିଛନ୍ତି। ସାହିପଡ଼ିଶା ସମେତ ପୂରା ଅମ୍ବାପାଲିରେ ଶୋକର ଛାୟା ଖେଳିଯାଇଛି। ଧନୁଯାତ୍ରା ଆରମ୍ଭ ହେବାପୂର୍ବରୁ ଜଣେ କୁନି କାଳକାରଙ୍କ ବିୟୋଗକୁ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଶ୍ରେୟସ ଏଥର ପ୍ରଥମଥର ପାଇଁ ବଳରାମ ଭୂମିକାରେ ଅଭିନୟ କରିବାକୁ ମନୋନୀତ ହୋଇଥିଲେ। ଏଥିପାଇଁ ଗତ ୬ ତାରିଖଠାରୁ ଅନ୍ୟ କଳାକାରଙ୍କ ସହିତ ସେ ଅଭ୍ୟାସ କରୁଥିଲେ। କିନ୍ତୁ, ଅସଲ ଅଭିନୟ ପୂର୍ବରୁ ସେ ଜୀବନ ରଙ୍ଗମଞ୍ଚରୁ ବିଦାୟ ନେଇଛନ୍ତି। ଶ୍ରେୟସଙ୍କ ଘନିଷ୍ଠ ସାଙ୍ଗ ସମ୍ରାଟ ମହାପାତ୍ର ବି ଏଥରକ ପ୍ରଥମଥର ପାଇଁ କୃ‌ଷ୍ଣ ଭୂମିକାରେ ଅଭିନୟ କରିବେ। ଉଭୟ ସାଙ୍ଗ ଏଥିପାଇଁ ସମନ୍ବୟ ରଖି ପ୍ରସ୍ତୁତି ଚଳାଇଥିଲେ। କିନ୍ତୁ, ଏହି ଯୋଡ଼ି ଏବେ ଭାଙ୍ଗି ଯାଇଛି।

ଅନ୍ୟପକ୍ଷରେ, ଆସନ୍ତା ୨୭ ତାରିଖରୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ ହେବ। କୋଭିଡ୍‌ କଟକଣା ଯୋଗୁଁ ୨ବର୍ଷ ଧନୁଯାତ୍ରା ହୋଇନଥିଲା। ଏଥରକ ଧନୁଯାତ୍ରାକୁ ନେଇ ଚାରିଆଡ଼େ ଉତ୍ସବର ମାହୋଲ ଥିବାବେଳେ ଏହି ଖବର ଆୟୋଜକମାନଙ୍କୁ ବି ସ୍ତବ୍ଧ କରିଦେଇଛି।