କ୍ଷୁଦ୍ର ଶିଳ୍ପ ନିଗମ ପାଲଟିଛି ଠିକା ସଂସ୍ଥା, ମୂଳ କାମ ଛାଡ଼ି ଅନ୍ୟ କାମରେ ମାତିଛନ୍ତି

ଓଡ଼ିଶୀ ସଙ୍ଗୀତର ଡିଜିଟାଇଜେସନ୍ କାମ ବି କରିବ, ଘରୋଇ ସଂସ୍ଥା ଉପରେ ନିର୍ଭରଶୀଳ

ଭୁବନେଶ୍ବର: ରାଜ୍ୟରେ ଶିଳ୍ପାୟନ ପ୍ରକଳ୍ପକୁ ସୁଦୃଢ଼ କରିବା, ଏମ୍‌ଏସ୍‌ଏମ୍‌ଇ ସଂସ୍ଥାଗୁଡ଼ିକୁ ସହାୟତା ଯୋଗାଇବା ଓ ପ୍ରୋତ୍ସାହିତ କରିବା, ଗୁଣାତ୍ମକ କଞ୍ଚାମାଲ ଯୋଗାଇବା, କୋଠା ସରଞ୍ଜାମ ଯୋଗାଇବା ହେଉଛି ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ (ଓଏସ୍‌ଆଇସି)ର ମୂଳ କାମ। ମାତ୍ର ବିଡ଼ମ୍ବନାର ବିଷୟ ହେଲା ଯେ ଏହି ସଂସ୍ଥା ଏବେ ନିଜ ମୂଳ କାମ ଛାଡ଼ି ଅନ୍ୟ କାମରେ ମାତିଛି। ରାଜ୍ୟର ବିଭିନ୍ନ ସରକାରୀ କୋଠା ନିର୍ମାଣ, ରକ୍ଷଣାବେକ୍ଷଣ ପାଇଁ ପୂର୍ତ୍ତ ବିଭାଗ ଥିଲେ ହେଁ ଏବେ ଗୋଟିଏ ପରେ ଗୋଟିଏ କାମ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମକୁ ଦିଆଯାଉଛି। ଉଚ୍ଚ ଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା କୋଠାଠାରୁ ଆରମ୍ଭ କରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଅଧୀନରେ ବିଭିନ୍ନ ପ୍ରକଳ୍ପର ନିର୍ମାଣ ଦାୟିତ୍ବ ନେଇଛି। ଏପରିକି ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଅଧୀନରେ ଥିବା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଡିଜିଟାଇଜେସନ୍ କାମ ବି ଓଏସ୍‌ଆଇସି ନେଇଛି। କାର୍ଯ୍ୟଧାରା ଦେଖିଲେ ଲାଗୁଛି, ସତେ ଯେମିତି ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଏବେ ପୂରା ଠିକା ସଂସ୍ଥା ପାଲଟିଯାଇଛି।

ଓଏସ୍‌ଆଇସି କାମ କରିବା ଦ୍ବାରା ସରକାର ଲାଭରେ ହେଲେ ରହନ୍ତେ, ମାତ୍ର ବାସ୍ତବରେ ତାହା ବି ହେଉନି। ବରଂ ପୂର୍ତ୍ତ ବିଭାଗ ଯେତିକି ଟଙ୍କା ଖର୍ଚ୍ଚ କରିବ ବୋଲି ଆକଳନ କରୁଛି ତା’ର ବହୁଗୁଣା ଅଧିକ ଅର୍ଥ ନିଗମ ଖର୍ଚ୍ଚ କରୁଛି। ଏପରିକି କର୍ପୋରେସନ୍ ଚାର୍ଜ ବାବଦକୁ
୧୭% ଅଧିକ ନେଉଛି। ନିକଟରେ ବିଜେବି କଲେଜର ଏକ ଛାତ୍ରାବାସ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ୨୨କୋଟି ଟଙ୍କାର ଖର୍ଚ୍ଚ ଆକଳନ କରି ଟେଣ୍ଡର ଡାକିଥିଲା। କିନ୍ତୁ ଏହାକୁ ବାତିଲ୍ କରି ଓଏସ୍‌ଆଇସିକୁ କାମ ଦିଆଗଲା। ଓଏସ୍‌ଆଇସି ଏହାର ଖର୍ଚ୍ଚ ଆକଳନ ୨୮ କୋଟି କରି ଟେଣ୍ଡର ଡାକିଛି। ଏମିତି ବହୁ ବଡ଼ ପ୍ରକଳ୍ପର ନିର୍ମାଣ ଦାୟିତ୍ବ ନେଇଥିବା ଓଏସ୍‌ଆଇସିର ପାଖରେ ଖର୍ଚ୍ଚ ଆକଳନ ପ୍ରସ୍ତୁତ କରିବାକୁ ନା ଲୋକ ଅଛନ୍ତି ନା ଏକାଧିକ ପ୍ରକଳ୍ପ କଲେ ଏହାର ତଦାରଖ କରିବାକୁ ଯନ୍ତ୍ରୀ ଅଛନ୍ତି। ଏପରିକି ପ୍ରକଳ୍ପରେ ବ୍ୟବହାର ହେଉଥିବା ସାମଗ୍ରୀର ଗୁଣାତ୍ମକ ମାନ ଯାଞ୍ଚ କରିବାକୁ ଅଧିକାରୀ ବି ନାହାନ୍ତି। କିନ୍ତୁ ଅଧିକ ଟଙ୍କାରେ ଗୋଟିଏ ପରେ ଗୋଟିଏ କାମ ହାତେଇ ଚାଲିଛି ଓଏସ୍‌ଆଇସି।

ଲୁହା ଛଡ଼, କୋଠା ନିର୍ମାଣ ସାମଗ୍ରୀ ଯୋଗାଉଥିବା ସଂସ୍ଥା ଓଏସ୍‌ଆଇସିକୁ କିପରି ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଓଡ଼ିଶୀ ଗବେଷଣା କେନ୍ଦ୍ରର ଡିଜିଟାଇଜେସନ୍ କାମ ଦେଲା ତାହାକୁ ନେଇ ଚର୍ଚ୍ଚା ହେଉଛି। ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ବାରମ୍ବାର ଦାବି କରୁଥିଲେ ହେଁ ଏଥିପାଇଁ ଯେଉଁସବୁ ଡକୁମେଣ୍ଟ ଦରକାର ତାହା ଓଡ଼ିଶୀ ‌ଗବେଷଣା କେନ୍ଦ୍ରରେ ଅଛି। ଏଗୁଡ଼ିକ ଭିଡିଓ କ୍ୟାସେଟ୍‌ରେ ଥିବା‌ବେଳେ ଏହା ନଷ୍ଟ ହେବାକୁ ବସିଲାଣି। ତେଣୁ ଏହାକୁ ଡିଭିଡିରେ ପରିବର୍ତ୍ତନ କରିବା ସହ ଏହାକୁ ତୁରନ୍ତ ସଂରକ୍ଷଣ କରିବାର ଆବଶ୍ୟକତା ଅଛି। ହେଲେ ଓଏସ୍‌ଆଇସି ଏହି କାମ ନେଇଛି। ଓଡ଼ିଶୀ ଗବେଷଣା କେନ୍ଦ୍ର କର୍ତ୍ତୃପକ୍ଷ ଏ ନେଇ ଓପନ୍ ଟେଣ୍ଡର କରିବାକୁ ବିଭାଗକୁ ଫାଇଲ୍ ପଠାଇଥିଲେ। ଏ ନେଇ ବିଭାଗୀୟ ମନ୍ତ୍ରୀ ଫେବ୍ରୁଆରି, ୨୦୨୦ରେ ଅନୁମୋଦନ ବି କରିଥିଲେ। କିନ୍ତୁ ମାର୍ଚ୍ଚ ୨୦୨୦ରେ ଏହାକୁ ଓଏସ୍‌ଆଇସିକୁ ଦେବାକୁ କୁହାଗଲା। ନଭେମ୍ବର ୨୦୨୦ରେ ଓଏସ୍‌ଆଇସି ଫୋର୍ଟଲାଇନ୍ ଇନୋଭେଟିଭ୍ ପ୍ରାଇଭେଟ୍ ଲିମିଟେଡ୍‌କୁ କାମ ଦେଇଛି। କିନ୍ତୁ ଏପର୍ଯ୍ୟନ୍ତ ଏହି ସଂସ୍ଥା ଓଆର୍‌ସିକୁ ଆସିନି କି କିଛି କ୍ୟାସେଟ୍ ନେଇନି। କିଛି କାମ ହୋଇ ନ ଥିଲେ ବି ଓଏସ୍‌ଆଇସି ଓଡ଼ିଶୀ ଗବେଷଣା କେନ୍ଦ୍ରକୁ ୧୭ଲକ୍ଷ ଟଙ୍କା ମାଗିଛି। ସଂସ୍କୃତି ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଓଏସ୍‌ଆଇସି ଯେଉଁ ସଂସ୍ଥାକୁ କାମ ଦେଇଛି ତା’ ପାଖରେ ସାଉଣ୍ଡ ଇଞ୍ଜିନିୟର ଅଛନ୍ତି କି ନାହିଁ, ଆବଶ୍ୟକ ସାମଗ୍ରୀ ଅଛି କି ନାହିଁ, ଏ ସଂସ୍ଥା ପୂର୍ବରୁ ଏହିଭଳି କାମ କରିଛି କି ନାହିଁ ତାହା ଆମେ ଜାଣିନୁ। ତେଣୁ ଏହି ସଂସ୍ଥାକୁ ଓଡ଼ିଶୀ ସଂଗୀତ ଓ ନୃତ୍ୟର ସମସ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ କିପରି ଦେବୁ ତାହା ଜାଣିପାରୁନୁ। ଯଦି କିଛି ସମସ୍ୟା ‌ହୁଏ ତେବେ ଏଥିପାଇଁ କିଏ ଦାୟୀ ରହିବ?

ଓଏସ୍‌ଆଇସିର ଅଧୀକ୍ଷଣ ଯନ୍ତ୍ରୀ ପରୀକ୍ଷିତ ଦାସ କହିଛନ୍ତି ଯେ ଆମେ ପୂର୍ବରୁ ଛୋଟ ଛୋଟ କୋଠା କାମ କରୁଥିଲୁ। ଆମର ନିର୍ବାହୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଅଛନ୍ତି। ସେମାନେ ତ କିଛି କାମ କରିବେ। ପୂର୍ତ୍ତ ବିଭାଗ ଯେଉଁ କାମଗୁଡ଼ିକ ଦୀର୍ଘ ବର୍ଷ ହେଲା କରିପାରୁନି ସେଗୁଡ଼ିକୁ ଆମକୁ ଦିଆଯାଉଛି। ଆମେ ନିକଟରେ ରମାଦେବୀ ବିଶ୍ବବିଦ୍ୟାଳୟର ପ୍ରଶାସନିକ କୋଠା ନିର୍ମାଣ କରିଛୁ। ଏସ୍‌ଏସ୍‌ଟି ବିଭାଗର ହଷ୍ଟେଲ, ଆଦର୍ଶ ବିଦ୍ୟାଳୟ କାମ ମିଳିଛି। ଏବେ ବିଜେବି କଲେଜର ଦୁଇଟି ଛାତ୍ରାବାସ ନିର୍ମାଣ କରିବୁ। ପୂର୍ତ୍ତ ବିଭାଗ ଦୀର୍ଘ ବର୍ଷ ଧରି ଏହାକୁ କରିପାରିଲାନି ବୋଲି ଉଚ୍ଚଶିକ୍ଷା ବିଭାଗ ଆମକୁ ଏହି କାମ ଦେଇଛି। ଏଗୁଡ଼ିକର ନିର୍ମାଣ ଖର୍ଚ୍ଚ ୨୦ କୋଟିରୁ ଅଧିକ ରହିଛି। ମୋର ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଟେଣ୍ଡର ଡାକିବାର କ୍ଷମତା ଥିବାରୁ ଆମର ଏମ୍‌ଡି ଏହାର ଟେଣ୍ଡର ଡାକିଛନ୍ତି। ଏହି ଟେଣ୍ଡର ଡାକିବା ପାଇଁ ଯେଉଁ ଡିପିଆର୍ ପ୍ରସ୍ତୁତ ହୋଇଥିଲା ତାହାକୁ ଇଡ୍‌କୋର ମୁଖ୍ୟଯନ୍ତ୍ରୀ ଅନୁମୋଦନ କରିଛନ୍ତି। ଇଡ୍‌କୋ ମୁଖ୍ୟଯନ୍ତ୍ରୀ ବୈଷୟିକ ଅଧିକାରୀ ଭାବେ ଏହାର ଅନୁମୋଦନ କରିଥିବାରୁ ଟେଣ୍ଡରରେ କିଛି ସମସ୍ୟା ନାହିଁ।

ସେ ଆହୁରି କହିଛିନ୍ତି ଯେ ଆମର ଖର୍ଚ୍ଚ ଆକଳନ କରିବାକୁ କର୍ମଚାରୀ ନାହାନ୍ତି। ସେଥିପାଇଁ ଆମେ ଘରୋଇ ସଂସ୍ଥା ଦ୍ବାରା ଖର୍ଚ୍ଚ ଆକଳନ ପ୍ରସ୍ତୁତ କରୁଛୁ। ପୂର୍ତ୍ତ ବିଭାଗ ଯେ‌େବ ଡିପିଆର୍ ପ୍ରସ୍ତୁତ କରିଥିଲା ସେତେବେଳେ ଦାମ୍‌ କମ୍‌ ଥିଲା। ଏବେ ଦାମ୍ ବଢ଼ିଥିବାରୁ ଆମର ଖର୍ଚ୍ଚ ଆକଳନ ବଢ଼ିଛି। ବିଲଡିଂ ନିର୍ମାଣ ସମୟରେ ଗୁଣାତ୍ମକ ମାନ ଯାଞ୍ଚ କରିବା ପାଇଁ ଆମର ଅଧିକାରୀ ନାହାନ୍ତି। ସେଥିପାଇଁ ଆମେ ତୃତୀୟ ପକ୍ଷ ଦ୍ବାରା ଏହାର ଯାଞ୍ଚ କରୁଛୁ। ଓଡ଼ିଶୀ ଗବେଷଣା କେନ୍ଦ୍ରର ଡିଜିଟାଇଜେସନ୍ କାମ ଆମର ମାର୍କେଟିଂ ବିଭାଗ ବୁଝୁଛି ବୋଲି ଶ୍ରୀ ଦାସ ସଫେଇ ଦେଇଛନ୍ତି।

ସମ୍ବନ୍ଧିତ ଖବର