ଦୁର୍ଘଟଣା ପଛରେ ଷଡ଼୍‌ଯନ୍ତ୍ର ଗନ୍ଧ: ଲୁପ୍‌ ଲାଇନ୍ ଖୋଲାଥାଇ କେମିତି ଗଲା ଗ୍ରିନ୍ ସିଗନାଲ୍‌?

ସକାଳେ କହିଲେ ଦୋଷୀ ଧରାପଡ଼ିଲା, ସନ୍ଧ୍ୟାରେ ସିବିଆଇ ତଦନ୍ତ

ବାହାନଗା ବଜାର ଷ୍ଟେସନ୍‌ରୁ ବିଶ୍ବଜିତ ଦାଶ
ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ବଜାର ଷ୍ଟେସନ୍‌ରେ ହୋଇଥିବା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ୍ କରିଛି ରେଳବାଇ ବୋର୍ଡ। ନିଜେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହା ଘୋଷଣା କରିବା ପରେ ଦୁର୍ଘଟଣା ପଛରେ ଷଡ଼୍‌ଯନ୍ତ୍ର ଥିବା ସନ୍ଦେହ କରାଯାଉଛି। ଆଜି ପୂର୍ବାହ୍ନରେ ରେଳମନ୍ତ୍ରୀ ବାହାନଗା ବଜାର ରେଳ ଷ୍ଟେସନ୍‌ ପରିଦର୍ଶନ କରିବା ବେଳେ କହିଥିଲେ, ଇଲେକ୍ଟ୍ରୋନିକ୍ ଇଣ୍ଟର୍‌ଲକିଂ ବ୍ୟବସ୍ଥା ଫେଲ୍‌ ହୋଇଥିବାରୁ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୋଷୀଙ୍କୁ ଚିହ୍ନଟ କରାଯାଇଛି। ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ହେବ। ଅନ୍ୟପକ୍ଷରେ, ଗତକାଲି ଦୁର୍ଘଟଣାସ୍ଥଳକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଦୁର୍ଘଟଣା ପାଇଁ ଯିଏ ଦୋଷୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ତେବେ ଦୋଷୀକୁ ଚିହ୍ନଟ କରିବା ପରେ କାହିଁକି ପୁଣି ସିବିଆଇ ତଦନ୍ତ ପାଇଁ ସୁପାରିସ୍‌ କରାଯାଉଛି, ସେ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

ରବିବାର ପୂର୍ବାହ୍ନରେ ଏହି ପ୍ରତିନିଧି ଦୁର୍ଘଟଣାସ୍ଥଳ ବାହାନଗା ବଜାର ଷ୍ଟେସନ୍‌ରେ ପହଞ୍ଚିଥିଲେ। ଷ୍ଟେସନ୍‌ର ଭାରପ୍ରାପ୍ତ ଷ୍ଟେସନ୍‌ ମାଷ୍ଟର, ଆସିଷ୍ଟାଣ୍ଟ ଷ୍ଟେସନ୍‌ ମାଷ୍ଟର ଓ ରେଳବାଇର ବରିଷ୍ଠ ଅଧିକାରୀମାନଙ୍କ ସହ କଥା ହେବାବେଳେ ସମସ୍ତେ କହିଥିଲେ, ଇଣ୍ଟରଲକିଂ ବ୍ୟବସ୍ଥା ଫେଲ୍‌ ମାରିବାରୁ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣା ସଂଧ୍ୟାରେ ଡ୍ୟୁଟିରେ ଥିଲେ ଷ୍ଟେସନ୍‌ ମାଷ୍ଟର ଏସ୍‌.ବି.ମହାନ୍ତି। ରେଳବାଇର ବୈଷୟିକ ଟିମ୍‌ ଓ ଉଚ୍ଚପଦସ୍ଥ ଅଧିକାରୀମାନେ ଆଜି ତାଙ୍କୁ ଦୀର୍ଘସମୟ ଧରି ପଚରାଉଚରା କରିଥିଲେ। ଅଧିକ ତଦନ୍ତ ପାଇଁ ତାଙ୍କୁ ରେଳବାଇ ସୁରକ୍ଷା କମିସନ୍‌ (କମିସନ୍ ଅଫ୍ ରେଲ୍‌ ସେଫ୍ଟି) ଖୋର୍ଦ୍ଧାରୋଡ୍‌ସ୍ଥିତ କାର୍ଯ୍ୟାଳୟକୁ ନିଆଯାଇଛି। ହେଲେ ସେଠାରୁ କ’ଣ ତଥ୍ୟ ମିଳିଲା ଯେ, ହଠାତ୍ ସିବିଆଇ ତଦନ୍ତ ସୁପାରିସ୍‌ କରିବାକୁ ପଡ଼ିଲା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଲୁପ୍‌ ଲାଇନ୍ ଖୋଲାଥାଇ
କେମିତି ଗଲା ଗ୍ରିନ୍ ସିଗନାଲ୍‌?
ସକାଳେ କହିଲେ ଦୋଷୀ ଧରାପଡ଼ିଲା, ସନ୍ଧ୍ୟାରେ ସିବିଆଇ ତଦନ୍ତ
ଇଲେକ୍ଟ୍ରୋନିକ୍ ଇଣ୍ଟର୍‌ଲକିଂ ବ୍ୟବସ୍ଥା ଫେଲ୍‌ ମାରିବାରୁ ଦୁର୍ଘଟଣା
ଜେରା ପରେ ବାହାନଗା ଷ୍ଟେସନ୍‌ମାଷ୍ଟରଙ୍କୁ ନିଆଗଲା ଖୋର୍ଦ୍ଧା

ଶୁକ୍ରବାର ସନ୍ଧ୍ୟାରେ ବାହାନଗା ବଜାର ଷ୍ଟେସନ୍‌ରେ କରମଣ୍ଡଳ ଏକ୍ସପ୍ରେସ୍ ତିନିଟି ଟ୍ରେନ୍‌କୁ ଧକ୍କା ଦେଇଥିଲା। ପ୍ଲାଟଫର୍ମ ନଂ ୧ରେ ଥିବା ମାଲ୍‌ବାହୀ ଟ୍ରେନ୍ (ଧାମରା ବନ୍ଦରକୁ ଲୁହାପଥର ଯାଉଥିଲା), ପ୍ଲାଟଫର୍ମ ନଂ ୩ରେ ଆସୁଥିବା ବେଙ୍ଗାଲୁରୁ-ହାଓଡା ଏକ୍ସପ୍ରେସ୍ ଓ ପ୍ଲାଟଫର୍ମ ନଂ-୪ରେ ଖଡ଼ଗପୁର ଅଭିମୁଖେ ଯିବାକୁ ଛିଡ଼ା ହୋଇଥିବା ମାଲ୍‌ବାହୀ ଟ୍ରେନ୍‌କୁ ଧକ୍କା ଦେବାରୁ ୩ଟି ଯାକ ଟ୍ରେନ୍‌ କ୍ଷତିଗ୍ରସ୍ତ ହୋଇଥିଲା। କରମଣ୍ଡଳ ଦୁର୍ଘଟଣାଗ୍ରସ୍ତ ହେବାର କିଛି ସମୟ ପୂର୍ବରୁ ସନ୍ଧ୍ୟା ୬ଟା ୩୫ରେ ଧାମରା ଅଭିମୁଖେ ଆସୁଥିବା ​ମାଲବାହୀ ଟ୍ରେନ୍‌କୁ ବାହାନଗା ବଜାର ଷ୍ଟେସନ୍‌ ମାଷ୍ଟର ଲୁପ୍‌ ଲାଇନ୍‌ ଦେଇ ପ୍ଲାଟଫର୍ମ-୧କୁ ଆଣିଥିଲେ। ପ୍ଲାଟଫର୍ମ-୨ ଟ୍ରାକ୍‌ରେ କରମଣ୍ଡଳ ଏକ୍ସପ୍ରେସ୍‌ ସଦାବେଳେ ଯାଉଥିବାରୁ ଏହି ଟ୍ରାକ୍‌ରେ ଆସିବାକୁ ସବୁଜ ସଂକେତ ଦିଆଯାଇଥିଲା। ଏପରିକି ବାହାନଗା ବଜାର ଲେଭେଲ୍ କ୍ରସିଂ ଗେଟ୍ ପକାଯାଇଥିଲା। ଏହିସମୟରେ ବେଙ୍ଗାଲୁର-ହାୱଡା ଏକ୍ସପ୍ରେସ୍ ପଣପଣା ଷ୍ଟେସନ ଛାଡ଼ିବା ପରେ ପ୍ଲାଟଫର୍ମ-୩ ଟ୍ରାକ୍ କ୍ଲିୟର୍‌ ଥିବାରୁ ଷ୍ଟେସନମାଷ୍ଟର ଏହାକୁ ବି ଗ୍ରିନ୍ ସିଗନାଲ୍‌ ଦେଇଥିଲେ।

ସେହିସମୟରେ କରମଣ୍ଡଳ ଘଣ୍ଟା ପ୍ରତି ୧୨୮ କିମି ଓ ବେଙ୍ଗାଲୁର-ହାଓଡା ଏକ୍ସପ୍ରେସ୍‌ ଘଣ୍ଟା ପ୍ରତି ୧୨୬ କିମି ବେଗରେ ଚାଲିଥିଲେ। ହେଲେ, ବାହାନଗା ବଜାର ଷ୍ଟେସନ୍‌ରେ ଧାମରା ଯିବାକୁ ଥିବା ମାଲ୍‌ବାହୀ ଟ୍ରେନ୍ ୬ଟା ୩୫ରେ ଲୁପ୍‌ ଲାଇନ୍‌ରେ ପ୍ଲାଟଫର୍ମ-୧କୁ ଆସିବାପରେ ସେଠାରେ ଥିବା ଇଣ୍ଟରଲକିଂ ବ୍ୟବସ୍ଥା କାମ କରିନଥିଲା। ଅର୍ଥାତ୍ ଟ୍ରେନ୍‌ ପ୍ଲାଟଫର୍ମ-୧କୁ ଯିବାପରେ ବି ଲୁପ୍‌ ଲାଇନ୍‌ ସେଟ୍‌ ହୋଇଛି ବୋଲି ଷ୍ଟେସନ୍‌ ମାଷ୍ଟରଙ୍କୁ ସିଗନାଲ୍ ଯାଇଥିଲା। କିନ୍ତୁ, ମେନ୍‌ ଲାଇନ୍‌​ରେ ଗ୍ରିନ୍ ସିଗନାଲ୍‌ ଥିବା ସତ୍ତ୍ବେ ଲୁପ୍‌ ଲାଇନ୍‌ ଖୋଲାଥିଲା। ଯେଉଁଥିପାଇଁ କରମଣ୍ଡଳ ଏକ୍ସପ୍ରେସ୍ ୬ଟା ୫୫ରେ ଉକ୍ତ ଫେସିଂ ପଏଣ୍ଟରେ ପହଞ୍ଚିବା ପରେ ପ୍ଲାଟଫର୍ମ-୨ରେ ନଯାଇ ପ୍ଲାଟଫର୍ମ-୧କୁ ଯାଇଥିବା ଲୁପ୍‌ ଲାଇନ୍‌ରେ ଚାଲି ଯାଇଥିଲା। ଆଉ ସେଠାରେ ପୂର୍ବରୁ ଥିବା ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ତା ଉପରେ ଚଢ଼ି ଯାଇଥିଲା। ଏହିଠାରେ ହିଁ ଷଡ଼୍‌ଯନ୍ତ୍ରର ଗନ୍ଧ ଆସୁଛି। କାରଣ ଲୁପ୍‌ ଲାଇନ୍‌ ଖୋଲା ଥିଲେ ଗ୍ରିନ୍ ସିଗନାଲ୍ ଯାଇନଥାନ୍ତା। ବାହାନଗା ବଜାର ଷ୍ଟେସନମାଷ୍ଟରଙ୍କ ବିନା ଅନୁମତିରେ ଏଠାରେ କେହି ​ସିଗନାଲ୍‌ ମରାମତି କାମ କରୁଥିଲେ ନା କେହି ଉଦ୍ଦେଶ୍ୟମୂଳକ ଭାବେ ଇଣ୍ଟରଲକ୍‌କୁ ଖରାପ କରି ସିଗନାଲ୍ ଗ୍ରିନ୍‌ କରିଥିଲେ; ତାହା ଏବେ ସନ୍ଦେହରେ।

ନିୟମ ଅନୁଯାୟୀ, ଲୁପ୍ ଲାଇନ୍ ଖୋଲା ଥିଲେ ରେଡ୍‌ ସିଗନାଲ୍‌ ଆସିଥାନ୍ତା। ନଚେତ୍ ହଳଦିଆ (ୟେଲୋ) ସିଗନାଲ୍ ସହ ଲୁନାର୍ ଲାଇଟ୍ ଜଳିଥାନ୍ତା। ଯାହାଦ୍ବାରା କରମଣ୍ଡଳ ଲୋକୋ ପାଇଲଟ୍‌ ଟ୍ରେନ୍‌ର ଗତି କମାଇ ନିୟନ୍ତ୍ରଣକୁ ଆଣିଥାନ୍ତେ। ଲୁପ୍‌ ଲାଇନ୍‌ରେ ଟ୍ରେନ୍ ଯିବାକୁ ଥିଲେ ଘଣ୍ଟା ପ୍ରତି ୩୦ କିମି ବେଗରେ ଯାଇଥାନ୍ତା। କିନ୍ତୁ କରମଣ୍ଡଳ ଘଣ୍ଟା ପ୍ରତି ୧୨୮ କିମି ବେଗରେ ଆସୁଥିଲା। ଯେଉଁଥିପାଇଁ ଲୁପ୍‌ଲାଇନ୍‌କୁ ଯିବା କ୍ଷଣି ଟ୍ରେନ୍‌ ଗତିର ତୀବ୍ରତାରେ ବଗିଗୁଡ଼ିକ ଧ୍ବସ୍ତବିଧ୍ବସ୍ତ ହୋଇ ଓଲଟି ପଡ଼ିଥିଲା। କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହାର ଇଞ୍ଜିନ ମାଲବାହୀ ଟ୍ରେନ୍‌ ଉପରେ ଚଢ଼ି ଯାଇଥିବା ବେଳେ କିଛି ବଗି ଲାଇନଚ୍ୟୁତ ହୋଇ ୩ ନଂ ପ୍ଲାଟଫର୍ମ ଟ୍ରାକ୍‌କୁ ପଳାଇଥିଲା। ଏହି ସମୟରେ ଉକ୍ତ ଲାଇନ୍‌ରେ ଯାଉଥିବା ବେଙ୍ଗାଲୁର-ହାୱଡା ଏକ୍ସପ୍ରେସ୍‌ର ପଛ ଦୁଇ ବଗିରେ କରମଣ୍ଡଳର ବଗିଗୁଡ଼ିକ ମାଡ଼ ହୋଇଥିଲା। ସେପଟେ ପ୍ଲାଟଫର୍ମ-୪ରେ ଛିଡ଼ା ହୋଇଥିବା ମାଲବାହୀ ଗାଡ଼ି ସହ କରମଣ୍ଡଳର କିଛି ବଗି ଓ ଖଡ଼ଗପୁର ଯିବାକୁ ଥିବା ମାଲବାହୀ ଟ୍ରେନ୍‌ ମଝିରେ ହାୱଡା ଏକ୍ସପ୍ରେସ୍‌ର ଦୁଇଟି ବଗି ଘଷି ହୋଇ ୨୦୦ରୁ ୩୦୦ ମିଟର ଯାଏ ପଳାଇଥିଲା। ଯେଉଁଥିପାଇଁ ବଗିରୁ ଯାତ୍ରୀ ବାହାରି ପାରିଲେନି ଓ ମୃତକଙ୍କ ସଂଖ୍ୟା ବଢ଼ିଲା। ସୂଚନାଯୋଗ୍ୟ, ଏହି ଭୟଙ୍କର ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୭୫ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର