ପିଲାଙ୍କ ମଧ୍ୟାହ୍ନଭୋଜନରେ ଦୁର୍ନୀତିର ଗନ୍ଧ: କୁଆଡ଼େ ଗଲା ୫ ହଜାର କୁଇଣ୍ଟାଲ୍‌ ଚାଉଳ?

ପଞ୍ଚମ ପର୍ଯ୍ୟାୟ କୋଟା ଶେଷ ହୋଇନି, ବଣ୍ଟା ଚାଲିଛି ନୂଆ ଶିକ୍ଷାବର୍ଷ ପାଇଁ ଚାଉଳ

କେନ୍ଦ୍ରାପଡ଼ା : ଶିକ୍ଷା ବିଭାଗ କହୁଛି ଚାଉଳ ମହଜୁଦ୍‌ ନ ଥିଲା। ଯୋଗାଣ ବିଭାଗ କହୁଛି ଚାଉଳ ଥିଲା, କିନ୍ତୁ ଠିକଣା ସମୟରେ ଉଠାଣ ହେଲାନି। ସମୟସୀମା ପୂରିଗଲା। ତେଣୁ ଅନୁମତି ବିନା ଚାଉଳ ଦେବା ସମ୍ଭବ ହେଲାନି। କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟାହ୍ନଭୋଜନ ବଣ୍ଟନ କ୍ଷେତ୍ରରେ ଉଭୟ ଶିକ୍ଷା ଓ ଯୋଗାଣ ବିଭାଗର ଏଭଳି ଭିନ୍ନ ଯୁକ୍ତି କେବଳ ବଡ଼ଧରଣର କେଳେଙ୍କାରୀର ଆଭାସ ଦେଉନାହିଁ; ବର˚ ସ୍କୁଲ୍‌ ପିଲାଙ୍କ ପାଇଁ ଆସିଥିବା ପାଖାପାଖି ୫ହଜାର କୁଇଣ୍ଟାଲ୍‌ ଚାଉଳ ହଡ଼ପ ଉଦ୍ୟମକୁ ନେଇ ସନ୍ଦେହ ବଢିଲାଣି। ଇତିମଧୢରେ ପୁରୁଣା ଶିକ୍ଷା ବର୍ଷ(୨୦୨୦-୨୧) ଯାଇ ନୂଆ ଶିକ୍ଷା ବର୍ଷ ୨୦୨୧-୨୨ ଆରମ୍ଭ ହେଇ ତିନି ମାସ ବିତିଗଲାଣି। ହେଲେ ଏଯାଏ ପୁରୁଣା ଶିକ୍ଷା ବର୍ଷର ପଞ୍ଚମ ପର୍ଯ୍ୟାୟ ମଧ୍ୟାହ୍ନଭୋଜନ ଚାଉଳ ପିଲାଙ୍କୁ ଦିଆଯାଇନାହିଁ। ଅନ୍ୟ ଜିଲ୍ଳାମାନଙ୍କରେ ଯେତେବେଳେ ପୁରୁଣା ଶିକ୍ଷାବର୍ଷର କୋଟା ଶେଷ କରି ନୂଆ ଶିକ୍ଷାବର୍ଷର ପ୍ରଥମ ପର୍ଯ୍ୟାୟ ଚାଉଳ ସ୍କୁଲ୍‌ରେ ଦେବା ଆରମ୍ଭ କରି ଦେଲେଣି, ସେତେବେଳେ କେନ୍ଦ୍ରପଡ଼ାରେ ପୁରୁଣା ବର୍ଷର ଚାଉଳ ନ ଦେଇ ନୂଆ ଶିକ୍ଷାବର୍ଷର ଚାଉଳ ବଣ୍ଟନ ଆରମ୍ଭ କରିବା ଘଟଣା କେଳେଙ୍କାରୀ ଆଶଙ୍କାକୁ ବଢ଼ାଇ ଦେଇଛି।

କରୋନା ମହାମାରୀରେ ସ୍କୁଲ୍‌ ଖୋଲାଥିଲେ ହେଁ, ପିଲା ଆସିବାକୁ ବାରଣ କରାଯାଇଛି। ହେଲେ ମଧ୍ୟାହ୍ନଭୋଜନ ବାବଦକୁ ଚାଉଳ ଏବ˚ ରାସନ୍‌ ଖର୍ଚ୍ଚ ବାବଦକୁ ଅର୍ଥ ପିଲାଙ୍କ ଆକାଉଣ୍ଟ୍‌କୁ ପଠାଇ ଦିଆଯାଉଛି। ଅଭିଭାବକ ମାନେ କେବଳ ସ୍କୁଲ୍‌ ଯାଇ ପିଲାଙ୍କ ଚାଉଳ ଆଣୁଛନ୍ତି। କରୋନା ମହାମାରୀରେ ସ୍କୁଲ୍‌କୁ ପିଲା ଆସିବା ବନ୍ଦ ହେବା ପରଠୁ ଏଭଳି ବ୍ୟବସ୍ଥାରେ ମଧ୍ୟାହ୍ନଭୋଜନ ଚାଲିଛି। ଦୁଇ ତିନି ମାସକୁ ଗୋଟିଏ ଫେଜ୍‌ ବା ପର୍ଯ୍ୟାୟ ରୂପେ ବିଚାର କରାଯାଇ କାର୍ଯ୍ୟଦିବସ ଅନୁଯାୟୀ ପ୍ରାଥମିକ ସ୍କୁଲ୍‌ ପିଲା (ପ୍ରଥମରୁ ପଞ୍ଚମ) ହୋଇଥିଲେ ମୁଣ୍ତ ପିଛା ୧୦୦ ଗ୍ରାମ ଏବ˚ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ଷଷ୍ଠରୁ ଅଷ୍ଟମ) ପିଲାଙ୍କୁ ୧୫୦ ଗ୍ରାମ୍‌ ଚାଉଳ ଦିଆଯାଉଛି। ଏହି କ୍ରମରେ ସମୁଦାୟ ୧ଲକ୍ଷ ୪୨ ହଜାର ୭୫୦ ପିଲାଙ୍କୁ ଚଳିତ ଜାନୁଆରି ୧ରୁ ମାର୍ଚ୍ଚ ୩୧ ଯାଏ ପ˚ଚମ ପର୍ଯ୍ୟାୟରେ ୭୦ଟି କାର୍ଯ୍ୟଦିବସ ପାଇଁ ୧୩ ହଜାର ୩୨୦ କୁଇଣ୍ଟାଲ୍‌ ଚାଉଳ ବଣ୍ଟାଯିବାର ଥିଲା। ହେଲେ ୮ ହଜାର କୁଇଣ୍ଟାଲ୍‌ ଚାଉଳ ବଣ୍ଟାଯାଇଥିବା ବିଭାଗ ଦାବି କରୁଥିବା ବେଳେ ବାକି ୫ ହଜାର କୁଇଣ୍ଟାଲ୍‌ ଚାଉଳ ଦିଆଯାଇନାହିଁ। ଜିଲ୍ଲାର କେନ୍ଦ୍ରାପଡ଼ା ବ୍ଲକ୍‌ରେ କେବଳ ୧୭୧୪ କୁଇଣ୍ଟାଲ୍‌ରୁ ୯୦୦କୁଇଣ୍ଟାଲ୍‌ ଚାଉଳ ଦିଆଯାଇନାହିଁ। ଶିକ୍ଷାଧିକାରୀଙ୍କ ଯୁକ୍ତି ହେଉଛି ଗୋଦାମରେ ଷ୍ଟକ୍‌ ନ ଥିବାରୁ ଚାଉଳ ଉଠିପାରିଲା ନାହିଁ। କିନ୍ତୁ ଏହି ୫ ହଜାର କୁଇଣ୍ଟାଲ୍‌ କେବେ ବଣ୍ଟାଯିବ, ତାର କେହି ସନ୍ତୋଷଜନକ ଉତ୍ତର ଦେଇପାରୁନାହାନ୍ତି।

ଜିଲ୍ଳା ଯୋଗାଣ ବିଭାଗ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ କହିଛନ୍ତି ଯେ ଗୋଦାମରେ ଚାଉଳ ମହଜୁଦ୍‌ ଥିଲା। କିନ୍ତୁ ଯେଉଁ ସମୟ ଭିତରେ ଶିକ୍ଷା ବିଭାଗ ଚାଉଳ ଉଠାଇବା କଥା, ଉଠାଇଲାନି। ସମୟସୀମା ପୂରିଗଲା। ତା ପରେ ବିନା କର୍ତୃପକ୍ଷଙ୍କ ଅନୁମତିରେ ଚାଉଳ ଦେଇହେବ ନାହିଁ। ତେଣୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏ ବାବଦରେ ଚିଠି ଲେଖାଯାଇ ସ୍ପଷ୍ଟୀକରଣ ମଗାଯାଇଛି। ହେଲେ ପ୍ରଶ୍ନ ଉଠୁଛି ଯେ ଗୋଦାମରେ ମହଜୁଦ୍‌ ଥାଇ କାହାର ଭୁଲ୍‌ ପାଇଁ ଚାଉଳ ଉଠିପାରିଲା ନାହିଁ? ବିଭାଗୀୟ କର୍ତ୍ତୃପକ୍ଷଙ୍କର ନା ଠିକାଦାରର? ପୁରୁଣା ବର୍ଷର ଚାଉଳ କୋଟା ସ˚ପୂର୍ଣ୍ଣ ସରି ନ ଥିବା ବେଳେ ନୂଆ ଶିକ୍ଷାବର୍ଷର ପ୍ରଥମ ପର୍ଯ୍ୟାୟ ଚାଉଳ ବାଣ୍ଟି ଦିଆଯିବା ପଛର ଉଦ୍ଦେଶ୍ୟ କଣ? ଏହି ୫ହଜାର କୁଇଣ୍ଟାଲ୍‌ ଚାଉଳ ହଡ଼ପ ପାଇଁ ଏହା ମସୁଧା ନୁହେଁ ତ ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର