ପ୍ରଧାନମନ୍ତ୍ରୀ ଆବାସ କଲୋନିରେ ଦୁର୍ନୀତିର ଗନ୍ଧ, କାମ ନସରୁଣୁ କାନ୍ଥରୁ ବାଲି, ଛାତରୁ ପାଣି ଝରୁଛି

ଧମା: ପ୍ରଧାନମନ୍ତ୍ରୀ ଆବାସ କଲୋନି‌ ନିର୍ମାଣରେ ଦୁର୍ନୀତିର ଗନ୍ଧ। ମାନେଶ୍ବର ବ୍ଲକ ବଦୁଆପାଲି ପଞ୍ଚାୟତ ଝାଙ୍କରବାହାଲି ଗ୍ରାମରେ ୨୦୧୮-୧୯ ଆର୍ଥିକ ବର୍ଷରେ ନିର୍ମାଣ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ କଲୋନି କାମ ୩ ବର୍ଷ ପରେ ବି ଶେଷ ହେଉନି। ସେପଟେ କିନ୍ତୁ ନିର୍ମାଣାଧୀନ ଘରର କାନ୍ଥରେ ହାତ ମାରିଦେଲେ ବାଲି ଝଡ଼ିପଡ଼ୁଛି। କେତେକ ଘରର କାନ୍ଥ ଓ ଛାତ ଦବି ଯିବା ସହ ଫାଟ ସୃଷ୍ଟି ହେଲାଣି। ବର୍ଷାଦିନେ ଛାତରୁ ପାଣି ମଧ୍ୟ ଗଳୁଥିବା ଅଭିଯୋଗ ହୋଇଛି। ନିର୍ମାଣ କାମ ଏତେ ନିମ୍ନମାନର ହୋଇଛି ଯେ ତାହା ରହିବା ପାଇଁ ଅନୁପଯୋଗୀ ଓ କୌଣସି ବି ମୁହୂର୍ତ୍ତରେ ତାହା ଭୁଶୁଡ଼ିଯିବାର ଆଶଙ୍କା ରହିଥିବା ଗ୍ରାମବାସୀ କହିଛନ୍ତି। କେବଳ ସେତିକି ନୁହେଁ ବରଂ ଏହି କଲୋନି ନିର୍ମାଣ କାର୍ଯ୍ୟରେ ୫୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ତତ୍କାଳୀନ ସରପଞ୍ଚ ସଞ୍ଚୟ ଭୋଇଙ୍କୁ ପଚାରିବାରେ, ହିତାଧିକାରୀମ‌ାନେ ଟଙ୍କା ଉଠାଇ ନେଇଥିବାରୁ ଏଥିରେ ତାଙ୍କର କୌଣସି ଭୂମିକା ନଥିବା କହିଛନ୍ତି। ଗ୍ରାମବାସୀ କିନ୍ତୁ ଅଲଗା କଥା କହୁଛନ୍ତି। ପୂର୍ବତନ ସରପଞ୍ଚ ଶ୍ରୀ ଭୋଇ ଓ ଜିଆର୍‌ଏସ୍‌ ହିଁ କାମ କରୁଥିବା ଗାଁ ଲୋକେ କହିଛନ୍ତି। ହିତାଧିକାରୀ ଓ ସରପଞ୍ଚଙ୍କ କଥାରେ ତାଳମେଳ ରହୁନଥିବାରୁ ଘଟଣାର ତଦନ୍ତ କଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ବିଜେପିର ମାନେଶ୍ବର ବ୍ଲକ ହୁମା ମଣ୍ଡଳ ସଭାପତି ଦୁଷ୍ମନ୍ତ ବିଶ୍ବାଳ କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ୨୦୧୮-୧୯ ଆର୍ଥିକ ବର୍ଷରେ ଝାଙ୍କରବାହାଲିରେ ୨ଟି ପ୍ରଧାନମନ୍ତ୍ରୀ ଆବାସ କଲୋନିକୁ ମଞ୍ଜୁରି ମିଳିବା ପରେ କାମ ଆରମ୍ଭ ହୋଇଥିଲା। ପ୍ରଥମ କଲୋନିରେ ୨୫ଟି ଘର ଓ ଦ୍ବିତୀୟ କଲୋନିରେ ୨୭ଟି ଘର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ପ୍ରତି ଘର ପାଇଁ ୧,୩୦,୦୦୦ ଟଙ୍କା ଓ ମନରେଗାରୁ ୧୭,୨୨୦ ଟଙ୍କା ଆସିଥିଲା। କିନ୍ତୁ ସେବେ‌ଠାରୁ କାମ ଆରମ୍ଭ ହୋଇଥିଲେ ସୁଦ୍ଧା ଅଦ୍ୟାବଧି କଲୋନି ନିର୍ମାଣ କାମ ଶେଷ ହୋଇପାରୁନି। ଘରର କାନ୍ଥଗୁଡ଼ିକ ଅତି ଦୁର୍ବଳ ହୋଇଥିବା ସମୟରେ ଦୁଇଟି ଘର ପାଇଁ ଗୋଟିଏ କାନ୍ଥ ନିର୍ମାଣ ହୋଇଛି। ଆବାସ କଲୋନିରେ ପ୍ରତି ଘରର ନିଜସ୍ବ କାନ୍ଥ ରହିବା ନେଇ ନିୟମ ରହିଥିବା ସମୟରେ ଗୋଟିଏ କାନ୍ଥରେ ଦୁଇ ଦୁଇଟି ଘର କିଭଳି ନିର୍ମାଣ ହେଲା ସେନେଇ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଏନେଇ ମାନେଶ୍ବର ବିଡିଓ ନୀଳାମ୍ବର ମହାନନ୍ଦଙ୍କୁ ପଚାରିବାରେ, ସେ ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ସମୟ‌ରେ ଅଭିଯୋଗ ହସ୍ତଗତ ହୋଇଥିବା କହିଥିଲେ। ତେବେ କିଭଳି ଭ‌ାବେ କାମ ଭଲ ହେବ ଓ ଶୀଘ୍ର ହେବ ସେନେଇ ପଦ‌କ୍ଷେପ ନିଆଯାଉଥିବା ଶ୍ରୀ ମହାନନ୍ଦ କହିଛନ୍ତି।

ସମ୍ବନ୍ଧିତ ଖବର