କେନ୍ଦୁଝର ଜିଲ୍ଲାର ଅଧିକାଂଶ ସ୍ଥାନର ମାଟି ଅମ୍ଳଯୁକ୍ତ

କେନ୍ଦୁଝର: ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାର ମାଟି ଚାଷ ପାଇଁ ବିଶେଷ ଉପଯୋଗୀ ନୁହେଁ। ଜିଲ୍ଲାର ହାଟଡିହି, ଆନନ୍ଦପୁର ଭଳି କିଛି ବ୍ଲକ୍‌କୁ ଛାଡ଼ିଦେଲେ ଅବଶିଷ୍ଟ ବ୍ଲକ୍‌ରେ ଚାଷଜମିର ମାଟି ଅମ୍ଳଯୁକ୍ତ। ଫଳରେ ଏସବୁ ବ୍ଲକ୍‌ରେ ଚାଷୀମାନେ ଯେତିକି ଫସଲ ଅମଳ କରିବା କଥା ତାହା ହୋଇପାରୁନି।

କେନ୍ଦୁଝର ଜିଲ୍ଲାରେ ମୋଟ ୨ ଲକ୍ଷ ୭୨ ହଜାର ୯୭୭ ହେକ୍ଟର ଚାଷଜମି ରହିଛି। ଏଥିରୁ ୧ ଲକ୍ଷ ୩୩ ହଜାର ୭୫୭ ହେକ୍ଟର ଉଚ୍ଚଜମି ହୋଇଥିବା ବେଳେ ୯୯ ହଜାର ୮୩୨ ହେକ୍ଟର ହେଉଛି ମଧ୍ୟମ ଧରଣର ଜମି। ସେହିପରି ୩୯ ହଜାର ୩୮୮ ହେକ୍ଟର ହେଉଛି ଖାଲୁଆ ଜମି। ଜିଲ୍ଲାରେ ମୋଟ ୧ ଲକ୍ଷ ୬୦ ହଜାର ୩୯୦ ହେକ୍ଟର ଜମିରେ ଧାନଚାଷ ହେଉଛି। ଜିଲ୍ଲାର ୨ ଲକ୍ଷ ୫୮ ହଜାର ୩୦୨ଟି ପରିବାର ଚାଷ କରୁଛନ୍ତି। ଜିଲ୍ଲାରେ ଏତେ ସଂଖ୍ୟାରେ ପରିବାର ଚାଷ ଉପରେ ନିର୍ଭରଶୀଳ ହୋଇଥିଲେ ମଧ୍ୟ ଚାଷରୁ ଯେଭଳି ଅମଳ ମିଳିବା କଥା ତାହା ହେଉନାହିଁ। ଏହାର ମୁଖ୍ୟ କାରଣ ହେଉଛ ମୃତ୍ତିକାରେ ଥିବା ଅମ୍ଳଅଂଶ।

ଜିଲ୍ଲା ମୃତ୍ତିକା ପରୀକ୍ଷାଗାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୨୦୧୧-୧୨ ମସିହାରୁ ଏପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାରେ ମୋଟ ୧ ଲକ୍ଷ ୯୮ ହଜାର ୮୦୦ ମୃତ୍ତିକା ନମୁନା ପରୀକ୍ଷା ହୋଇଛି। ଏଥିରୁ ପାଖାପାଖି ଦେଢ଼ଲକ୍ଷ ମୃତ୍ତିକା ନମୁନ‌ାରେ ଅମ୍ଳଅଂଶ ଥିବା ଜଣାଯାଇଛି। କେନ୍ଦୁଝର ଜିଲ୍ଲାର ଅଧିକାଂଶ ବ୍ଲକ୍‌ର ମାଟି ଅମ୍ଳଯୁକ୍ତ। ମୃତ୍ତିକା ପରୀକ୍ଷା ପାଇଁ ଜିଲ୍ଲାସ୍ତରରେ ଏକ ମୃତ୍ତିକା ପରୀକ୍ଷାଗାର ରହିଛି। ଏହି ପରୀକ୍ଷାଗାରରେ ପ୍ରତିବର୍ଷ ୧୦ ହଜାର ମୃତ୍ତିକା ନମୁନା ପରୀକ୍ଷା ହୋଇଥାଏ। ସେହିପରି ବିଭିନ୍ନ ଗ୍ରାମାଞ୍ଚଳରେ ମୃତ୍ତିକା ପରୀକ୍ଷା ପାଇଁ ଏକ ଭ୍ରାମ୍ୟମାଣ ଭ୍ୟାନ୍‌ ମଧ୍ୟ ରହିଛି। ଏହି ଭ୍ରାମ୍ୟାମା‌ଣ ଭ୍ୟାନ୍‌ ସାହାଯ୍ୟରେ ପ୍ରତିବର୍ଷ ୫ ହଜାର ମୃତ୍ତିକା ନମୁନା ପରୀକ୍ଷା ହୋଇଥାଏ। କେନ୍ଦୁଝର ଜିଲ୍ଲାର ମାଟି ଅଧିକ ଅମ୍ଳଯୁକ୍ତ ବୋଲି ମୃତ୍ତିକା ପରୀକ୍ଷାରୁ ଜଣାପଡ଼ିଛି। ମାଟିରେ ଯବକ୍ଷାରଯାନ, ଫସ୍‌ଫରସ୍‌ ଏବଂ ପଟାସ୍‌ କମ୍‌ ମାତ୍ରାରେ ରହିଛି। ଯାହା ଚାଷପାଇଁ ସମସ୍ୟା ସୃଷ୍ଟି କରୁଛି।

ଜିଲ୍ଲା ମୃତ୍ତିକା ପରୀକ୍ଷାଗାରର ସଏଲ୍‌ କେମିଷ୍ଟ ରବୀନ୍ଦ୍ର ସାହୁଙ୍କ ସୂଚନା ଅନୁସାରେ, ସାଧାରଣତଃ ମୃତ୍ତିକାରେ ଯବକ୍ଷାରଯାନ, ଫସ୍‌ଫରସ୍‌ ଏବଂ ପଟାସ କମ୍‌ ରହିଲେ ମାଟି ସଠିକ୍‌ ଢଙ୍ଗରେ ସାର ଗ୍ରହଣ କରେନି।  ଚାଷ ମଧ୍ୟ ଭଲ ହୋଇ ନଥାଏ। ତେବେ ଏହି ଅମ୍ଳଯୁକ୍ତ ମୃତ୍ତିକାରେ ସୁଧାର ଆଣିବା ପାଇଁ ଏବେ ଚାଷୀମାନେ ବିଭିନ୍ନ ଉପାୟ ଆପଣାଇଲେଣି। ପ୍ରଥମତଃ ଚାଷଜମିରେ ଚୂନର ପ୍ରୟୋଗ କଲେ ଅମ୍ଳଅଂଶ ନିୟନ୍ତ୍ରଣକୁ ଆସିଥାଏ। ଏହବାଦ୍‌ କାଗଜକଳ ଗୁଣ୍ଡ କିମ୍ବା ଗୋବର ପକାଇଲେ ଏଥିରେ ସୁଧାର ଆସିଥାଏ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର