ପକ୍ଷାଘାତରେ ପଡ଼ିଲେ ବୋଲି ପର କଲେ ପୁଅବୋହୂ

ପରିତ୍ୟକ୍ତ ଘରୁ ବାପାଙ୍କୁ ଉଦ୍ଧାର କଲେ ସାମ୍ବାଦିକା

ସୁନ୍ଦରଗଡ଼: ପକ୍ଷାଘାତରେ ପଡ଼ି କଲବଲ ହେଉଥିଲେ  ବାପା। ବିନା ସାହାରାରେ ଏକା ଏକା ଖଟରୁ ଉଠିବା ସମ୍ଭବ ହେଉ ନଥିଲା। ଏହି ସମୟରେ ପୁଅବୋହୂକୁ ଖୋଜୁଥିଲେ ସେ। ଟିକିଏ ସେବା ଶୁଶ୍ରୁଷା ନହେଲା ନାହିଁ,  ପାଖରେ ଠିଆ ହୋଇ କେମିତି ଅଛ ବାପା ବୋଲି ପଦେ ପଚାରି ଦିଅନ୍ତେ କି। ହେଲେ ଏସ୍ଥିତିରେ  ବାପାଙ୍କୁ ପର କରି ଦେଇଥିଲେ ପୁଅବୋହୂ। ଗୁହାଳ  ଭଳି ଏକ ପରିତ୍ୟକ୍ତ ଘରେ ପକାଇ ଦେଇଥିଲେ। ୪ ବର୍ଷ ହେଲା ଅନ୍ଧାରୁଆ କୋଠରୀରେ କୁକୁରମାନଙ୍କ ସହ ଅସହାୟ ଅବସ୍ଥାରେ ପଡ଼ିଥିଲେ ସେ। ଶେଷକୁ ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ ସାମ୍ବାଦିକା ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ରକ୍ତ ସମ୍ପର୍କ ଓ ମାନବୀୟ ସମ୍ବେଦନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଏହି ଛାତି ଥରା ଚିତ୍ରଟି ଆସିଛି ହେମଗିର ବ୍ଲକ୍ କନିକା ଗାଁରୁ। ନେତ୍ରାନନ୍ଦ ନେଗୀ (୭୨) ନାମକ ବୃଦ୍ଧ ହୋଟେଲ ମିସ୍ତ୍ରି ଭାବେ କାମ କରି ପରିବାର ଚଳାଉଥିଲେ। ପରିବାର କହିଲେ ପତ୍ନୀ ଓ ଗୋଟିଏ ପୁଅ ଫକୀର। ସମୟକ୍ରମେ ପୁଅର ବିବାହ ବି କରି ଦେଇଥିଲେ ନେତ୍ରାନନ୍ଦ। ତେବେ ୪ ବର୍ଷ ତଳେ ସେ ପକ୍ଷାଘାତରେ ପଡ଼ିବା ପରେ ତାଙ୍କ ଜୀବନକୁ  ଦୁର୍ଦ୍ଦଶା ମାଡ଼ି ଆସିଥିଲା। ଖଟରୁ ଉଠି ପାରିଲେ ନାହିଁ। ସ୍ନାନଶୌଚ ଠାରୁ ଖାଇବା ଯାଏ ସବୁ କିଛି ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ିଲା। ହେଲେ ପତ୍ନୀ ଏତେ କାମକୁ ପାରୁ ନଥିଲେ। ସେପଟେ ପୁଅ ଚିକିତ୍ସା, ସେବା କରିବା ତ ଦୂରର କଥା, ଗୁହାଳ ଭଳି ଏକ ପରିତ୍ୟକ୍ତ ଘରେ ପୀଡ଼ିତ ବାପାଙ୍କୁ ପକାଇ ଦେଇଥିଲା।  ସେଠାରେ ଗୋଟିଏ ଷ୍ଟିଲ ବାସନରେ ଖାଇବାକୁ  ଦେଉଥିଲେ। ତା’ ବି ଗୋଟିଏ ଓଳି। ସେହି ବାସନ କେବେ ସଫା ହେଉନଥିଲା।

ବୃଦ୍ଧ ଝାଡ଼ା ପରିଶ୍ରା ସେଇଠି କରି ଦେଉଥିବାରୁ କୋଠରୀଟି ପୂତିଗନ୍ଧମୟ ହୋଇ ରହିଥିଲା। ଘଟଣାକ୍ରମେ ବୁଧବାର ୱେବ୍ ମିଡିଆ ‘ପହରା’ର ସାମ୍ବାଦିକା ଶିବାନୀ ଦେଙ୍କୁ ସେହି ଗାଁ ଯୁବକ ବୃଦ୍ଧଙ୍କ ଶୋଚନୀୟସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ଶିବାନୀ ଖବର ସଂଗ୍ରହ କରିବାକୁ କ୍ୟାମେରା ଓ ବୁମ୍ ଧରି ନେତ୍ରାନନ୍ଦଙ୍କ ଘରକୁ ଯାଇଥିଲେ। କିନ୍ତୁ ଘର ଲୋକେ ତାଙ୍କୁ ପ୍ରଥମେ ପଶିବାକୁ ଦେଇ ନଥିଲେ। ଶିବାନୀ ନେତ୍ରାନନ୍ଦଙ୍କ ବୋହୂଙ୍କୁ ଅନୁରୋଧ କରି  ଘରକୁ ପଶିଥିଲେ।  ଅନ୍ଧାରୁଆ କୋଠରୀ ଭିତରେ ପଲେ କୁକୁର ସହ ପଡ଼ି ରହିଥିବା ନେତ୍ରାନନ୍ଦଙ୍କୁ ଦେଖି ତାଙ୍କୁ ଉଦ୍ଧାର କରିବା କଥା ଚିନ୍ତା କଲେ ସେ। ଆଜି ସକାଳୁ ପଶ୍ଚିମ ଓଡ଼ିଶା ଯୁବାମଞ୍ଚର ଦିନେଶ ପଟେଲ ମହେଶ କିସାନ, ପୁରୁଷୋତ୍ତମ ପ୍ରଧାନ, ଅପୁ ମାଝିଙ୍କ ସହଯୋଗରେ ଶିବାନୀ ନେତ୍ରାନନ୍ଦଙ୍କୁ ଉଦ୍ଧାର କରି  ତେଲେନଡିହି ବୃଦ୍ଧାଶ୍ରମକୁ ନେଇ ଯାଇଥିଲେ। କିନ୍ତୁ ପକ୍ଷାଘାତରେ ପଡ଼ିଥିବା ବୃଦ୍ଧଙ୍କୁ ରଖିବାକୁ ଆଶ୍ରମ କର୍ତ୍ତୃପକ୍ଷ ମନା କରି ଦେଇଥିଲେ।  ଏହା ପରେ ଶ୍ମଶାନବନ୍ଧୁ ସିଦ୍ଧାନ୍ତ ପଣ୍ଡାଙ୍କୁ ଯୋଗାଯୋଗ କରି ସହଯୋଗ ଲୋଡ଼ିଥିଲେ। ଏହା ମଧ୍ୟରେ ସନ୍ଧ୍ୟାରେ  ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ଶକ୍ତିପ୍ରସାଦ  ବୃଦ୍ଧଙ୍କୁ ଡାକ୍ତରଖାନାରେ  ରଖି ଚିକିତ୍ସା ଆରମ୍ଭ କରିଛନ୍ତି।

ସାବାସ ଶିବାନୀ

ୱେବ୍ ମିଡିଆ ‘ପହରା’ରେ ସାମ୍ବାଦିକତା କରୁଥିବା ଶିବାନୀ ଦେ ଖବର ସଂଗ୍ରହ ପାଇଁ ପହଞ୍ଚିଥିଲେ ବୃଦ୍ଧଙ୍କ ପାଖରେ। କିନ୍ତୁ ତାଙ୍କ ଅବସ୍ଥା ଓ ତା’ ପଛର କରୁଣ କାହାଣୀ ଶୁଣି  ସେ ବିଚଳିତ ହୋଇପଡ଼ିଥିଲେ। ଖବର ସଂଗ୍ରହକୁ ପଛ କରି ସେ ବୃଦ୍ଧଙ୍କୁ ସେଠାରୁ ଉଦ୍ଧାର କରି ନେଇ ଆସିଥିଲେ ଡୁଡୁକା ତେଲେନଡିହି ବୃଦ୍ଧାଶ୍ରମକୁ। ସେଠାରେ ନିଜ ହାତରେ ବୃଦ୍ଧଙ୍କୁ  ସଫାସୁତୁରା କରିବା ସହ  ଟିମ୍ ଶ୍ମଶାନବନ୍ଧୁଙ୍କ ସହଯୋଗ ଲୋଡ଼ିଥିଲେ। କ୍ୟାମେରା, ବୁମକୁ ମୁଣିରେ ଭରି ବୃଦ୍ଧଙ୍କୁ ନୂଆ ଜୀବନ ଦେବାକୁ ଚେଷ୍ଟା କରିଥିବା ଶିବାନୀ ଏକ ନୂଆ ଉଦାହରଣ ତିଆରି କରିଛନ୍ତି। ଏବେ ସବୁରି ମୁହଁରେ ଶିବାନୀଙ୍କ ନାଁ।

ସମ୍ବନ୍ଧିତ ଖବର