ବ୍ରହ୍ମପୁର: ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏବଂ ଗବେଷଣା ପାଇଁ ମା’ଙ୍କ ମରଶରୀରକୁ ଦାନ କଲେ ପୁଅ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଏସ୍‌କେସିଜି କଲେଜର ଗଣିତ ବିଭାଗର ସହକାରୀ ପ୍ରଫେସର ଡ.ଅଶ୍ବିନୀ ରାଉତଙ୍କ ଏହି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ପ୍ରଫେସର ରାଉତଙ୍କ ମା ଚନ୍ଦ୍ର ରାଉତ (୭୩)ଙ୍କ ଆଜି ସକାଳେ ସ୍ଥାନୀୟ ଗୌତମନଗରସ୍ଥିତ ବାସଭବନରେ ହୃଦ୍‌ଘାତରେ ପରଲୋକ ଘଟିଥିଲା। ଏଣୁ ପରିବାରବର୍ଗଙ୍କ ନିଷ୍ପତ୍ତି କ୍ରମେ ତାଙ୍କର ମରଶରୀର ଗବେଷଣା ଓ ଡାକ୍ତରୀ ବିଦ୍ୟାର୍ଥୀଙ୍କ ପାଠପଢ଼ା ପାଇଁ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌କୁ ଦାନ କରାଯାଇଛି।
ମାନବବାଦୀ-ହେତୁବାଦୀ ସଂଗଠନର ସହଯୋଗରେ ମାଙ୍କ ଶରୀରଦାନ କରିବାକୁ ପ୍ରେରଣା ପାଇଥିବା ପ୍ରଫେସର ରାଉତ କହିଛନ୍ତି। ତାଙ୍କର ଏହି ମହତ କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି। ଶରୀରଦାନ ସମୟରେ ଏମକେସିଜି ମେଡିକାଲ କଲେଜର ଆନାଟୋମି ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡା. ସାଗର ପୃଷ୍ଟି ଓ ଅନ୍ୟ ଅଧ୍ୟାପକ ଏବଂ ଡାକ୍ତର ଉପସ୍ଥିତ ଥିଲେ।

Advertisment

ସେହିପରି ସ୍ବର୍ଗତ ଚନ୍ଦ୍ରଙ୍କ ଦୁଇପୁଅ କୋରା ରାଉତ ଓ ଅଶ୍ୱିନୀ, ନାତି ଆଲୋକ ରାଉତ, ଅଶୋକ ସ୍ୱାଇଁ, ସମୀର ଶିଅ, ପୂର୍ବତନ ସରପଞ୍ଚ ସଞ୍ଜୟ କୁମାର ରାଉତ, ସୁନୀଲ ରାଉତ, ସୀମାଞ୍ଚଳ ପ୍ରଧାନ, ଜ୍ବାଇଁ ଟୁନା ଶିଅ, ଚିତ୍ରସେନ ରାଉତ, ଭାଗୀରଥି ସେଠୀ, ଅଙ୍ଗଦ ପ୍ରଧାନ, ସୁମନ ମହାନ୍ତିଙ୍କ ସମେତ ମାନବବାଦୀ ହେତୁବାଦୀ ସଂଗଠନର ଗଞ୍ଜାମ ଜିଲ୍ଲା ସଭାପତି ଇ.ଟି.ରାଓ, ଜାମୁଲା ସୁରେଶ, ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ଶ୍ରମିକ ନେତା ପ୍ରତାପ ପ୍ରଧାନ, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା, ସାମାଜିକ କର୍ମୀ ଲକ୍ଷ୍ମୀନୃସିଂହ ରଥ, ରଜନୀକାନ୍ତ ବକ୍ସି, ରମାକାନ୍ତ ରଥ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଗତ ୪ତାରିଖରେ ପ୍ରେଣ୍ଡସ୍‌ ହେଲ୍ପିଂ କ୍ଲବ୍‌ର ସହଯୋଗରେ ଏକ ଚକ୍ଷୁଦାନ କରାଯାଇଥିଲା। ହରିଡ଼ାଖଣ୍ଡି ଶାନ୍ତିନଗର ନିବାସୀ ଏସ୍‌. କାମେଶ୍ବର ସୁବୁଦ୍ଧି(୭୨)ଙ୍କ ବିୟୋଗ ପରେ ପରିବାରବର୍ଗ ଚକ୍ଷୁଦାନ କରିବାକୁ ଇଚ୍ଛା କରିଥିଲେ। କ୍ଲବ୍‌ର ସଦସ୍ୟଙ୍କ ସହଯୋଗରେ ସ୍ବର୍ଗତ କାମେଶ୍ବରଙ୍କ ଚକ୍ଷୁଦାନ କରାଯାଇଥିଲା। ବଡ଼ଡାକ୍ତରଖାନା ଚକ୍ଷୁରୋଗ ବିଭାଗର ଡାକ୍ତର ଚକ୍ଷୁ ସଂଗ୍ରହ କରିଥିଲେ।