ବାରିପଦା: ବଡ଼ସାହି ବ୍ଲକ୍ ତେନ୍ତୁଳ ଗ୍ରାମର ଅନିଲ କୁମାର ଦ୍ବିବେଦୀ ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ଚାକିରି ଆଉ ୩ ବର୍ଷ ଥିବା ବେଳେ ୨୦୧୮ରେ ହଠାତ୍ ତାଙ୍କର ମୃତ୍ୟୁ ଘଟିଥିଲା। ଥଇଥାନ ଯୋଜନାରେ ତାଙ୍କ ପୁଅ ସଂଜୀବ କୁମାର ଦ୍ବିବେଦୀଙ୍କୁ ଚାକିରି ମିଳିବ ବୋଲି ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ପୁଅ ଚାକିରି ପାଇବ ବୋଲି ପତ୍ନୀ ସେବତୀ(୬୦)ଙ୍କୁ ଏ ଯାଏ ଖୁବ୍ କମ୍ ପେନସନ୍ ମିଳୁଛି। ହେଲେ ଏ ଯାଏ ପ୍ରଶାସନ ନିଜ ପ୍ରତିଶ୍ରୁତି ରଖିନି।
ନିଜ ହକ୍ ପାଇଁ ବିଧବା ପତ୍ନୀ ସେବତୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ, ୫-ଟି ସଚିବ ସମସ୍ତଙ୍କୁ ଗୁହାରୀ କରି କରି ନିରାଶ ହେଲେଣି। ହେଲେ ୪ ବର୍ଷ ହେଲା ଦୌଡି ନୟାନ୍ତ ହୋଇଥିଲେ ବି ନା ପୁଅକୁ ଚାକିରି ମିଳୁଛି ନା ତାଙ୍କୁ ସମ୍ପୂର୍ଣ୍ଣ ପେନ୍ସନ୍। ଆଜି ପୁଣିଥିରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଆସି ନିଜ ଦୁଃଖ ଜଣାଇଥିଲେ ସେବତୀ। ସେଠାରୁ ବାହାରକୁ ଆସି କାନ୍ଦିକାନ୍ଦି କହୁଥିଲେ ଜିଲ୍ଲାପାଳ ତ’ ଶୁଣିଲେ ନାହିଁ, ହେ ନବୀନ ବାବୁ, ମୋ ଗୁହାରୀ ଶୁଣ। ଏହି ଦୃଶ୍ୟ ଉପସ୍ଥିତ ଲୋକମାନଙ୍କୁ ବିଚଳିତ କରିଥିଲା। ସରକାରୀ ବ୍ୟବସ୍ଥା ଭିତରେ ଜଣେ ବୃଦ୍ଧା କିଭଳି ନ୍ୟାୟ ପାଇବାକୁ ୪ ବର୍ଷ ହେଲା ଏ କାର୍ଯ୍ୟାଳୟଠୁ ସେ କାର୍ଯ୍ୟାଳୟ ଦୌଡୁଛନ୍ତି ଏ ଥିଲା ତା’ର ନମୁନା। ତେବେ ସେବତୀଙ୍କୁ ପ୍ରଶାସନ କେବେ ନ୍ୟାୟ ଦେବ ଦେଖିବାକୁ ଅପେକ୍ଷା।