କୋରାପୁଟ/ସେମିଳିଗୁଡ଼ା: ପାରିବାରିକ କଳହରୁ କୋଲାବ ଜଳଭଣ୍ଡାରକୁ ଡେଇଁ ଜୀବନ ହାରିଛନ୍ତି ‘ହାଲ୍‌’ର ସୁରକ୍ଷାକର୍ମୀ ମଦନ ଜାନି (୨୨)। ବାପା ସମ୍ମୁଖରେ ମଦନ ଜଳଭଣ୍ଡାରକୁ ଡେଇଁ ପଡ଼ିବା ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଛି। ଅଗ୍ନିଶମ କର୍ମଚାରୀ ଖୋଜାଖୋଜି ଜାରି ରଖିଥିବାବେଳେ ସନ୍ଧ୍ୟା ସୁଦ୍ଧା ମଦନଙ୍କ ପତ୍ତା ମିଳିପାରିନି। ଶୁକ୍ରବାର ୨୬ ନଂବର ଜାତୀୟ ରାଜପଥର ସୁନାବେଡ଼ା ଟିମ୍ବର ବ୍ରିଜ୍‌ ନିକଟରେ ଏହି ଅଘଟଣ ଘଟିଥିଲା। ପତ୍ନୀଙ୍କ ସହ ଝଗଡ଼ା କାରଣରୁ ମଦନ ଏହି ପଦକ୍ଷେପ ନେଇଥିବା ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Advertisment

ମଦନଙ୍କ ଘର କୋରାପୁଟ ପୌରାଞ୍ଚଳ ଜାନିଗୁଡ଼ାରେ। ସୁନାବେଡ଼ା ନିକଟସ୍ଥ ଚିକାପାର ଗ୍ରାମରେ ସେ ବିବାହ କରିଥିଲେ। ବିବାହ ପରେ ଶାଶୂଘରେ ରହି ‘ହାଲ୍‌’ରେ ସୁରକ୍ଷାକର୍ମୀ ଭାବେ କାମ କରୁଥିଲେ। ଗତ କିଛି ଦିନ ହେଲା ପତିପତ୍ନୀଙ୍କ ମଧ୍ୟରେ କୌଣସି କଥାକୁ କେନ୍ଦ୍ର କରି ଗଣ୍ଡଗୋଳ ଲାଗି ରହିଥିଲା। ଶୁକ୍ରବାର ସକାଳେ ମଦନଙ୍କ ବାପା ପ‌ାକି ଜାନି ଚିକାପାର ଗାଁରେ ପହଞ୍ଚି ପୁଅ ମଦନକୁ ବୁଝାସୁଝା କରିଥିଲେ। ବାପାଙ୍କ ସହ କଥାବାର୍ତ୍ତା ପରେ ମଦନ ସ୍କୁଟି ନେଇ କୋରାପୁଟ ଅଭିମୁଖେ ବାହାରିଥିଲେ। ପଛେ ପଛେ ବାପା ଅନ୍ୟ ଏକ ବାଇକ୍‌ରେ ଆସିଥିଲେ। ସୁନାବେଡ଼ା ଟିମ୍ବର ବ୍ରିଜ୍ ନିକଟରେ ମଦନ ଅଚାନକ ସ୍କୁଟି ରଖି କୋଲାବ ଜଳଭଣ୍ଡାରକୁ ଡେଇଁ ପଡ଼ିଥିଲେ। ପୁଅର ଡେଇଁବା ଦୃଶ୍ୟ ଦେଖି ବାପା ହତବାକ୍ ହୋଇ ପଡ଼ିବା ସହ ସୁନାବେଡ଼ା ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସେମିଳିଗୁଡ଼ା ଅଗ୍ନିଶମ କର୍ମଚାରୀଙ୍କ ସହାୟତା‌ରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ତେବେ ଜଳସ୍ତର ଅଧିକ ରହିଥିବାରୁ ମଦନଙ୍କ ପତ୍ତା ମିଳିପାରିନି। ଖବର ପ୍ରଚାରିତ ହେବା ପରେ ଚିକାପାର ସମେତ ଜାନିଗୁଡ଼ା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।