ରାଜନଗର: ପୁଅକୁ କଟକ ବଡ଼ ମେଡିକାଲରେ ଚିକିତ୍ସା କରାଇ ବାପା ସାଙ୍ଗରେ ନେଇ ଘରକୁ ଫେରୁଥିଲେ। ବାଟରେ ଗାଡି ଅଟକାଇ ପୁଅ ଗାଧୋଇବାକୁ କହି ନଈ କୂଳକୁ ଗଲା। ପ୍ୟାଣ୍ଟ, ସାର୍ଟ ଓହ୍ଲାଇ ବାପା ଆଗରେ ନଈକୁ ଡେଇଁ ପଡ଼ିଲା। ମାତ୍ର ୧୦ ମିନିଟ ଭିତରେ କୁମ୍ଭୀର ସାଲୁବାଲୁ ବୈତରଣୀ ନଦୀରେ ନିଖୋଜ ହୋଇଗଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜନଗର ବ୍ଲକ୍ ଅଞ୍ଚଳରେ।

Advertisment

ସୂଚନା ଅନୁଯାୟୀ ରାଜନଗର ବ୍ଲକ ରଂଗଣୀ ପଂଚାୟତ ଭେକ୍ଟା ଗାଁର ଭାନୁ ଗିରି ତାଙ୍କର ୩୭ ବର୍ଷୀୟ ପୁଅ ଅମଲେନ୍ଦୁଙ୍କୁ ଚିକିତ୍ସା କରାଇବାକୁ କଟକ ବଡମେଡିକାଲକୁ ଯାଇଥିଲେ। ଆଜି କଟକରୁ ରଂଗଣୀ ଆସୁଥିବା ଏକ ଘରୋଇ ବସରେ ସେ ଗାଁକୁ ଫେରୁଥିଲେ। ଦିନ ପ୍ରାୟ ୧୧ଟା ୪୦ ସମୟରେ ନଳିତାପାଟିଆ ଛକରେ ଘରୋଇ ବସ ଅଟକିଥିଲା।

ରାସ୍ତା ଖରାପ ହେତୁ ଗାଡି ଆଉ ରଂଗଣୀ ଯିବନି ବୋଲି କହି ବସ୍‌ଟି ଅଟକିଥିଲା। ଅନ୍ୟ ଯାତ୍ରୀଙ୍କ ସହ ବାପ ପୁଅ ମଧ୍ୟ ବସରୁ ଓହ୍ଲାଇଥିଲେ। ବସ୍ ଓହ୍ଲାଇବାର କିଛି ସମୟ ପରେ ଗାଧୋଇବା କଥା କହି ଅମଲେନ୍ଦୁ ନଈକୂଳକୁ ଯାଇଥିଲେ। ନଳିତାପାଟିଆ ଜେଠିରେ ପ୍ୟାଣ୍ଟ ସାର୍ଟ ଓହ୍ଲାଇ ଥୋଇ ପଥର ପ୍ୟାକିଂ ଅାଡ଼କୁ ପୁଅ ଓହ୍ଲାଇଥିଲେ। ଏହାକୁ ବାପା ଭାନୁ ଗିରି ଦୂରରୁ ଥାଇ ଲକ୍ଷ୍ୟ କରିଥିଲେ। ହଠାତ୍ ଅମଲେନ୍ଦୁ ନଈକୁ ଡେଇଁ ପଡିଥିଲେ। ବହୁ ଖୋଜାଖୋଜି ପରେ ବି ତାଙ୍କର ପତ୍ତା ମିଳିନଥିଲା। ନିଖୋଜ ଅମଲେନ୍ଦୁ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି। ଘରେ ପତ୍ନୀଙ୍କ ସମେତ୨ ପୁଅ ଅଛନ୍ତି। ତାଙ୍କ ବଡ଼ଝିଅ ବିବାହିତ।