ଦିନମଜୁରିଆର ପୁଅ ପଢ଼ିବେ ଏସ୍‌ସିବିରେ ଡାକ୍ତରୀ, ଘରୋଇ ସଂସ୍ଥାରୁ ଋଣ କରି କଲେ ପୁଅର ଆଡମିସନ୍‌

ଆଗକୁ ପାଠ ପଢା ଖର୍ଚ୍ଚକୁ ନେଇ ‌ଚିନ୍ତା

କଟକ: ଦୃଢ ଇଚ୍ଛାଶକ୍ତି ଆଉ ସାଧନା ଆଗରେ ହାର ମାନିଛି ଦାରିଦ୍ର୍ୟ। ଟଙ୍କା ଥିଲେ ଯେ, ଜଣେ ଡାକ୍ତରୀ ପାଠ ପଢି ପାରିବ ଏଭଳି କଥାକୁ ଭୁଲ ପ୍ରମାଣିତ କରିଛନ୍ତି ଦିନ ମଜୁରିଆଙ୍କ ପୁଅ ଦୀପକ। କଟକ ବାଲିକୁଦା ଅଞ୍ଚଳରେ ରହୁଥିବା ଦିନ ମଜୁରିଆ ନବୀନ ସାମଲଙ୍କ ପୁଅ ଦୀପକ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ନିଟ୍‌ ପରୀକ୍ଷାର ରାଜ୍ୟସ୍ତରରେ ୧୧୪୯ ନମ୍ବର ରୢାଙ୍କ ରଖିଥିବା ଦୀପକଙ୍କ ପ୍ରଥମ ପର୍ଯ୍ୟାୟ ଆଡମିସନ୍‌ ସମୟରେ ଏମ୍‌କେସିଜି ମେଡିକାଲ ମିଳିଥିବାବେଳେ ୨ୟ ପର୍ଯ୍ୟାୟରେ ତାଙ୍କୁ ଏସ୍‌ସିବିରେ ପଢିବାର ସୁଯୋଗ ମିଳିଛି। ଆର୍ଥିକ ଅନାଟନ ଯୋଗୁଁ ଏମ୍‌ବିବିଏସ୍‌ ଆଡମିସନ୍‌ ପାଇଁ ଏକ ଘରୋଇ ସଂସ୍ଥାରୁ ଋଣ ଆଣି ଆଡମିସନ୍‌ ଫି’ ଦାଖଲ କରିବାକୁ ପଡିଛି। ଆଗକୁ ୫ ବର୍ଷ ପାଠପଢିବା ପାଇଁ କେଉଁଠୁ ଅର୍ଥ ଆସିବ ସେହି ଚିନ୍ତାରେ ଏବେ ପରିବାର।

କଟକ ମହନଗର ନିଗମର ୫୬ ନମ୍ବର ୱାର୍ଡ ଅଧୀନରେ ଥିବା ବାଲିକୁଦା ଅଞ୍ଚଳରେ ପରିବାର ସହିତ ରହନ୍ତି ମଜୁରିଆ ଭାବେ କାର୍ଯ୍ୟ କରୁଥିବା ନବୀନ ସାମଲ। ଦୁଇ ଝିଅ ,ଗୋଟିଏ ପୁଅ ଓ ସ୍ତ୍ରୀଙ୍କୁ ନେଇ ପାଞ୍ଚ ପ୍ରାଣୀ ଅଭାବ ଅନାଟନରେ ଚଳନ୍ତି। ନିଜର ଜମି ଖଣ୍ଡେ ବି ନାହିଁ। ସରକାରୀ ଜାଗାରେ ଘର ଖଣ୍ଡିଏ କରି ରହୁଛନ୍ତି ନବୀନଙ୍କ ପରିବାର। ଖଟିଲେ ପରିବାର ଚଳେ, ନହେଲେ ଉପାସ। ଯାହାବି ମିଳେ, ସେତିକିରେ ପରିବାର ଚଳାଇବା ଅସମ୍ଭବ ହୋଇପଡେ। କିନ୍ତୁ ସେହି ଆର୍ଥିକ ଅନାଟନ ଭିତରେ ବି ନିଜର ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇନାହାନ୍ତି ପୁଅ ଦୀପକ। ତୁଳସୀ ଦୁଇପତ୍ରରୁ ବାସିଲା ପରି ଦୀପକଙ୍କ ପ୍ରତିଭା ଛୋଟ ବେଳରୁ ଜଣାପଡିଥିଲା। ପ୍ରଥମେ ବାପା ଏକମାତ୍ର ପୁଅକୁ ଭଲ ସ୍କୁଲରେ ପଢାଇବା ପାଇଁ ଯୋଜନା କରିଥିଲେ। ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ତାଙ୍କର ଆଡମିସନ୍‌ ‌କରିଥିଲେ। ସେଠାରେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ପରେ ଆଉ ଆଗକୁ ପଢାଇବା ସମ୍ଭବ ହୋଇନଥିଲା। ଫଳରେ ଷଷ୍ଠ ଶ୍ରେଣୀରୁ ବାଲିକୁଦାସ୍ଥିତ ସରକାରୀ ବିଦ୍ୟାଳୟ ତାରିଣୀ ବିଦ୍ୟାପୀଠରେ ଦୀପକ ପାଠପଢିଲେ। ମାଟ୍ରିକ ପରୀକ୍ଷାରେ ଦୀପକ ୯୩.୫ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବାବେଳେ ଏହାପରେ ଏକ ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷକଙ୍କ ସଂସ୍ପର୍ଶରେ ଆସିବା ସହ ରେଭେନ୍ସା ଜୁନିୟର କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢିଥିଲେ। ଦୀପକଙ୍କୁ ପାଠପଢାରେ ବିଦ୍ୟାପୀଠର ଶିକ୍ଷକ, ଯୁକ୍ତ ୨ରେ କୋଚିଂ ସେଣ୍ଟର ପକ୍ଷରୁ ସହାୟତା କରାଯାଇଥିଲା। ଯୁକ୍ତ ଦୁଇରେ ମଧ୍ୟ ଭଲ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହେବା ସହ ନିଟ ପରୀକ୍ଷାରେ ମଧ୍ୟ ସଫଳତା ହାସଲ କରିଥିଲେ। ଏହାର ସବୁ ଶ୍ରେୟ ନିଜ ପରିବାର ଓ ଘରୋଇ ଶିକ୍ଷାନୁଷ୍ଠାନର ସାରଙ୍କୁ ଦେଇଛନ୍ତି ଦୀପକ। ତାଙ୍କ କହିବା କଥା ହେଲା ଅଭାବ ଅସୁବିଧା ଥିଲେ ବି ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଯୋଜନାର ଆବଶ୍ୟକତା ରହିଛି। କିନ୍ତୁ ଆଗକୁ ୫ ବର୍ଷ ଡାକ୍ତରୀ ପାଠପଢା ପାଇଁ ଆବଶ୍ୟକ ଥିବା ଟଙ୍କା କିଭଳି ଭାବରେ ଯୋଗାଡ଼ କରିବେ ତାହାକୁ ନେଇ ଚିନ୍ତାରେ ଅଛନ୍ତି ଦୀପକଙ୍କ ବାପା,ମା’ । ସରକାରଙ୍କୁ ନିଜ ପୁଅର ପାଠପଢା ପାଇଁ ସହାୟତା କରିବା ପାଇଁ ନିବେଦନ କରିଛନ୍ତି ଦୀପକଙ୍କ ବାପା ନବୀନ।

ସମ୍ବନ୍ଧିତ ଖବର