ପଟ୍ଟାମୁଣ୍ଡାଇ : ‘ପୁଅ ଜନ୍ମ କରି ଭୁଲ କରିଛି। ସେ ଏମିତି କରିବ ବୋଲି ଜାଣି ନ ଥିଲି। ସେମାନଙ୍କ ଭୁଲର ଈଶ୍ବର ବିଚାର କରିବେ। ସ୍ବାମୀର ମୃତଦେହ ନିକଟରେ ଏଭଳି କହି ବିଳାପ କରୁଥିଲେ ଜଣେ ବୃଦ୍ଧା। ଗୋଟିଏ ପୁଅ, ଦୁଇ ଝିଅର ପିତାମାତା ହେଉଛନ୍ତି ଏହି ବୃଦ୍ଧ ଦମ୍ପତି। କିନ୍ତୁ ବାପର ମୃତ୍ୟୁ ଖବର ଦେବା ପରେ ବି ପୁଅ କି ଝିଅ କେହି ଆସିଲେନି। ଦୀର୍ଘ ୧୭ ଘଣ୍ଟା କାଳ ମେଡିକାଲରେ ପଡ଼ି ରହିଲା ମୃତଦେହ। ଏଭଳି ସ୍ଥିତିରେ ସ୍ବେଚ୍ଛାସେବୀ ଓ କିଛି ଗ୍ରାମବାସୀଙ୍କ ସହଯୋଗରେ କରାଗଲା ଶବ ସତ୍କାର। ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଆଜି ଦେଖିବାକୁ ମିଳିଥିବା ଏଭଳି ଏକ ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।
ସୂଚନା ଅନୁଯାୟୀ ଭୀମସେନ ବାହାଦୂର (୮୦) ରାଜନଗର ବିଦ୍ୟୁତ୍ ବିଭାଗରେ କାମ କରୁଥିଲେ। ପତ୍ନୀ, ଗୋଟିଏ ପୁଅ ଓ ଦୁଇ ଝିଅଙ୍କୁ ନେଇ ତାଙ୍କ ପରିବାର। ଦୁଇ ଝିଅ ବିବାହିତ। ଭୀମସେନ ଚାକିରିରୁ ଅବସର ନେବା ପରେ ପୁଅ ଓ ଝିଅଙ୍କ ଅବହେଳାର ଶିକାର ହୋଇଥିଲେ। ଫଳରେ ଭୀମସେନ ଘର ଛାଡ଼ି ପତ୍ନୀ ଭଗବତୀ(୭୫)ଙ୍କ ସହ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ବକ୍ତାରପୁର ଗ୍ରାମରେ ରହୁଥିଲେ। ଗତକାଲି ଭୀମସେନ ଅସୁସ୍ଥ ହୋଇ ପଡ଼ିଥିଲେ। ଚିକିତ୍ସା ଲାଗି ପତ୍ନୀ ଭଗବତୀ ତାଙ୍କୁ ପଟ୍ଟାମୁଣ୍ଡାଇ ମେଡିକାଲକୁ ନେଇ ଆସିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ପ୍ରାୟ ୧୦ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ଭଗବତୀ ଏ ସମ୍ପର୍କରେ ପୁଅ, ଝିଅଙ୍କ ସମେତ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ଜଣାଇଥିଲେ। ମାତ୍ର ଭୁବନେଶ୍ବରରେ ରହୁଥିବା ପୁଅ ଆସିବାକୁ ମନା କରିଦେଇଥିଲା। ବିବାହିତ ଝିଅମାନେ ବି ଆସିବାକୁ ମନା କରି ଦେଇଥିଲେ। ଏଭଳି ସ୍ଥିତିରେ ଭୀମସେନଙ୍କ ଶବ ମେଡିକାଲରେ ପଡ଼ି ରହିଲା। ସ୍ବାମୀଙ୍କ ମୃତଦେହ ପାଖରେ ବସି ଭଗବତୀ କେବଳ ଭାଗ୍ୟକୁ ଆଦରି କାନ୍ଦୁଥିଲେ।
ପରିବାର ଲୋକ କେହି ନ ଆସିବାରୁ ଏ ସଂପର୍କରେ ଖବର ପାଇ ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷ ହେମନ୍ତ ସାହୁ ପଦକ୍ଷେପ ନେଇଥିଲେ। ହେମନ୍ତଙ୍କ ପରାମର୍ଶରେ ଆଜି ଅପରାହ୍ନ ପ୍ରାୟ ୫ଟାରେ ସମାଜସେବୀ ବାବନ କୁମାର ସାହୁ, ନାରୀନେତ୍ରୀ ସାବିତ୍ରୀ ସାହୁ, ପୂର୍ବତନ କାଉନ୍ସିଲର ଲୋକନାଥ ବେହେରା, ଡମ୍ବରୁଧର ରାଉତ ପ୍ରମୁଖ ପଟ୍ଟାମୁଣ୍ଡାଇ ମେଡିକାଲ୍ରେ ପହଞ୍ଚିଥିଲେ। ସେମାନେ ପୋଖରୀଆପଦା ଶ୍ମଶାନରେ ଭୀମସେନଙ୍କ ଅନ୍ତିମସଂସ୍କାର କରାଇଥିଲେ। ସମାଜସେବୀ ଡ଼ମ୍ବରୁଧର ରାଉତ ମୁଖାଗ୍ନି ଦେଇଥିଲେ।