ପୁରୀ: ପହଣ୍ଡି ପୂର୍ବରୁ ଛାମୁ ଖୁଣ୍ଟିଆ ସେବକ ଠାକୁରଙ୍କୁ ରଥ ଉପରୁ ତଳକୁ ଆସିବାକୁ ପ୍ରାର୍ଥନା କରିଥାନ୍ତି। ମଣିମା ମଣିମା ଡାକ ପକାଇଥାନ୍ତି। ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ପହଣ୍ଡି ବେଳେ ପୁଅ ହଜୁରୀ ସୋମଜିତ ଖୁଣ୍ଟିଆ ଉପରେ ମଣିମା ମଣିମା ଡାକ ଦେଉଥିଲା। ଏତିକି ବେଳେ ବଡ଼ଠାକୁରଙ୍କ ସହ ଯେଉଁଭଳି ଅଘଟଣ ଘଟିଗଲା, ତାହା ଅବ୍ୟକ୍ତ। ଶତାଧିକ ସେବକ ରଥ ଉପରେ ଚଢ଼ିବା ସହ ପହଣ୍ଡିରେ ଚରମ ଅବହେଳା ଓ ବିଶୃଙ୍ଖଳା କରିବାର ଏହା ପରିଣତି। ମହାପ୍ରଭୁଙ୍କ ଆଶୀର୍ବାଦରୁ ଠାକୁରଙ୍କ ପାଖରେ ଛିଡ଼ା ହୋଇଥିବା ପୁଅର କିଛି ହେଲାନି ବୋଲି କହିଛନ୍ତି ଛାମୁ ଖୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ। ଶ୍ରୀ ଖୁଣ୍ଟିଆ କହିଛନ୍ତି, ପୁଅ ଏତେ ବଡ଼ ଅଘଟଣ ଦେଖି ଯେତେବେଳେ ଘରେ ପହଞ୍ଚିଲା, ଗୋଟାପଣେ ଥରୁଥିଲା। ହାତ କମ୍ପନ ଏତେ ଥିଲା ସେ ଥୟ କରିପାରୁନଥିଲା। କାରଣ ଠାକୁର ପଡ଼ିଯିବାର ସେ ଭୟଙ୍କର ଦୃଶ୍ୟ ନିଜ ଆଖିରେ ଦେଖିଥିଲା।
ଏଣୁ ଯେଉଁମାନେ ପହଣ୍ଡି ବେଳେ ଏଭଳି ଚରମ ବିଶୃଙ୍ଖଳା କରିଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି। ଅପରପକ୍ଷେ ରଥ ଉପରେ ମୋବାଇଲ୍ ସଂପୂର୍ଣ୍ଣ ନିଷେଧ ହେଉ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି। ଶ୍ରୀ ଖୁଣ୍ଟିଆ କହିଛନ୍ତି, ୨୦୧୭ ମସିହାଠାରୁ ଶ୍ରୀମନ୍ଦିର ଓ ରଥ ଉପରେ ମୋବାଇଲ୍ କଟକଣା କରିବାକୁ ଶ୍ରୀମନ୍ଦିର ଛାମୁ ଖୁଣ୍ଟିଆ ନିଯୋଗ ଚିଠି କରି ଆସିଲାଣି। ଛତିଶାନିଯୋଗ ଓ ପରିଚାଳନା କମିଟି ଦୃଷ୍ଟି ଆକର୍ଷଣ କରିଆସୁଛି। କିନ୍ତୁ ପ୍ରତିଥର ବୈଠକରେ ଏହାକୁ ହସି ଉଡ଼ାଇ ଦିଆଯାଉଥିଲା। ଆଜି ଏହାର ପରିଣାମ କ’ଣ ହେଲା ସାରା ବିଶ୍ବ ଦେଖିଲା। ଏଣୁ ତୁରନ୍ତ ପାଳି ଖଟୁଥିବା ସେବାୟତଙ୍କ କ୍ଷେତ୍ରରେ ମୋବଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା ଲଗାଯାଉ। ଶ୍ରୀମନ୍ଦିରରେ ଲ୍ୟାଣ୍ଡ ଲାଇନ୍ ବ୍ୟବସ୍ଥା କରାଯାଉ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/Son-Became-Ill-After-Seeing-Idol-Balabhadra-Fell-Down_Thumbnail.jpg)