ମାଲକାନଗିରି: ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବିକାଶ ଧାରାରେ ଯୋଡ଼ି ହୋଇଛି ବିଚ୍ଛିନ୍ନାଞ୍ଚଳ। ସ୍ବାଭିମାନ ଅଞ୍ଚଳର ମାନ୍ୟତା ପାଇଛି ଚିତ୍ରକୋଣ୍ଡା ବ୍ଲକ୍‌ ଅଧୀନ ୯ଟି ପଞ୍ଚାୟତର ୧୫୧ଟି ଗ୍ରାମ। କିନ୍ତୁ ଆଜି ବି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଦୁର୍ବିସହ ଅବସ୍ଥାରେ ରହିଛନ୍ତି ଅନେକ ଗ୍ରାମବାସୀ। କେଉଁ ଗାଁରେ ବିଦ୍ୟୁତ୍‌ ସେବା ନାହିଁ ତ କେଉଁଠି ପାନୀୟ ଜଳ ସମସ୍ୟା ଲାଗି ରହିଛି। ଯାତାୟାତ ପାଇଁ ଭଲ ରାସ୍ତା ଖଣ୍ଡିଏ ମଧ୍ୟ ନାହିଁ। ମାଳମାଳ ଯୋଜନା ସତ୍ତ୍ବେ ଅନେକ ଅସୁବିଧା ଭିତରେ ଦିନ କାଟୁଛନ୍ତି ସ୍ବାଭିମାନ ଅଞ୍ଚଳବାସୀ।

ଆନ୍ଧ୍ର ବିଜୁଳିରେ ଆଲୋକିତ ସୀମାନ୍ତ ଗାଁ

Advertisment

ଗାଜଲମାମୁଡ଼ି ପଞ୍ଚାୟତର କରଞ୍ଜଝୋଲା, ବଡ଼ଝୋଲା, ରାଙ୍ଗିନିଗୁଡ଼ା-୧, ରାଙ୍ଗିନିଗୁଡ଼ା-୨, ମୁଣ୍ଡିଗୁମ୍ମା ଏବଂ ପାଲସୁଚମ୍ପା ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ହୋଇପାରିନି। ବାରମ୍ବାର ଆବେଦନ ଓ ଗୁହାରି ସତ୍ତ୍ବେ ବିଦ୍ୟୁତ୍‌ ବିଭାଗ ସେବା ଯୋଗାଇବାରେ ବିଫଳ ହୋଇଥିବାରୁ ଗ୍ରାମବାସୀ ଅନ୍ଧାରରେ ରାତି କାଟୁଛନ୍ତି। ବିଦ୍ୟୁତ୍‌ ସେବା ପାଇଁ ଗ୍ରାମବାସୀ ବ୍ଲକ୍‌ ପ୍ରଶାସନରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏଁ ସମସ୍ତଙ୍କୁ ଗୁହାରି କରିଛନ୍ତି। ହେଲେ କେବଳ ପ୍ରତିଶ୍ରୁତିରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ଗ୍ରାମବାସୀଙ୍କୁ। ଜୀବନ ଜୀବିକା ପାଇଁ ଗ୍ରାମବାସୀ ଚାଷ କାର୍ଯ୍ୟ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଉପରେ ମୁଖ୍ୟତଃ ନିର୍ଭରଶୀଳ।

ଦିନତମାମ କେହି ଘରେ ରହୁନଥିବା ବେଳେ ସନ୍ଧ୍ୟାରେ ଘରକୁ ଫେରିଲେ ଘନ ଅନ୍ଧାରରେ ସମୟ ବିତାଇବାକୁ ପଡ଼ିଥାଏ। ଡିବିର ଆଲୁଅ ଅନ୍ଧାର ଦୂର କରିପାରୁନଥିବାରୁ ଗ୍ରାମବାସୀ କାଠଜାଳି ରାତିରେ ଖାଇବା ପିଇବା କରିଥାନ୍ତି। ପିଲାମାନେ ଡିବିରି ଆଲୁଅରେ ପାଠ ପଢ଼ୁଛନ୍ତି। ଗାଜଲମାମୁଡ଼ି ସୀମାବର୍ତ୍ତୀ ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗ ସମେତ ଅନ୍ୟ ଗ୍ରାମକୁ ଓଡ଼ିଶା ସରକାର ବିଦ୍ୟୁତ୍‌ ସେବା ପ୍ରଦାନରେ ଅବହେଳା କରିବା ପରେ ଆନ୍ଧ୍ର ସରକାର ବିଦ୍ୟୁତ୍‌ ସେବା ଯୋଗାଇ ଦେଇଛନ୍ତି। ତଥାପି ଏ ଦିଗରେ କେହି ସମ୍ବେଦନଶୀଳ ନୁହନ୍ତି। ଜୁମଡାଙ୍ଗ ସହ ଅନ୍ୟ କିଛି ଗାଁକୁ ଆନ୍ଧ୍ର ଯୋଗାଇଥିବା ବିଦ୍ୟୁତ୍‌ ସେବା ସମ୍ପର୍କରେ ଅବଗତ ନାହାନ୍ତି ବିଭାଗୀୟ କର୍ତ୍ତୃପକ୍ଷ। ଖୁବ୍‌ଶୀଘ୍ର ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯିବ ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ କହୁଥିଲେ ମଧ୍ୟ ଦିନ ଗଡ଼ିବା ଛଡ଼ା କୌଣସି ସୁଫଳ ମିଳିପାରୁନି। ନିକଟରେ ଅନୁଷ୍ଠିତ ‘ଦିଶା’ ବୈଠକରେ ଜିଲ୍ଲାରେ ଲାଗି ରହିଥିବା ବିଦ୍ୟୁତ୍‌ ସମସ୍ୟାକୁ ନେଇ ସାଂସଦ, ବିଧାୟକଙ୍କ ସମେତ ଜନପ୍ରତିନିଧି ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।