ଡିପ୍‌ଥେରିଆ ସଂକ୍ରମଣର ଉତ୍ସ ଏବେ ବି ଅସ୍ପଷ୍ଟ: କାରଣ ଖୋଜି ଖୋଜି ସ୍ବାସ୍ଥ୍ୟ ବିଭାଗ ବାଉଳା

ମେ’ ମାସରେ କଳାହାଣ୍ଡିରେ ହୋଇଥିଲା ପ୍ରଥମ ମୃତ୍ୟୁ, ୨ ଜିଲ୍ଲାକୁ ଗଲେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ

ଭୁବନେଶ୍ବର: ର‌ାଜ୍ୟରେ ଡିପ୍‌ଥେରିଆ ସଂକ୍ରମଣ କେଉଁଠୁ ବ୍ୟାପିଲା ତାହା ଏବେ ବି ଅସ୍ପଷ୍ଟ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ବିଭିନ୍ନ କ୍ଷେତ୍ରକୁ ଦୃଷ୍ଟିକୁ ନେଇ ବିଚାର କରି ଅନୁଧ୍ୟାନ ଆରମ୍ଭ କରିଥିଲେ ହେଁ ଆଜି ପର୍ଯ୍ୟନ୍ତ କୌଣସି ଠୋସ୍ ନିଷ୍କର୍ସରେ ପହଞ୍ଚିପାରିନାହିଁ। ରାୟଗଡ଼ା କାଶୀପୁର ବ୍ଲକ୍‌ ଅଧୀନ ମୁନୁଷପଦରରେ ସରକାରୀଭାବେ ଡିପ୍‌ଥେରିଆରେ ପ୍ରଥମ ମୃତ୍ୟୁ ହୋଇଥିବା କୁହାଯାଇଥିଲା। ମାତ୍ର ଏହି ଘଟଣା ଏକ ନୂଆ ମୋଡ଼ ଆସିଛି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଜୁନ୍ ମାସ ନୁ‌ହେଁ, ମେ’ ମାସ ମଧ୍ୟ ଭାଗରେ କଳାହାଣ୍ଡିର ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରେ ଜଣେ ବୟସ୍କ ବ୍ୟକ୍ତି ଡିପ୍‌ଥେରିଆରେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। ମୁନୁଷପଦରର କିଛି ବ୍ୟକ୍ତି ବୁଡ଼ି ଅଞ୍ଚଳରେ ଥିବା ନିଜ ସଂପର୍କୀୟଙ୍କ ସ୍ବାସ୍ଥ୍ୟ ଖରାପ ପାଇଁ ଭେଟିବାକୁ ଯାଇଥିଲେ। ସେଠାରୁ ସଂକ୍ରମିତ ହୋଇ ଫେରିବା ପରେ ମେ’ ମାସ ଶେଷ ଆଡ଼କୁ ମୁନୁଷପଦରେ ସଂକ୍ରମଣ ଆରମ୍ଭ ହୋଇଥିବା ଅନୁମାନ କରାଯାଉଛି। ଜୁନ୍ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଯେଉଁ ୪ଜଣ ଏଥିରେ ପ୍ରାଣ ହରାଇଥିଲେ, ତାହାକୁ ଆରମ୍ଭରୁ ଅଜଣାରୋଗ ବୋଲି କୁହାଯାଇଥିଲା। ମାତ୍ର ପଞ୍ଚମ ଶିଶୁର ମୃତ୍ୟୁ ଡିପ୍‌ଥେରିଆରେ ହୋଇଥିବା ନମୁନାରୁ ସ୍ପଷ୍ଟ ହୋଇଥିଲା। ତେଣୁ ପ୍ରଥମ ୪ଜଣ ମଧ୍ୟ ଡିପ୍‌ଥେରିଆରେ ପ୍ରାଣ ହରାଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅନୁମାନ କରୁଛି। ବର୍ତ୍ତମାନସୁଦ୍ଧା ରାଜ୍ୟରେ ୬ଜଣଙ୍କ ଡିପ୍‌ଥେରିଆରେ ମୃତ୍ୟୁ ହୋଇଛି।

ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡା.ସଂଯୁକ୍ତା ସାହୁ କହିଛନ୍ତି ଯେ କଳାହାଣ୍ଡିରୁ ଡିପ୍‌ଥେରିଆ ସଂକ୍ରମଣ ଆରମ୍ଭ ହୋଇଥିବା ସନ୍ଦେହ କରାଯାଉଛି। ଯେଉଁ ବୟସ୍କ ବ୍ୟକ୍ତି ଏଥିରେ ପ୍ରାଣ ହରାଇଛନ୍ତି ତାଙ୍କ ସଂକ୍ରମଣ ହିଷ୍ଟ୍ରି ସଂପର୍କରେ କିଛି ସୂଚନା ମିଳୁନାହିଁ। ତାଙ୍କ ସଂସ୍ପର୍ଶରେ ଆସି ଅନେକ ସଂକ୍ରମିତ ହୋଇଛନ୍ତି। ତେଣୁ ନିର୍ଦ୍ଦିଷ୍ଟ ଭାବେ ଡିପ୍‌ଥେରିଆ କଳାହାଣ୍ଡି କିମ୍ବା ରାୟଗଡ଼ାରୁ ଆରମ୍ଭ ହୋଇଛି ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟର ୨ଜଣ ବରିଷ୍ଠ ଅଧିକାରୀ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ଗସ୍ତ କରିଛନ୍ତି। ସେମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏହାସହ ରାୟଗଡ଼ା, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ଟିକାକରଣ ଆରମ୍ଭ ହୋଇଛି। ଯେଉଁମାନେ କଣ୍ଟାକ୍ଟ ଟ୍ରେସିଂରେ ଚିହ୍ନଟ ହୋଇଥିଲେ ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଉଛି। ଯେଉଁମାନେ ଆଦୌ ଡିପିଟି ଟିକା ନେଇ ନାହାନ୍ତି ସେମାନଙ୍କୁ ମଧ୍ୟ ଟିକା ଦିଆଯିବ ବୋଲି ଡା.ସାହୁ ସୂଚନା ଦେଇଛନ୍ତି।

ଅପରପକ୍ଷରେ ଡିପ୍‌ଥେରିଆରେ ମୃତ୍ୟୁ ହୋଇଥିବା ଜଣେ ୧୧ବର୍ଷୀୟା ଝିଅର ଓଜନ ମାତ୍ର ୧୫ କେ.ଜି ରହିଥିଲା। ତେବେ ଏହା ଅପପୁଷ୍ଟି ଜନିତ ନା ଅନ୍ୟ କୌଣସି କାରଣ ପାଇଁ ହୋଇଛି ତାହାର ଯାଞ୍ଚ କରିବା ଲାଗି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗକୁ ଅନୁରୋଧ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଡିପ୍‌ଥେରିଆ ସଂକ୍ରମଣ ସ୍ଥିର ରହିଛି। ନୂଆ ସଂକ୍ରମଣ ନଜରକୁ ଆସି ନ ଥିବା ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର