ରାଉରକେଲା: ‘ସମ୍ବାଦ’କୁ ପାଠକବନ୍ଧୁ ସର୍ବାଧିକ ଭଲପାଇବା ଦେଇଛନ୍ତି। ପ୍ରତିବଦଳରେ ଆଜି ମୁଁ ପାଠକବନ୍ଧୁଙ୍କୁ ଏକ ଉପହାର ଦେବାକୁ ଚାହୁଛି। ସେହି ଉପହାରଟି ହେଉଛି, ‘ସମ୍ବାଦ କୌଣସି ପ୍ରକାର ନୈତିକ ସାଲିସ କରିବନାହିଁ। ଓଡ଼ିଶା ମାଟିର ସ୍ବାଭିମାନ ପାଇଁ ଯାହା କିଛି ବି ତ୍ୟାଗ କରିବାକୁ ହେବ, ସେଥିପାଇଁ ମୁଁ ପ୍ରସ୍ତୁତ। ସ୍ଥାନୀୟ ସିଭିକ୍ ସେଣ୍ଟର୍ରେ ‘ସମ୍ବାଦ’ର ୩୪ତମ ସ୍ବନକ୍ଷତ୍ର ସମାରୋହ ଅବସରରେ ଆୟୋଜିତ ‘ରାଉରକେଲା; କାଲି, ଆଜି ଓ ଆସନ୍ତାକାଲି ଶୀର୍ଷକ ଆଲୋଚନାର ଅଧ୍ୟକ୍ଷତା କରି ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଲେ, ଆଜିର ଲୋକପ୍ରତିନିଧିମାନେ ଖବରକାଗଜକୁ ନିଜ ପକେଟରେ ରଖିବାକୁ ଚାହିଥାନ୍ତି। ଖବରକାଗଜରେ ଯେଭଳି ସେମାନଙ୍କର କୌଣସି ସମାଲୋଚନା ନ ହେଉ ଓ ମାଟି ପଛରେ ପଡ଼ିଯାଉ ପଛେ ପାର୍ଟି ଆଗକୁ ଆସୁ ବୋଲି ଚିନ୍ତା କରିଥାନ୍ତି। ‘ସମ୍ବାଦ’ର ଭାବନା କିନ୍ତୁ ଅଲଗା। ସେ କହିଲେ ଯେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଅମଳରେ ରାଉରକେଲାରେ ଦେଶର ପ୍ରଥମ ଇସ୍ପାତ କାରଖାନା ସ୍ଥାପିତ ହୋଇଥିଲା। ଏହାପରେ ବିଜୁବାବୁ ରାଜ୍ୟରେ ଦ୍ବିତୀୟ ଇସ୍ପାତ କାରଖାନା କଥା କହିଥିଲେ। ତାଙ୍କ ପରେ ଜାନକୀବଲ୍ଲଭ ପଟ୍ଟନାୟକ ମଧ୍ୟ ୫ଟି ଇସ୍ପାତ କାରଖାନା ସ୍ଥାପନ କଥା କହିଥିଲେ। ଅର୍ଥାତ ଗୋଟିଏ ସମୟରେ ଇସ୍ପାତ କାରଖାନାକୁ ବିକାଶର ମାପଦଣ୍ଡ ବିବେଚନା କରାଯାଉଥିଲା। ଉତ୍ପାଦନ କ୍ଷେତ୍ରରେ ଇସ୍ପାତର ଅଭିବୃଦ୍ଧି ଘଟିଛି, କିନ୍ତୁ ନିଯୁକ୍ତି ସୁଯୋଗ ସଙ୍କୁଚିତ ହୋଇଛି। ଇସ୍ପାତକୁ ନେଇ ଆନୁଷଙ୍ଗିକ ଶିଳ୍ପର ସମ୍ଭାବନା ଓ ସୁଯୋଗ ତିଆରି ହୋଇପାରିନାହିଁ। ରାଉରକେଲା ସହରର ପ୍ରଶଂସା କରି ସେ କହିଲେ, ଏ ହେଉଛି ଭାଇଚାରାର ସହର। ଏହି ଅବସରରେ ସେ ପିଲାବେଳେ ରାଉରକେଲାରେ ରହୁଥିବା ବେଳେ ଏଠାରେ ଘଟିଥିବା ଦଙ୍ଗା ସମୟର ଏକ ଘଟଣାର ସ୍ମୃତିଚାରଣ କରିଥିଲେ। ଜଣେ ନୈଷ୍ଠିକ ହିନ୍ଦୁ ମହିଳା ହୋଇ ମଧ୍ୟ ତାଙ୍କ ମା ଜଣେ ପଡ଼ୋଶୀ ମୁସଲିମ ମହିଳାଙ୍କୁ କିଭଳି ରକ୍ଷା କରିଥିଲେ ସେ ଅନୁଭୂତି ମନେ ପକାଇଥିଲେ। ରାଉରକେଲା ସହରର ତାଙ୍କୁ ଭାଇଚାରା ଶିକ୍ଷା ଦେଇଥିଲା ବୋଲି କହିଥିଲେ।
‘ସମ୍ବାଦ’ କୌଣସି ପ୍ରକାର ନୈତିକ ସାଲିସ କରିବନାହିଁ
ଆଲୋଚନାରେ ଭାଗ ନେଇ ବିଶିଷ୍ଟ ସ୍ତମ୍ଭକାର ଅଭିରାମ ବିଶ୍ବାଳ କହିଲେ, ଯାହାର ଅତୀତ ଯେତିକି ଭଲ, ତାର ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟ ସେତିକି ଭଲରହିବ। ରାଉରକେଲା ଏକ ସମ୍ଭାବନାର ସହର ଭାବେ ସାରା ଓଡ଼ିଶାକୁ ବାଟ ଦେଖାଇଛି। ଅନ୍ୟତମ ବକ୍ତା ସିଆଇଟିୟୁର ସର୍ବଭାରତୀୟ ଉପସଭାପତି ବିଷ୍ଣୁ ମହାନ୍ତି କହିଲେ, ଏକଦା ଏକତା ଓ ଭଲପାଇବା ରାଉରକେଲା ସହରକୁ ରୁଦ୍ଧିମନ୍ତ କରିଥିଲା ତାହା ଏବେ ସମୟଚକ୍ରରେ କିଛି ମାତ୍ରାରେ ବାଟବଣା ହୋଇଛି। ଆମକୁ ତାକୁ ପୁଣିଥରେ ଫେରାଇଆଣିବାକୁ ହେବ। ରାଜଗାଙ୍ଗପୁର ବିଧାୟକ ଡା. ସି.ଏସ. ରାଜେନ ଏକ୍କା କହିଲେ, ଯେଉଁମାନେ ୪୦-୫୦ ବର୍ଷ ଧରି ରାଉରକେଲା ମାଟିର ପାଣିପବନରେ ବଢ଼ିଛନ୍ତି, ସେମାନେ ମଧ୍ୟ ଏଠାକାର ପରିଚୟ ଦେବାକୁ କୁଣ୍ଠାବୋଧ କରୁଛନ୍ତି। ଏଭଳି ମାନସିକତାରେ ପରିବର୍ତ୍ତନ ନିତାନ୍ତ ଆବଶ୍ୟକ। ରାଉରକେଲାକୁ ମୋ ସହର ବୋଲି କହିଲେ ଅନେକ ସମସ୍ୟାର ସମାଧାନ ଆରମ୍ଭ ହୋଇପାରିବ। ବିଶିଷ୍ଟ ସ୍ତମ୍ଭକାର ଇଂ ନଳିନୀ କାନ୍ତ ଧର କହିଲେ, ରାଉରକେଲାରେ ବିକାଶର ଧାରା ଆଗେଇଛି, କିନ୍ତୁ ସମବଣ୍ଟନ ହୋଇପାରିନାହିଁ। ସହରର ରିଂ ରୋଡ୍ ଚକାଚକ୍ କରୁଛି ସତ, କିନ୍ତୁ ସହରକୁ ଆସି ଦାନ୍ତକାଠି ବିକୁଥିବା ଗାଁ ଅଞ୍ଚଳର ଆଦିବାସୀ କେମିତି ବଞ୍ଚୁଛନ୍ତି, ସେନେଇ ଆମେ ଚିନ୍ତା କରୁନେ। ରାଉରକେଲା ହୋଟେଲ ଓ ରେସ୍ତୋରାଁ ସଂଘର ବରିଷ୍ଠ ସଦସ୍ୟ ଶୈଳେନ୍ଦ୍ର ମହାନ୍ତି କହିଲେ, ଏହି ସହରକୁ ଯିଏ ଥରେ ଆସେ, ସେ ଫେରିବା ବାଟ ଭୁଲିଯାଏ।
ରାଉରକେଲା ବଣିକ ସଂଘର ସଭାପତି ସୁବ୍ରତ ପଟ୍ଟନାୟକ କହିଲେ, ରାଉରକେଲାର ବହୁ ବିକାଶ ହୋଇଛି। ଏବେବି ଅନେକ ବିକାଶର ସମ୍ଭାବନା ରହିଛି। ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ କହିଲେ, ସୁନ୍ଦରଗଡ଼ ହେଉଛି ଆଦିବାସୀଙ୍କ ମାଟି। କିନ୍ତୁ ଜିଲ୍ଲାର ବିକାଶରେ ସେମାନଙ୍କୁ ଏଯାଏ ସାମିଲ କରାଯାଇ ପାରିନାହିଁ। ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ କହିଲେ, ଯେଉଁ ବ୍ୟକ୍ତି ବା ସମାଜ ଯେତେ ସଚେତନ, ସେ ସେତିକି ଉନ୍ନତ। ବିକାଶ ହେଉଛି, କିନ୍ତୁ ତାର ଆତ୍ମସମୀକ୍ଷା ହେଉନାହିଁ। ‘ସମ୍ବାଦ ରାଉରକେଲାବାସୀଙ୍କ ସ୍ବାଭୀମାନର ସ୍ବର ହେଉ, ସହରବାସୀ ଯେଉଁ ସ୍ବପ୍ନ ଦେଖୁଛନ୍ତି, ସେ ତାର ବାର୍ତ୍ତାବହ ହେଉ ବୋଲି କହିଥିଲେ। ‘ସମ୍ବାଦର ମୁଖ୍ୟ ମହାପ୍ରବନ୍ଧକ (ବାର୍ତା) ଅରବିନ୍ଦ ଦାସ ସ୍ବାଗତ ଭାଷଣରେ କହିଲେ, ରାଉରକେଲା ନିଯୁକ୍ତିଠାରୁ ଆରମ୍ଭକରି କ୍ରୀଡ଼ା ପର୍ଯ୍ୟନ୍ତ, ସବୁ କ୍ଷେତ୍ରରେ ଏକଦା ସର୍ବାଗ୍ରେ ରହିଥିଲା। ଏସହର ସମସ୍ତଙ୍କୁ ଆପଣାର ଲାଗୁଥିଲା। ଏବେ କିନ୍ତୁ ସ୍ଥିତିରେ ଅବନତି ଘଟିଛି। ‘ସମ୍ବାଦ ରାଉରକେଲା ସଂସ୍କରଣର ମୁଖ୍ୟ ଆଶିଷ ଗଡ଼ନାୟକ ଅତିଥି ପରିଚୟ ଦେଇଥିଲେ। ଏହି ଅବସରରେ ରାଉରକେଲା ହକର୍ସ ସଂଘର କର୍ମକର୍ତ୍ତାଙ୍କ ସମେତ ସହରର ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜୀବୀ, ସାମାଜିକ, ସାଂସ୍କୃତିକ ସଂଗଠନର କର୍ମକର୍ତ୍ତା ‘ସମ୍ବାଦର ସଂପାଦକଙ୍କ ସମେତ ଅନ୍ୟ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜ୍ଞାପନ କରିଥିଲେ। ‘ସମ୍ବାଦର କୋଇଡ଼ା ବ୍ଲକ ପ୍ରତିନିଧି ଅବିନାଶ ଶର୍ମା ଧନ୍ୟବାଦ ଦେଇଥିଲେ।