ଭୁବନେଶ୍ବର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ବିଧାନସଭା ବାଚସ୍ପତି ନିର୍ବାଚନ ଦିନକ ପାଇଁ ଘୁଞ୍ଚିଛି। ପୂର୍ବରୁ ବାଚସ୍ପତି ନିର୍ବାଚନ ସେପ୍ଟେମ୍ବର ୨୧ତାରିଖରେ କରିବା ପାଇଁ ସ୍ଥିର ହୋଇଥିବା ବେଳେ ଏହାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ନାଉରୀ ନାୟକ ବିରୋଧ କରିଥିଲେ। ଏପରିକି ୨୧ତାରିଖରେ ବାଚସ୍ପତି ନିର୍ବାଚନ ହେଲେ ଉଭୟ କଂଗ୍ରେସ ଓ ବିଜେପି ଏହାକୁ ବର୍ଜନ କରିବେ ବୋଲି ଧମକ ଦେଇଥିଲେ। ଏହାପରେ ବିଧାନସଭା କାର୍ଯ୍ୟାଳୟ ପକ୍ଷରୁ ବାଚସ୍ପତି ନିର୍ବାଚନକୁ ଦିନକ ପାଇଁ ଘୁଞ୍ଚାଯାଇଛି।
ସେପ୍ଟେମ୍ବର ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହିଦିନ ସକାଳ ୯ଟା ୩୦ରେ ବାଚସ୍ପତି ନିର୍ବାଚନ ହେବ। ଏହାପରେ ବିଧାନସଭା ଅଧିବେଶନ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧୮ତାରିଖରେ ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ। ଅପରପକ୍ଷେ ବିଜେଡି ଶିବିରରେ ଆଲୋଚନା ହେଉଛି ଯେ ଏଥର ଦଳ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ବାଚସ୍ପତି କରିପାରେ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ମହିଳା କାର୍ଡ ଖେଳିବାକୁ ଚାହୁଁଥିବାରୁ ସ୍ନେହାଙ୍ଗିନୀଙ୍କୁ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି କରିବାକୁ ଆପାତତଃ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।