ବିଧାନସଭା ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ 

ଭଞ୍ଜନଗର/ବ୍ରହ୍ମପୁର : ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ଅଳଙ୍କୃତ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଭଞ୍ଜନଗର ନିର୍ବାଚନମଣ୍ଡଳୀରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବରିଷ୍ଠ ରା‌ଜନେତା ବିକ୍ରମ କେଶରୀ ଆରୁଖ। ଗଞ୍ଜାମ ଜିଲ୍ଲାର ଷଷ୍ଠ ବିଧାୟକ ଭାବେ ସେ ଏହି ମର୍ଯ୍ୟାଦାଜନକ ସାମ୍ବିଧାନିକ ପଦବିରେ ଅବସ୍ଥାପିତ ହୋଇଛନ୍ତି। ସେହିପରି ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ଦ୍ବିତୀୟ ବିଧାୟକ ଭାବେ ସେ ବାଚସ୍ପତି ପଦରେ ନିର୍ବାଚିତ ହୋଇଛନ୍ତି। ଓଡ଼ିଶା ରାଜନୀତିରେ ଜଣେ ଅଭିଜ୍ଞ, ଅପ୍ରତିଦ୍ବନ୍ଦୀ ଓ ସଫଳ ରାଜନେତା ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିଥିବା ଶ୍ରୀ ଆରୁଖ ଆଜି ଓଡ଼ିଶା ବିଧାନସଭା ବାଚସ୍ପତି ପଦରେ ନିର୍ଦ୍ବନ୍ଦ୍ବ‌ରେ ନିର୍ବାଚିତ ହେବା ପରେ ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ଖୁସିର ଲହରି ଖେଳିଯାଇଛି। ଛାତ୍ର ଓ ତୃଣମୂଳ ରାଜନୀତିରୁ ମନ୍ତ୍ରୀ ଏବଂ ବାଚସ୍ପତି ପର୍ଯ୍ୟନ୍ତ ତାଙ୍କ ସଫଳ ଯାତ୍ରା ଆଜି ଚର୍ଚ୍ଚାର ବିଷୟ ପାଲଟିଛି।

ଗଞ୍ଜାମ ଜିଲ୍ଲାର ଅନ୍ୟତମ ହେଭିୱେଟ୍ ନେତା ଶ୍ରୀ ଆରୁଖ ଛାତ୍ର ଜୀବନରୁ ହିଁ ରାଜନୀତି ‌କ୍ଷେତ୍ରରେ ନିଜ ଦକ୍ଷତା ପ୍ରତିପାଦିତ କରିଥିଲେ। ବାପା ବଳଭଦ୍ର ଆରୁଖଙ୍କ ପ୍ରେରଣା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୮୦ ଦଶକରୁ ହିଁ ଶ୍ରୀ ଆରୁଖ ରାଜନୈତିକ ଜୀବନରେ ପାଦ ଦେଇଥିଲେ। ୧୯୮୨ ମସିହାରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇ ରାଜନୈତିକ ଜୀବନର କ୍ୟାରିୟର୍ ଆରମ୍ଭ କରିଥିଲେ। ୧୯୮୪ରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ର ସଂସଦ ଉପସଭାପତି ଭାବେ ନିର୍ବାଚିତ ହୋଇଥିଲେ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଆଇନ ପାଠପଢ଼ା ଶେଷ କରିବା ପରେ ଭଞ୍ଜନଗର ଓକିଲ ସଂଘର ସଦସ୍ୟତା ଗ୍ରହଣ କରିବା ସହ ରାଜନୀତିରେ ସକ୍ରିୟ ରହିଥିଲେ।

ଗଞ୍ଜାମରୁ ଷଷ୍ଠ, ଭଞ୍ଜନଗର ନିର୍ବାଚନମଣ୍ଡଳୀରୁ ଦ୍ଵିତୀୟ
ଛାତ୍ର ଓ ତୃଣମୂଳ ରାଜନୀତିରୁ ବାଚସ୍ପତି ଆସନ ପର୍ଯ୍ୟନ୍ତ ଲମ୍ବା ଯାତ୍ରା

ଭଞ୍ଜନଗର ବ୍ଲକ୍ ଅଗଝୋଳର ମୂଳବାସିନ୍ଦା ଶ୍ରୀ ଆରୁଖ ୧୯୯୨ରେ ଜିଲୁଣ୍ଡି ପଞ୍ଚାୟତରୁ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇ ଭଞ୍ଜନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଅଳଙ୍କୃତ ହୋଇଥିଲେ। ଏହାମଧ୍ୟରେ ସେ ବିଜୁବାବୁଙ୍କ ନିକଟତର ହୋଇପାରିଥିଲେ। ଶ୍ରୀ ଆରୁଖଙ୍କ ସାଙ୍ଗଠନିକ ଦକ୍ଷତା ଦେଖି ବିଜୁବାବୁ ୧୯୯୫ ମସିହାରେ ପ୍ରଥମ ଥର ପାଇଁ ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ଆସନରୁ ଜନତା ଦଳ ପ୍ରାର୍ଥୀ କରିଥିଲେ। ସେହି ସମୟରେ ଏହି ବିଧାନସଭା ନିର୍ବାଚନମଣ୍ଡଳୀ କଂଗ୍ରେସର ଗଡ଼ ଭାବେ ପରିଚିତ ଥିବା ବେଳେ ହେଭିୱେଟ୍‌ ନେତା ସୋମନାଥ ରଥଙ୍କୁ ହରାଇ ଶ୍ରୀ ଆରୁଖ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରଠୁ ସେ ପଛକୁ ଫେରି ନଥିଲେ।

ଏହାପରେ ୨୦୦୦ ମସିହାରେ ଓଡ଼ିଶା‌ରେ ବିଜେଡି ଗଠନ ପରେ ଦଳୀୟ ଟିକେଟ୍‌ରୁ ଲଢ଼ି ପୁଣି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ବି ସଫଳତାର ଧାରାକୁ ବଜାୟ ରଖିଥିଲେ। ସାଂଗଠନିକ ଦକ୍ଷତା ପାଇଁ ୨୦୦୮ରେ ତାଙ୍କୁ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ଦାୟିତ୍ବ ଦିଆଯାଇଥିଲା। ୨୦୦୯ରେ ରେକର୍ଡ଼ସଂଖ୍ୟକ ଭୋଟ୍ ପାଇ ନିର୍ବାଚିତ ହୋଇଥିବା ଶ୍ରୀ ଆରୁଖ ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। କ୍ୟାବିନେଟ୍‌ ପାହ୍ୟାରେ ଗ୍ରାମ୍ୟ ଉନ୍ନୟନ ଓ ଆଇନ ମନ୍ତ୍ରୀ ହୋଇଥିଲେ। ଏହାପରେ ସୂଚନା ଓ ଲୋକସଂପର୍କ, ସାଧାରଣ ଉଦ୍ୟୋଗ, ସଂସଦୀୟ ବ୍ୟାପାର, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ଗୁରୁ ଦାୟିତ୍ବ ସମ୍ଭାଳିଥିଲେ। ବର୍ତ୍ତମାନ ତାଙ୍କର ଅଭିଜ୍ଞତାକୁ ପାଥେୟ କରି ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ‌ସର୍ବୋଚ୍ଚ ପଦବିରେ ଅବସ୍ଥାପିତ କରାଯାଇଛି।

ଏହାପୂର୍ବରୁ ଭଞ୍ଜନଗର ନିର୍ବାଚନମଣ୍ଡଳୀରୁ ୧୯୮୦ ମସିହାରେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିବା ବର୍ଷୀୟାନ୍ ରାଜନେତା ସୋମନାଥ ରଥ ଓଡ଼ିଶା ବିଧାନସଭାର ଅଷ୍ଟମ ବାଚସ୍ପତି ହେବାର ସ‌ୁଯୋଗ ପାଇଥିଲେ। ପ୍ରାୟ ୩ ବର୍ଷ ୮ ମାସ ଧରି ସେ ଏହି ଦାୟିତ୍ବ ତୁଲାଇଥିଲେ। ସେ ମଧ୍ୟ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିବା‌ ସହ ୧୯୭୧ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଭିନ୍ନ ସମୟରେ ସ୍ବାସ୍ଥ୍ୟ, କୃଷି  ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ। ଆସିକା ଲୋକସଭା କ୍ଷେତ୍ରରୁ ସାଂସଦ ଭାବେ ର୍ନିବାଚିତ ହୋଇ ଲୋକସଭା ପ୍ୟାନେଲ୍ ବୋର୍ଡ଼ ଚେୟାରମ୍ୟାନ୍ ମଧ୍ୟ ରହିଥିଲେ। ବାଚସ୍ପତି ଥିବା ସମୟରେ ସେ ଓଡ଼ିଶା ସେକ୍ରେଟାରିଏଟ୍‌ରୁ ବିଧାନସଭା ସେକ୍ରେଟାରିଏଟ୍‌କୁ ଅଲଗା କରି ଐତିହାସିକ ପଦକ୍ଷେପ ନେଇଥିଲେ। ଯାହାକି ଦେଶର ପ୍ରଥମ ବିଧାନସଭା ସେକ୍ରେଟାରିଏଟ୍ ଭାବେ ପରିଚିତ ହୋଇଥିଲା।

ଗଞ୍ଜାମରୁ ଆଜି ପର୍ଯ୍ୟନ୍ତ ବାଚସ୍ପତି ଆସନରେ ୬ ଜଣ ବସିଛନ୍ତି

ବରିଷ୍ଠ ରାଜନେତା ବିକ୍ରମ‌ କେଶରୀ ଆରୁଖଙ୍କୁ ମିଶାଇ ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାରୁ ୬ ଜଣ ବାଚସ୍ପତି ହୋଇଛନ୍ତି।  ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅଧୀନରେ ଥିବା ବର୍ତ୍ତମାନର ଚିକିଟି ନିର୍ବାଚନମଣ୍ଡଳୀରୁ ଲାଲମୋହନ ପଟ୍ଟନାୟକ ବିଧାୟକ ଭାବେ ନିର୍ବାଚିତ ହୋଇ ୧୯୪୬ରୁ ୫୨ ପର୍ଯ୍ୟନ୍ତ ବାଚସ୍ପତି ହୋଇଥିଲେ। ସେ ଥିଲେ ଗଞ୍ଜାମ ଜିଲ୍ଲାରୁ ପ୍ରଥମ ବାଚସ୍ପତି। ଏହାପରେ ୧୯୬୧ ନିର୍ବାଚନରେ ଓଡ଼ିଶା ହାଇକୋର୍ଟ ଜଷ୍ଟିସ୍‌ ଲିଙ୍ଗରାଜ ପାଣିଗ୍ରାହୀ କୋଦଳା ଆସନରୁ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇ ଜିଲ୍ଲାର ଦ୍ବିତୀୟ ବାଚସ୍ପତି ହୋଇଥିଲେ। ୧୯୮୦ରେ ଭଞ୍ଜନଗର ବିଧାୟକ ସୋମନାଥ ରଥ, ୧୯୯୬ ରେ ଚିକିଟି ବିଧାନସଭା ନିର୍ବାଚନମଣ୍ଡଳୀ ବିଧାୟକ ଚିନ୍ତାମଣି ଦ୍ୟାନସାମନ୍ତରା ଓ ୨୦୧୯ରେ ଦିଗପହଣ୍ଡି ବିଜେଡି ବିଧାୟକ ଡ. ସୂର୍ଯ୍ୟନାରାୟଣ ପାତ୍ର ପଞ୍ଚମ ବାଚସ୍ପତି ଭାବେ ଦାୟିତ୍ବ ସମ୍ପାଦନ କରିଥିଲେ।

ସମ୍ବନ୍ଧିତ ଖବର