ସମ୍ବଲପୁର : ହକି ପାଇଁ ସରକାର ଶହଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମନୋରଂଜନ କାର୍ଯ୍ୟକ୍ରମରେ ଗୁଡ଼ିଏ ପଇସା ବ୍ୟୟ କରାଯାଉଛି। ହକି ମହୋତ୍ସବ ପାଳନ ପାଇଁ ପ୍ରତିଟି ପଞ୍ଚାୟତରୁ ନେଇ ମହାନଗର ପର୍ଯ୍ୟନ୍ତ କୋଟିକୋଟି ଟଙ୍କା ବିଞ୍ଚି ଦିଆଯାଉଛି। ହେଲେ ସମ୍ବଲପୁରର ଐତିହାସିକ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୩ କୋଟି ଟଙ୍କା ୪ ବର୍ଷ ବିତିବା ପରେ ବି ସରକାର ଦେଇ ନାହାନ୍ତି। ଓଡ଼ିଶାକୁ ‌ଦେଶର କ୍ରୀଡ଼ା ରାଜଧାନୀ କହୁଥିବାବେଳେ ଏକ ପୁରାତନ କ୍ରୀଡ଼ା ଭିତ୍ତିଭୂମି ପ୍ରତି ଏଭଳି ଅବହେଳା କ୍ଷୋଭର ବିଷୟ ବୋଲି ସମ୍ବଲପୁର ଜିଲ୍ଲା କ୍ରୀଡ଼ା ସଂଘର ଉପସଭାପତି ଦୁଲାଲ୍ ଚନ୍ଦ୍ର ପ୍ରଧାନ କହିଛନ୍ତି।

Advertisment

ଗୁରୁବାର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ରେ ସଂଘ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଲେ, ୨୦୧୯ ଫେବ୍ରୁଆରି ୧ ତାରଖରେ ଜିଲ୍ଲା ପ୍ରଶାସନ ତରଫରୁ ଏହି ଷ୍ଟାଡିୟମ୍‌ରେ ବିଜୁ ଯୁବ ବାହିନୀର ସମାବେଶ ଆୟୋଜନ କରା ଯାଇଥିଲା। ଏହାକୁ ସେତେବେଳେ ସହରର କ୍ରୀଡ଼ାପ୍ରେମୀ ତୀବ୍ର ବିରୋଧ କରିଥିଲେ। ହେଲେ ଲୋକଙ୍କ ଅସନ୍ତୋଷକୁ ଦୂର କରିବା ପାଇଁ ସେହିଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ମଞ୍ଚରେ ଏହି ଷ୍ଟାଡିୟମ୍‌ର ବିକାଶ ପାଇଁ ୩ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ। କେବଳ ଘୋଷଣା କରି ନଥିଲେ, ତତ୍କାଳୀନ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ହାତରେ ମଞ୍ଜୁରି ପତ୍ର ଓ ସେ ବାବଦ ଚେକ୍ ପ୍ରଦାନ କରିଥିଲେ। ହେଲେ ସେ ଚେକ୍‌ ଓ ଟଙ୍କା କୁଆଡ଼େ ଗଲା କେହି ଜାଣିପାରିଲେ ନାହିଁ। ଆଜିଯାଏ ଷ୍ଟାଡିୟମ୍‌ର କୌଣସି ବିକାଶ କରାଗଲା ନାହିଁ। ମୁଖ୍ୟମନ୍ତ୍ରୀ ପୁଣି ଭିଏସ୍‌ଏସ୍‌ ଷ୍ଟାଡିୟମ୍‌କୁ ସାଟେଲାଇଟ୍ ଷ୍ଟାଡିୟମ୍‌ କରିବାକୁ ଘୋଷଣା କଲେ। ହେଲେ ତାହା ବି କିଛି ହେଲା ନାହିଁ ଓ ଘୋଷଣାରେ ସୀମିତ ରହିଲା।

ସରକାରୀସ୍ତରରେ ଏହି ଷ୍ଟାଡିୟମ୍‌ର ଉନ୍ନତି ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଗ୍ୟାଲେରି ଗୁଡ଼ିକରେ ଫାଟ ହେ‌ଲାଣି। କେବେ ଧସିଯିବ କହି‌ହେବ ନାହିଁ। ଓସିଏରୁ କ୍ରିକେଟ୍‌ ବାବଦରେ ଯାହାକିଛି ଅନୁଦାନ ମିଳୁଛି ତାହା ପଡ଼ିଆର ରକ୍ଷଣାବେକ୍ଷଣରେ ଖର୍ଚ୍ଚ ହୋଇଯାଉଛି। ଖରାପ ସ୍ଥିତି କାରଣରୁ ଏଠାରେ ଥିବା କ୍ରୀଡ଼ା ଛାତ୍ରାବାସକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡ଼ିଲା। ମୁଖ୍ୟମନ୍ତ୍ରୀ ଦେଇଥିବା ଟଙ୍କା କଥା କ୍ରୀଡ଼ା ବିଭାଗକୁ ପଚାରିଲେ କାମ ପାଇଁ ଇଡ୍‌କୋକୁ ଦିଆ ଯାଇଥିବା କହୁଛନ୍ତି। ଇଡ୍‌କୋକୁ ପଚାରିଲେ ଟେଣ୍ଡର୍‌ ହବହବ କହି ଖେଳୁଛନ୍ତି। ଏଭଳି ବୈମାତୃକ ମନୋଭାବକୁ ସମ୍ବଲପୁରର କ୍ରୀଡ଼ାପ୍ରେମୀ ବରଦାସ୍ତ କରିବେ ନାହିଁ ବୋଲି ସେ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଅନ୍ୟତମ ଉପସଭାପତି ମହମ୍ମଦ ସାବିର ଅହମ୍ମଦ, ସାଧାରଣ ସଂପାଦକ ସୁନୀଲ ସାହୁ ଓ ଅନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ।