କଟକ: ବାରବାଟୀ ଷ୍ଟାଡିୟମ୍ର ଜମି ପରିମାଣ କେତେ? ଏହା କାହା ନାମରେ ରହିଛି? ଷ୍ଟାଡିୟମ୍ର ଉନ୍ନତୀକରଣ ପାଇଁ ରାଜ୍ୟ ବା କେନ୍ଦ୍ର ସରକାର କେତେ ଟଙ୍କା ଅନୁଦାନ ଦେଇଛନ୍ତି? ଏଠାରେ ନିର୍ମାଣ ହୋଇଥିବା କୋଠାବାଡ଼ି ପ୍ଲାନ୍ ଅନୁ ମୋଦନ ଲାଭ କରିଛି କି ନାହିଁ? ଅଗ୍ନି ନିର୍ବାପକ ବ୍ୟବସ୍ଥା ଅଛି କି ନାହିଁ? ଷ୍ଟାଡିୟମ୍ ପରିସରରେ କେତୋଟି ବିବାହ ମଣ୍ଡପ ରହିଛି ଓ ସେଥିରୁ ବାର୍ଷିକ କେତେ ଆୟ ହେଉଛି? ଏଭଳି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେବାକୁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଅକ୍ଷମତା ପ୍ରକାଶ କରିଛି। ଏହାର କାରଣ କ୍ରୀଡ଼ା ବିଭାଗ ପାଖରେ ସେ ସବୁ ତଥ୍ୟ ନାହିଁ। ସୂଚନା ଅଧିକାର ଆଇନ ଆଧାରରେ ବାରବାଟୀ ଷ୍ଟାଡିୟମ୍ ସଂକ୍ରାନ୍ତରେ ୯ଟି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନର ଉତ୍ତର ମଗାଯାଇଥିବା ବେଳେ କୌଣସି ଗୋଟିଏର ଉତ୍ତର କ୍ରୀଡ଼ା ବିଭାଗ ପାଖରେ ନାହିଁ। ଓଡ଼ିଶାର ଗର୍ବ ଓ ଗୌରବ ଭାବେ ପରିଚିତ ବାରବାଟୀ ଷ୍ଟାଡିୟମ୍ ବିଷୟରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ସଂପୂର୍ଣ୍ଣ ଅଜ୍ଞ ଓ ଅନ୍ଧାରରେ ରହିବା ସାଧାରଣରେ ଆଲୋଚ୍ୟ ବିଷୟ ହୋଇଛି।
କଟକର ସମାଜସେବୀ ତୋଫାନ ଦାସ ଚଳିତବର୍ଷ ଫେବ୍ରୁଆରି ୨୨ ତାରିଖରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ରାଜ୍ୟ କ୍ରୀଡ଼ା ବିଭାଗ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ ବଳରେ ବାରବାଟୀ ଷ୍ଟାଡିୟମ୍ ବିଷୟରେ ୯ଟି ତଥ୍ୟ ପାଇବା ପାଇଁ ଆବେଦନ କରିଥିଲେ। ବାରବାଟୀ ଷ୍ଟାଡିୟମ୍ ଜମି କାହା ନାମରେ, ଜମିର ପରିମାଣ କେତେ, ଏଠାରେ କେତୋଟି ଦୋକାନଘର, କାର୍ଯ୍ୟାଳୟ ଚାଲିଛି, ୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ ଷ୍ଟାଡିୟମ୍ ଉନ୍ନତି ପାଇଁ ରାଜ୍ୟ ବା କେନ୍ଦ୍ର ସରକାର କେତେ ଅନୁଦାନ ଦେଇଛନ୍ତି, ଅଗ୍ନି ସୁରକ୍ଷା ପ୍ରମାଣପତ୍ର ମିଳିଛି କି ନାହିଁ, ଓସିଏରେ କେତେ କର୍ମଚାରୀ ଅଛନ୍ତି, ଓଡ଼ିଶା ଅଲିମ୍ପିକ୍ ସଂଘରେ କେତେଜଣ କର୍ମଚାରୀ ରହିଛନ୍ତି, ଏହାର ପରିସରରେ କେତୋଟି ମଣ୍ଡପ ଚାଲିଛି, ସେଥିରୁ କେତେ ଆୟ
ହେଉଛି..ଭଳି ପ୍ରଶ୍ନ ଶ୍ରୀ ଦାସ ପଚାରିଥିଲେ। ପ୍ରଥମେ ଆବେଦନକାରୀଙ୍କୁ ରାଜ୍ୟ କ୍ରୀଡ଼ା ବିଭାଗ, ଓଡ଼ିଶା ଅଲିମ୍ପିକ ସଂଘ ସମ୍ପାଦକଙ୍କ ପାଖକୁ ପଠାଇଥିଲେ। ଏଭଳି ଉତ୍ତର ଦେବାକୁ ତାଙ୍କ ପାଖରେ ତଥ୍ୟ ନଥିବା ଅଲିମ୍ପିକ୍ ସଂଘ ସମ୍ପାଦକ କହିଥିଲେ। ସେଠାରୁ ନିରାଶ ହୋଇ ଆବେଦନକାରୀ ଶ୍ରୀ ଦାସ ପୁଣି କ୍ରୀଡ଼ା ବିଭାଗକୁ ଯାଇଥିଲେ। ଗତ ଜୁଲାଇ ୩୧ ତାରିଖରେ ତାଙ୍କ ଆବେଦନର ଶୁଣାଣି ହୋଇଥିବା ବେଳେ ଅଗଷ୍ଟ ୫ ତାରିଖରେ ତାଙ୍କ ପାଖକୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଆସିଥିଲା। ପଚରାଯାଇଥିବା ୯ଟି ପ୍ରଶ୍ନର ଉତ୍ତର ଦେଇଛନ୍ତି କ୍ରୀଡ଼ା ବିଭାଗର ସ୍ପୋର୍ଟସ୍ ଆସୋସିଏସନ୍ ସେକ୍ସନ୍। ପ୍ରତି ଉତ୍ତରରେ ଲେଖାଯାଇଛି ଯେ, କ୍ରୀଡ଼ା ବିଭାଗର ସ୍ପୋର୍ଟସ୍ ଆସୋସିଏସନ୍ ସେକ୍ସନ୍ ପାଖରେ ଏହାର ତଥ୍ୟ ଉପଲବ୍ଧ ନାହିଁ। ଏଭଳି ଉତ୍ତର କେବଳ ଆବେଦନକାରୀ ତୋଫାନ ଦାସଙ୍କୁ ନୁହେଁ, ଓଡ଼ିଶାର ଅଗଣିତ କ୍ରୀଡ଼ାପ୍ରେମୀ ତଥା ସଚେତନ ନାଗରିକଙ୍କୁ ଚକିତ କରିଛି। ଯଦି କ୍ରୀଡ଼ା ବିଭାଗ ପାଖରେ ବାରବାଟୀ ଷ୍ଟାଡିୟମ୍ର ତଥ୍ୟ ନାହିଁ, ତେବେ କାହା ଇସାରାରେ ଚାଲିଛି ଷ୍ଟାଡିୟମ; ସେଥିରୁ ହେଉଥିବା ଆୟ ଯାଉଛି କୁଆଡେ.. ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ରାଜ୍ୟବାସୀଙ୍କ ମନରେ ଉଙ୍କି ମାରୁଛି।