ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାତ୍ମ୍ୟ ଓ ଶ୍ରୀମନ୍ଦିରର ପରମ୍ପରା ଯେଭଳି ଅଭିନ୍ନ, ସେଭଳି ଶ୍ରୀମନ୍ଦିର ରୋଷଶାଳ ମଧ୍ୟ। ଓଡ଼ିଆ ଘରର ପ୍ରତିଟି ପ୍ରତିଛବି ଏଠାରେ ଦେଖିବାକୁ ମିଳେ। ଆଜି ବି ମହାପ୍ରଭୁ ସକାଳୁ ଉଠି ଦାନ୍ତଘସିବା ପରେ ଜଳଖିଆ ଖାଇଥାନ୍ତି। ପରେ ଅନ୍ୟାନ୍ୟ ନୀତିକାନ୍ତି ସହ ଦ୍ବିପ୍ରହରରେ ଭୋଜନ, ପଖାଳ ଖିଆ। ମହାପ୍ରଭୁଙ୍କ ଏଭଳି ନୀତିକାନ୍ତି ଅନ୍ୟ କୌଣସିଠାରେ ଦେଖିବାକୁ ମିଳିବନି। ମହାପ୍ରଭୁ ଯେଭଳି ଦିବ୍ୟ, ସେଭଳି ତାଙ୍କ ରୋଷଶାଳାରେ ବି ଦିବ୍ୟତା ଭରି ରହିଛି। କୁହାଯାଏ, ମା’ ଲକ୍ଷ୍ମୀ ସାଆନ୍ତାଣିଙ୍କ ଏହା ରୋଷେଇ ଘର।
ମହାପ୍ରଭୁଙ୍କ ପାଇଁ ଦୈନିକ ଯାହାକିଛି ଭୋଗ ଲାଗି ହେଉଛି, ତାହା ନିଜେ ମା’ ଲକ୍ଷ୍ମୀ ସାଆନ୍ତାଣିଙ୍କ ନିଜ ହାତରନ୍ଧା। ତାଙ୍କ ଆଶୀର୍ବାଦ ନ ଥିଲେ ଶହ ଶହ ଲୋକଙ୍କୁ ମହାପ୍ରସାଦ ଯୋଗାଇବା ଅସମ୍ଭବ ବୋଲି ସୁଆର ମହାସୁଆର ସେବକମାନେ ମତ ଦେଇଛନ୍ତି। ତେବେ ରୋଷଘରର ୪୩ ଚୁଲି ଭଙ୍ଗାଯିବା ନେଇ ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେବାୟତମାନେ ଦାବି କରିଛନ୍ତି। ଶ୍ରୀମନ୍ଦିର ରୋଷଘରେ ସମୁଦାୟ ୨୪୦ଟି ଚୁଲା ରହିଛି। ତିନିଥର ରୋଷ ଚୁଲିରେ ରନ୍ଧା କାର୍ଯ୍ୟ ହୋଇଥାଏ। କୋଠଭୋଗରୁ ରନ୍ଧା କାର୍ଯ୍ୟ ଆରମ୍ଭ ହୋଇଥାଏ। ଚୁଲାର ଗଠନ ଶୈଳୀ ଉପରେ ନଜର ପକାଇଲେ, ଏହା ଏକ ପଦ୍ମଫୁଲ ତଥା ପଦ୍ମପାଖୁଡ଼ା ଭଳି।
ଗୋଟିଏ ଗୋଟିଏ ଚୁଲିରେ ୬ଟି ପଖା(ଜାଳେଣି ଜାଳିବା ବାଟ) ରହିଥାଏ। ଏହି ପଖା ୩ଟି ଥର, ଗୋଟିଏ ତାଳୁ ଓ ୨ଟା ପାଖକୁ ଇନ୍ଧନ ଯୋଗାଇଥାଏ। ଥର, ପାଖ ଓ ତାଳୁ ମଧ୍ୟରେ ବି ଭିନ୍ନତା ରହିଛି। ଥରକୁ ଅଧିକ ଇନ୍ଧନ(ଆଞ୍ଚ) ଯାଇଥାଏ। ଏଣୁ ଏଥିରେ ସଅଳ ରୋଷେଇ ହୋଇଥାଏ। ସେହିଭଳି ପାଖରେ ମଧ୍ୟମ ଧରଣର ଆଞ୍ଚ ଓ ତାଳୁରେ ସବୁଠୁ କମ୍ ଆଞ୍ଚ ରହିଥାଏ। ଏଣୁ ରନ୍ଧା ସାମଗ୍ରୀର ପରିମାଣ ଅନୁଯାୟୀ କେଉଁଥିରେ କେଉଁ କୁଡୁଆ ବସିବ, ତାହା ସୁଆର ମହାସୁଆର ସେବକମାନେ ନିଷ୍ପତ୍ତି ନେଇଥାନ୍ତି। ଜଣେ ବରିଷ୍ଠ ସୁଆରସେବକ କହିଛନ୍ତି, ଗୋଟିଏ ଗୋଟିଏ ଚୁଲାରେ ପ୍ରାୟ ୯ କେଜି ଚାଉଳ ଏକାଥରକେ ରନ୍ଧା ହୋଇପାରିବ। ଗୋଟିଏ କେଜି ଚାଉଳ ରାନ୍ଧିବାକୁ ମାତ୍ର ୧୦ ମିନିଟ୍ ଲାଗିଥାଏ। ପରେ ଦଉଡ଼ି ସାହାଯ୍ୟରେ ଏହାକୁ ଚୁଲାରୁ ଓହ୍ଲାଯାଇଥାଏ। ୧୦ ମିନିଟ୍ରେ ରନ୍ଧା ହେଉଥିବା ଏହି ଅନ୍ନ ପ୍ରାୟ ୫ଶହ ଲୋକ ଖାଇପାରିବେ। ଆମେ ନିଜେ ରୋଷେଇ କରୁଥିଲେ ବି ଶ୍ରୀମନ୍ଦିର ରୋଷଚୁଲିର ଦିବ୍ୟତା ଆଜି ବି ଆଶ୍ଚର୍ଯ୍ୟ ଲାଗେ। ଏହା ସବୁ ମହାପ୍ରଭୁ ଓ ମା’ ଲକ୍ଷ୍ମୀ ସାଆନ୍ତାଣିଙ୍କ ଆଶୀର୍ବାଦ ବୋଲି ସେ କହିଛନ୍ତି।
ରୋଷଘର ସିସି କ୍ୟାମେରା ଉପରେ ସମସ୍ତଙ୍କ ନଜର
/sambad/media/post_attachments/wp-content/uploads/2022/04/Untitled-7-1-300x225.jpg)
ରୋଷଘର ଚୁଲା ପରେ ଏବେ ସମସ୍ତଙ୍କ ନଜର ସିସିଟିଭି କ୍ୟାମେରା ଉପରେ ରହିଛି। କାରଣ ଏହା ହିଁ ଏକମାତ୍ର ପ୍ରମାଣ, ଯିଏ ଦୋଷୀଙ୍କୁ ଧରି ପାରିବ। ଅନ୍ୟପଟେ ରୋଷ ଘରେ ଲାଗିଥିବା ସିସିଟିଭି ବହୁଦିନରୁ ଅଚଳ ହୋଇଯାଇଥିବା ସେବାୟତମାନେ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ରୋଷଘର ଭିତରେ କୌଣସି ସିସିଟିଭି ଲାଗେନି। ଏହା ପରମ୍ପରା ବିରୋଧୀ। ଏଣୁ ରୋଷଘର ପ୍ରବେଶ ପଥରେ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ସିସି କ୍ୟାମେରା ଲଗାଯାଇଥିଲା। ଏହି ସିସି କ୍ୟାମେରା ଅନୁଧ୍ୟାନ ପରେ କିଏ ଦୋଷୀ ଜଣାପଡ଼ିବ।
ସେପଟେ ସେବାୟତମାନେ ଏହି ସିସି କ୍ୟାମେରା ଖରାପ ହୋଇଯାଇଥିବା କହିବା ଏକ ଦ୍ବନ୍ଦ୍ବାତ୍ମକ ପରିସ୍ଥିତି ସୃଷ୍ଟି କରିଛି। ଯଦି ସିସିଟିଭି ଖରାପ ହୋଇଥାଏ, ତେବେ ଦୋଷୀଙ୍କୁ ଧରିବା କଷ୍ଟକର ହୋଇପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ଗତକାଲି ରାତ୍ରପହୁଡ଼ ବେଳେ କେଉଁମାନେ ରୋଷଘର ଦାୟିତ୍ବରେ ଥିଲେ, କେତେବେଳେ ଏମାନେ ଗଲେ, ସବୁର ଟିକିନିଖି ଅନୁଧ୍ୟାନ ଓ ପଚରାଉଚରା ଆରମ୍ଭ କରିଛି ମନ୍ଦିର ପ୍ରଶାସନ।