ଶ୍ରୀମନ୍ଦିର ସିଂହଦ୍ବାର ହେବ ରୁପାଛାଉଣି

ପୁରୀ : ଶ୍ରୀମନ୍ଦିର ସିଂହଦ୍ବାରର ରୁପାଛାଉଣି ହେବ। ପରେ ଅନ୍ୟ ତିନି ଦ୍ବାର ଉପରେ ବିଚାର କରାଯିବ। ମହାପ୍ରଭୁଙ୍କ ଗଜଦନ୍ତ ପଲଙ୍କ ଭାଙ୍ଗି ଯାଇଥିଲା। ଭଙ୍ଗା ପଲଙ୍କରେ ଶୋଉଥିଲେ ମହାପ୍ରଭୁ। ଏହାର ବି ଆଉ ଏକ ନୂଆ ସେଟ୍‌ ତିଆରି ହେବ। ଆଜି ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ବୈଷୟିକ କମିଟି, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସିଂହଦ୍ବାର ରୁପାଛାଉଣି କାମ ରଥଯାତ୍ରା ସମୟରେ ସାରିବାକୁ ନିଷ୍ପତ୍ତି ହୋଇଛି। ମୁମ୍ବାଇର ରିଲାଏନ୍ସ କମ୍ପାନି ସମସ୍ତ ରୁପା ଦାନସୂତ୍ରରେ ଦେବ। ବାକି ଗଜଦାନ୍ତ ପଲଙ୍କ ଓ ଅନ୍ୟାନ୍ୟ କାମ ସମୟସାପେକ୍ଷ ଥିବାରୁ ପରବର୍ତ୍ତୀ ସମୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସେହି ଅନୁସାରେ ପ୍ରତ୍ନତତ୍ତ୍ବ ବିଭାଗକୁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖି ଅନୁମତି ମାଗିବ।

ଶ୍ରୀମନ୍ଦିର ପ୍ରଶାସନ ଓ ବୈଷୟିକ କମିଟି ବୈଠକ
ଗଜଦନ୍ତ ପଲଙ୍କର ହେବ ନୂଆ ସେଟ୍‌
ବେହେରଣ ଦ୍ବାର ଖିଲଣ ପାଇଁ ୩.୫ କୋଟି ଦେଇଛନ୍ତି ଦାତା

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବୈଷୟିକ କୋର୍‌ କମିଟିର ଏନ୍‌ ସି ପାଲ୍‌, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର, ଅନନ୍ତ ତିଆଡ଼ି, ମାଧବ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ, ମାଧବ ମହାପାତ୍ର, ଜଗନ୍ନାଥ କରଙ୍କ ସମେତ ଇଂଜିନିୟରମାନେ ଉପସ୍ଥିତ ଥିଲେ।

ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର କହିଛନ୍ତି, ୨୦୧୫ ମସିହାରେ ଶ୍ରୀମନ୍ଦିର ସିଂହଦ୍ବାରର ପୁରୁଣା ଦ୍ବାରକୁ ବଦଳାଇ ନୂଆ ଦ୍ବାର ଲାଗିବା ସହ ଏହାର ପିତଳଛାଉଣି କରାଯାଇଥିଲା। ଏଣୁ ସିଂହଦ୍ବାର କାଠର ସ୍ଥିତି ଯାଞ୍ଚ ହେବ। ଯଦି ଠିକ୍‌ ଥାଏ, ତେବେ ସେହି ଦ୍ବାରରେ ରୂପାଛାଉଣି କରାଯିବ। ଯଦି ଖରାପ ଥାଏ, ବର୍ମା ସାଗୁଆନ୍‌ କାଠରେ ନୂଆ ଦ୍ବାର ତିଆରି ହେବ। ପରବର୍ତ୍ତୀ ବୈଠକରେ ଡିଜାଇନ ଅନୁମୋଦନ ଲାଭ କରିବା ପରେ କାମ ଆରମ୍ଭ ହେବ। ପଲଙ୍କ ପାଇଁ ଆବଶ୍ୟକ ଗଜଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କୁ ଚିଠି ଲେଖିବ। ଶ୍ରୀମନ୍ଦିର ବେହେରଣ ଦ୍ବାରର ଖିଲଣ ରୁପାରେ ତିଆରି ହେବ। ଏଥିପାଇଁ ଜଣେ ଦାତା ୩.୫ କୋଟି ଟଙ୍କା ଦାନରେ ଦେଇଛନ୍ତି।

ସମ୍ବନ୍ଧିତ ଖବର